ଭଦ୍ରକ(ପାର୍ଥ ସାରଥୀ ନାୟକ): କରୋନା ସମୟରେ ନିଜକୁ ମରଣ ମୁହଁକୁ ଠେଲି ସମ୍ମୁଖ ଯୋଦ୍ଧା ଭାବେ କାମ ହେଲେ। ହେଲେ କରୋନା କମିବା ପରେ ପ୍ରଶଂସାରେ ପୋତି ପକାଉଥିବା ସରକାର ଶେଷରେ ଚାକିରିରୁ ବିଦା କରିଦେଲେ। ପରିବାର ପେଟ ପୋଷିବାକୁ ପ୍ରଥମେ ଜଣେ କୋଭିଡ଼ ଯୋଦ୍ଧା ଭିକ୍ଷା ବୃତ୍ତି କରୁଥିବା ଖବର ପ୍ରଚାରିତ ହେବା ସତ୍ତ୍ୱେ ସରକାରଙ୍କ ନିଦ ଭାଙ୍ଗି ନ ଥିଲା। ଶେଷରେ ଚେଇଁ ଶୋଇଥିବା ସରକାରକୁ ଉଠାଇବାକୁ ଭଦ୍ରକରୁ ଭୁବନେଶ୍ୱର ପଦଯାତ୍ରା ଆରମ୍ଭ କରିଛନ୍ତି କୋଭିଡ ଯୋଦ୍ଧା ଅଶ୍ୱନି ପାଢ଼ୀ।
ଚାକିରୀରେ ପୁନଃ ନିଯୁକ୍ତି ଦାବି କରି ନିଜର ଅଭିଯୋଗ ଜଣାଇବା ପାଇଁ ଏପରି ପଦଯାତ୍ରା ଆରମ୍ଭ କରିଛନ୍ତି ଅଶ୍ୱନି। ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଭଦ୍ରକରୁ ନବୀନନିବାସ ପ୍ରାୟ ୧୩୦ କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତା ପଦଯାତ୍ରା କରୁଛନ୍ତି କୋଭିଡ଼ ଯୋଦ୍ଧା ଅଶ୍ୱନି ପାଢ଼ୀ।
ଆଜି ସକାଳୁ ଚରମ୍ପାସ୍ଥିତ ହନୁମାନ ମନ୍ଦିରରେ ପୂଜା ପାଠ ସାରି ପିପିଇ କିଟ ପିନ୍ଧିଵା ସହ ଡାହାଣୀ ଗଡିଆ ଛକରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପର ଭଦ୍ରକରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ଓଡ଼ିଶାର ୮ ହଜାରରୁ ଊର୍ଦ୍ଧ୍ୱ କୋଭିଡ ଯୋଦ୍ଧା କରୋନା ସମୟରେ ଜୀବନକୁ ବାଜି ଲଗାଇ ପାରାମେଡିକାଲ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ହେଲେ କରୋନାର କୋପ କମିବା ପରେ ସେମାନଙ୍କୁ ଚାକିରିରୁ ବିଦା କଲେ ସରକାର। ଫଳରେ ସେମାନଙ୍କର ରୋଜଗାରର ବାଟ ବନ୍ଦ ହୋଇଯିବା ଯୋଗୁଁ ପରିବାର ଚଳାଇବା କଷ୍ଟକର ହୋଇପଡିଛି।
ଦୀର୍ଘ ୫୫ ଦିନ ଧରି ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣା ଦେଇଥିବା ବେଳେ, ଏବେ ସରକାରଙ୍କୁ ନିଜର ଗୁହାରୀ ଜଣାଇବା ପାଇଁ ଅଭିନଵ ଢଙ୍ଗରେ ପ୍ରତିବାଦ କରୁଛନ୍ତି ଏହି ପାରା ମେଡିକାଲ ଷ୍ଟାଫ । ସରକାର ଯେ ପର୍ଯ୍ୟନ୍ତ ସେମାନଙ୍କ ଅଭିଯୋଗ ଶୁଣି ନାହାନ୍ତି, ସେ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଅଭିନଵ ପ୍ରତିବାଦ ଜାରି ରହିବ ବୋଲି ପଦ ଯାତ୍ରା ଆରମ୍ଭ କରିଥିବା କହିଛନ୍ତି କୋଭିଡ ଯୋଦ୍ଧା ଅଶ୍ୱନି ପାଢ଼ୀ ।
ସୂଚନାଯୋଗ୍ୟ, ଫାର୍ମସିଷ୍ଟ ପାଠ ପଢ଼ିଥିବା ଅଶ୍ୱିନୀ ଦୀର୍ଘ ଦିନ ଧରି ସାମ୍ବାଦିକତା କରି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ କରୋନା ସମୟରେ ସରକାରଙ୍କ ଡାକରାରେ ସେ କିଛି ନ ଭାବି ସମ୍ମୁଖ ଯୋଦ୍ଧା ଭାବେ କାମ କଲେ। ଦୀର୍ଘ ୧୦ ମାସ କରୋନା ଯୋଦ୍ଧା ଭାବେ ମରଣ ମୁହଁରେ କାମ କରିବା ପରେ ସରକାର କିନ୍ତୁ ତାଙ୍କ ଦୁଃଖ ଶୁଣିଲେ ନାହିଁ। ତେଣୁ ପରିବାର ପୋଷିବାକୁ ଏପରି ଭାବେ ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି ଅଶ୍ୱିନୀ।
The post ଭଦ୍ରକରୁ- ନବୀନ ନିବାସ; ଗୁହାରି ଜଣାଇବାକୁ ଚାଲି ଚାଲି ବାହାରିଲେ କୋଭିଡ ଯୋଦ୍ଧା appeared first on Odisha Reporter.
from Odisha Reporter https://ift.tt/3koDu2w
No comments:
Post a Comment