ହିନ୍ଦୁ ଧର୍ମର ବିଭିନ୍ନ ପୁରାଣରେ ସୃଷ୍ଟି ଓ ସଭ୍ୟତା ନେଇ ନାନାଦି ରୋଚକ କାହାଣୀ ପଢ଼ିବାକୁ ମିଳେ। ସେହିପରି ଏକ କାହାଣୀ ହେଉଛି ବ୍ରହ୍ମା ଓ ସରସ୍ୱତୀଙ୍କ ଦାଂପତ୍ୟ କଥା। ପୁରାଣ ଅନୁସାରେ ବିଦ୍ୟାଦାତ୍ରୀ ସରସ୍ୱତୀ ବ୍ରହ୍ମାଙ୍କଠାରୁ ସୃଷ୍ଟି ହୋଇଥିଲେ ହେଁ ସୃଷ୍ଟି ସଂରଚନା ଆଗକୁ ନେବା ପାଇଁ ସେ ବ୍ରହ୍ମାଙ୍କ କଥାରେ ରାଜି ହୋଇ ତାଙ୍କୁ ବିବାହ କରିଥିଲେ।
ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ବ୍ରହ୍ମାଙ୍କୁ ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା ଓ ମହାଦେବଙ୍କୁ ସଂହାର କର୍ତ୍ତା ବୋଲି ବର୍ଣ୍ଣନା କରାଯାଇଛି। କୁହାଯାଏ, ସମସ୍ତ ସୃଷ୍ଟିର ସଂରଚନା ବ୍ରହ୍ମାଙ୍କ ଦ୍ୱାରା ହିଁ ହୋଇଛି।
ସମସ୍ତଙ୍କୁ ପ୍ରାୟ ଜଣାଥିବ ଯେ ବ୍ରହ୍ମାଙ୍କର ପତ୍ନୀ ହେଉଛନ୍ତି ବିଦ୍ୟାଦାତ୍ରୀ ବା ‘ବାଗ୍ଦେବୀ’ ସରସ୍ୱତୀ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦେବୀ ସରସ୍ୱତୀ ବ୍ରହ୍ମାଙ୍କଠାରୁ ହିଁ ସୃଷ୍ଟି ହୋଇଛନ୍ତି।
ହିନ୍ଦୁ ଧର୍ମର ସରସ୍ୱତୀ ପୁରାଣ ଏବଂ ମତ୍ସ୍ୟ ପୁରାଣ ଅନୁଯାୟୀ, ନିଜଠାରୁ ସୃଷ୍ଟି ହୋଇଥିବା ବା ଜନ୍ମ ନେଇଥିବା ‘ବାଗ୍ଦେବୀ’ଙ୍କୁ ସୃଷ୍ଟିକର୍ତ୍ତା ବିବାହ କରିଥିଲେ। ସରସ୍ୱତୀ ପୁରାଣ ଅନୁସାରେ ବିଦ୍ୟା ଦେବୀଙ୍କର କେହି ମା’ ନାହାନ୍ତି, କିନ୍ତୁ ତାଙ୍କର ପିତା ହେଉଛନ୍ତି ଭଗବାନ ବ୍ରହ୍ମା।
ବ୍ରହ୍ମା ସୃଷ୍ଟିର ରଚନା କରିବା ସମୟରେ ଏକା ଥିଲେ। ସେ ନିଜ ଶକ୍ତି ବଳରେ ସରସ୍ୱତୀ ଏବଂ ବ୍ରାହ୍ମୀଙ୍କୁ ସୃଷ୍ଟି କରିଥିଲେ। ଦେବୀ ସରସ୍ୱତୀ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଥିଲେ। ଏଥିପାଇଁ ବ୍ରହ୍ମା ସରସ୍ୱତୀଙ୍କ ପ୍ରତି ଆକର୍ଷିତ ହୋଇ ପଡ଼ିଥିଲେ।
ବ୍ରହ୍ମାଙ୍କ ଆକର୍ଷଣରୁ ରକ୍ଷା ପାଇବା ପାଇଁ ସରସ୍ୱତୀ ଆକାଶ ଏବଂ ଚାରି ଦିଗରେ ଲୁଚିବାକୁ ଲାଗିଲେ। କିନ୍ତୁ ବ୍ରହ୍ମାଙ୍କର ୫ଟି ମସ୍ତିଷ୍କ ଥିବାରୁ ସେ ସରସ୍ୱତୀଙ୍କୁ ଠାବ କରିବାରେ ସକ୍ଷମ ହୋଇଥିଲେ। ଏହାପରେ ସୃଷ୍ଟି ସଂରଚନାରେ ସହଯୋଗ ପାଇଁ ବ୍ରହ୍ମା ସରସ୍ୱତୀଙ୍କୁ ନିବେଦନ କରିଥିଲେ। ସରସ୍ୱତୀ ମଧ୍ୟ ବ୍ରହ୍ମାଙ୍କ କଥାରେ ରାଜି ହୋଇଥିଲେ।
ସରସ୍ୱତୀଙ୍କୁ ବିବାହ କରିବା ପରେ ବ୍ରହ୍ମା ଓ ସରସ୍ୱତୀଙ୍କଠାରୁ ସର୍ବପ୍ରଥମେ ମନୁଙ୍କର ଜନ୍ମ ହୋଇଥିଲା। ମନୁଙ୍କୁ ପୃଥିବୀର ପ୍ରଥମ ମାନବ ସନ୍ତାନ ବୋଲି କୁହାଯାଏ। ଏହା ବ୍ୟତୀତ ମନୁଙ୍କୁ ସନାତନ ଧର୍ମ, ବେଦ, ସଂସ୍କୃତ ଏବଂ ସମସ୍ତ ଭାଷାର ଜନକ ବୋଲି କୁହାଯାଏ।
The post ସରସ୍ୱତୀଙ୍କୁ କାହିଁକି ବିବାହ କରିଥିଲେ ବ୍ରହ୍ମା, ଜାଣନ୍ତୁ appeared first on Odisha Reporter.
from Odisha Reporter https://ift.tt/3qmYuZQ
No comments:
Post a Comment