ନୂଆଦିଲ୍ଲୀ: ଆଇପିଏଲ୍ ପୂର୍ବରୁ ବ୍ୟାଟରେ କମାଲ୍ କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା। ଶନିବାର ହରିୟାଣାର ଗୁରଗାଁରେ ଆୟୋଜିତ ଏକ ଲୋକାଲ୍ ଟି-୨୦ ମ୍ୟାଚରେ ରାଇନା ମାତ୍ର ୪୬ ବଲରେ ୧୦୪ ରନର ଶତକୀୟ ଇନିଂସ୍ ଖେଳିଛନ୍ତି। ରାଇନାଙ୍କ ଏହି ଦମଦାର ଇନିଂସରେ ୧୧ ଚୌକା ଓ ୭ ଛକା ସାମିଲ୍ ରହିଛି। ଏହି ମୁକାବିଲା ନିଝାୱାନ୍ ୱାରିୟର୍ସ ଓ ଟାଇଟନ୍ସ ଜେଡଏକ୍ସ ମଧ୍ୟରେ ଖେଳାଯାଇଥିଲା। ରାଇନା ୱାରିୟର୍ସ ପକ୍ଷରୁ ଖେଳୁଥିଲେ।
ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୨୯ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ରାଇନାଙ୍କ ଦମଦାର ଇନିଂସ୍ ବଳରେ ୱାରିୟର୍ସ ୧୯.୫ ଓଭରରେ ୩ ୱିକେଟ୍ ହରାଇ ୨୩୦ ରନ୍ କରି ବିଜୟ ଲାଭ କରିଥିଲା। ଏହି ମ୍ୟାଚରେ ରାଇନା ଆରମ୍ଭରୁ ହିଁ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ ଦେଖାଇଥିଲେ। ସେ ମାତ୍ର ୧୯ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଯାହା ପରେ ଶତକ ପୂରଣ କରିବା ପାଇଁ ତାଙ୍କୁ ମୋଟ ୪୬ ବଲର ସହାୟତା ନେବାକୁ ପଡ଼ିଥିଲା। ରାଇନା ମଧ୍ୟ ଏହି ମ୍ୟାଚରେ ୪ ଓଭର ବୋଲିଂ କରି ୨୭ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।
ସୂଚନାଯୋଗ୍ୟ, ପାରିବାରିକ କାରଣରୁ ରାଇନା ଗତବର୍ଷ ୟୁଏଇରେ ଆୟୋଜିତ ଆଇପିଏଲରେ ଖେଳିପାରିନଥିଲେ। ତାଙ୍କର ଏହି ନିଷ୍ପତ୍ତିକୁ ନେଇ ଖୁବ୍ ବିବାଦ ଦେଖା ଦେଇଥିଲା। ଶେଷ ସମୟରେ ରାଇନାଙ୍କ ଏଭଳି ଟୁର୍ଣ୍ଣାମେଣ୍ଟରୁ ହଟିବା ଦ୍ୱାରା ସିଏସେକର ଟିମ୍ ମ୍ୟାନେଜମେଣ୍ଟ ଅସନ୍ତୁଷ୍ଟ ଥିବା ଅନୁମାନ କରାଯାଉଥିଲା। କିନ୍ତୁ ଫ୍ରାଞ୍ଚାଇଜି ତାଙ୍କ ଉପରେ ଭରସା ଦେଖାଇ ଆଇପିଏଲର ୧୪ତମ ସିଜନ୍ ପାଇଁ ରାଇନାଙ୍କୁ ରିଟେନ୍ କରିଛି। ତାଙ୍କ ଅନୁପସ୍ଥିତିରେ ଚେନ୍ନାଇ ଟିମ୍ ପ୍ରଥମଥର ଲାଗି ଆଇପିଏଲର ପ୍ଲେଅଫକୁ କ୍ୱାଲିଫାଏ କରିପାରିନାହିଁ।
ଗତବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ରାଇନା ଚଳିତ ବର୍ଷ ଜାନୁଆରୀ ମାସରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳିଥିଲେ। ଉତ୍ତର ପ୍ରଦେଶ ପକ୍ଷରୁ ଖେଳୁଥିବା ରାଇନା ପଞ୍ଜାବ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ମାରିଥିଲେ। କିନ୍ତୁ ଏହା ପରେ ତାଙ୍କ ବ୍ୟାଟ୍ ଆଦୌ ଚାଲିନଥିଲା। ରାଇନା ରେଲୱେ ବିପକ୍ଷରେ ୬ ଓ ଜମ୍ମୁ-କଶ୍ମୀର ବିପକ୍ଷରେ ଖାତା ଖୋଲିପାରିନଥିଲେ। ତେବେ ଆଇପିଏଲ୍ ପୂର୍ବରୁ ଏହି ଶତକୀୟ ଇନିଂସ୍ ରାଇନାଙ୍କୁ ଫର୍ମକୁ ଫେରିବାର ସଙ୍କେତ ଦେଇଛି।
ଆଇପିଏଲରେ ରାଇନା ୧୯୩ ମ୍ୟାଚ୍ ଖେଳି ୧୩୭ରୁ ଅଧିକ ଷ୍ଟ୍ରାଇକରେଟରେ ୫୩୬୮ ରନ୍ କରିଛନ୍ତି। ଲିଗରେ ସେ ଗୋଟିଏ ଶତକ ଓ ୩୮ ଅର୍ଦ୍ଧଶତକ ମାରିଛନ୍ତି। ଆଇପିଏଲ୍ ଇତିହାସରେ ସର୍ବାଧିକ ରନ୍ କରିଥିବା ବିରାଟ୍ କୋହଲିଙ୍କ ପରେ ରାଇନା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କୋହଲି ୧୯୨ ମ୍ୟାଚରେ ୫୮୭୮ ରନ୍ କରିଛନ୍ତି।
The post ଆଇପିଏଲ୍ ପୂର୍ବରୁ ଗର୍ଜିଲା ରାଇନାଙ୍କ ବ୍ୟାଟ୍, ମାରିଲେ ୪୬ ବଲରେ ଶତକ appeared first on Odisha Reporter.
from Odisha Reporter https://ift.tt/3k8HZ1a
No comments:
Post a Comment