ଚେନ୍ନାଇ: ଚଳିତ ବର୍ଷ ବିଜୟ ହଜାରେ ଟ୍ରଫି ଖେଳିବେନି ଦ୍ରୁତ ବୋଲର ଟି ନଟରାଜନ। ପୂର୍ବରୁ ସେ ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷିତ ତାମିଲନାଡୁ ଟିମ୍ର ସ୍କ୍ୱାଡରେ ଥିଲେ। କିନ୍ତୁ ବିସିସିଆଇଙ୍କ ଅନୁରୋଧକ୍ରମେ ରାଜ୍ୟ କ୍ରିକେଟ ଆସୋସିଏସନ ନଟରାଜନଙ୍କୁ ରିଲିଜ କରିଛି।
ବର୍ତ୍ତମାନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯାଉଛି। ଏହା ପରେ ଟି-୨୦ ଓ ଦିନିକିଆ ସିରିଜ ଆରମ୍ଭ ହେବ। ସୀମିତ ଓଭର ସ୍କ୍ୱାଡରେ ନଟରାଜନଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି। ଏଥିପାଇଁ ତାଙ୍କୁ ବିଶ୍ରାମର ଜରୁରୀ। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ନଟରାଜନଙ୍କୁ ସ୍କ୍ୱାଡରୁ ରିଲିଜ୍ କରିବାକୁ ତାମିଲନାଡୁ କ୍ରିକେଟ ଆସୋସିଏସନକୁ କହିଥିଲା।
ତାମିଲନାଡୁ କ୍ରିକେଟ ଆସୋସିଏସନର ସମ୍ପାଦକ ଆରଏସ ରାମାସାମୀ କହିଛନ୍ତି, ଇଂଲଣ୍ଡ ବିପକ୍ଷ ସୀମିତ ଓଭର କ୍ରିକେଟ ପାଇଁ ବିସିସିଆଇ ଓ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ନଟରାଜନଙ୍କୁ ଫ୍ରେଶ ରଖିବାକୁ ଚାହାନ୍ତି। ଏଥିପାଇଁ ତାଙ୍କୁ ବିଜୟ ହଜାରେ ଟ୍ରଫିରେ ସାମିଲ ନ କରିବାକୁ ଆମ ପାଖକୁ ଅନୁରୋଧ ଆସିଥିଲା।
ଭାରତୀୟ ଟିମର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିସିସିଆଇ ପ୍ରସ୍ତାବରେ ଆମେ ହଁ ଭରିଛୁ। ଫେବୃଆରୀ ୩ରେ ତାମିଲନାଡୁର ୨୦ ଜଣିଆ ସଦସ୍ୟ ବିଜୟ ହଜାରେ ଟ୍ରଫି ଖେଳିବାକୁ ଇନ୍ଦୋର ଯିବ। ନଟରାଜନଙ୍କ ବଦଳରେ ସ୍କ୍ୱାଡରେ ଆରଏସ ଜଗନାଥ ସିନିଭାସଙ୍କୁ ସାମିଲ କରାଯାଇଛି ବୋଲି ସେ କହିଛନ୍ତି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ମାର୍ଚ୍ଚ ୧୨ରୁ ୫ ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ। ସେହିପରି ମାର୍ଚ୍ଚ ୨୩ରେ ପୁଣେରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ।
The post ବିସିସିଆଇର ଅନୁରୋଧ ପରେ ଦଳରୁ ରିଲିଜ୍ ହେଲେ ନଟରାଜନ appeared first on Odisha Reporter.
from Odisha Reporter https://ift.tt/3p6ru6N
No comments:
Post a Comment