ନୂଆଦିଲ୍ଲୀ: ଆଜି ଅପରାହ୍ନ ୪.୩୦ରେ ଭାରତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରିବେ। ଏହି ସମୟରେ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ। ଏହି ସବୁ ରାଜ୍ୟରେ ଏପ୍ରିଲ-ମେ’ ମାସରେ କ୍ଷମତାସୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଏହା ପୂର୍ବରୁ ଏଠାରେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଶେଷ ହେବ।
ଏହାବାଦ୍ କିଛି ରାଜ୍ୟରେ ଖାଲି ପଡ଼ିଥିବା ବିଧାନସଭାର ଉପ ନିର୍ବାଚନ ପାଇଁ ମଧ୍ୟ କମିଶନ ତାରିଖ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି।
ବିହାର ବିଧାନସଭା ନିର୍ବାଚନ ପରେ ପ୍ରଥମଥର ପାଇଁ କରୋନା ମହାମାରୀ ମଧ୍ୟରେ ଏକକାଳୀନ ଗୁରୁତ୍ୱପୂର୍ଣ୍ଣ ୫ ରାଜ୍ୟରେ ଭୋଟିଂ ହେବାକୁ ଯାଉଛି। ପଶ୍ଚିମବଙ୍ଗର ୨୯୪, ତାମିଲନାଡୁରେ ୨୩୪, କେରଳରେ ୧୪୦, ଆସାମରେ ୧୨୬ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ୩୦ଟି ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ। ଏହି ସବୁ ରାଜ୍ୟରେ ସବୁ ରାଜନୀତିକ ଦଳ ନିର୍ବାଚନ ପାଇଁ ପ୍ରଚାର ଏବେଠାରୁ ହିଁ ଆରମ୍ଭ କରିସାରିଛନ୍ତି।
ଏଥର ପଶ୍ଚିମବଙ୍ଗରେ ହାଇଭୋଲଟେଜ୍ ଲଢ଼େଇ ହେବ। କାରଣ ଦୁଇଥର କ୍ଷମତା ଦଖଲ କରି ମୁଖ୍ୟମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀଙ୍କୁ ବିଜେପି କଡ଼ା ଚ୍ୟାଲେଞ୍ଜ ଦେଉଛି। ସେହିପରି କ୍ଷମତାସୀନ ଟିଏମସିରୁ ଏକାଧିକ ମନ୍ତ୍ରୀ ଓ ବିଧାୟକ ବିଜେପିରେ ସାମିଲ ହେବାରୁ ମମତାଙ୍କ ଚିନ୍ତା ବଢ଼ିଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଯାଏ ବେଙ୍ଗଲକୁ ବାରମ୍ବାର ଗସ୍ତ କରି ଦଳ ପାଇଁ ପ୍ରଚାର କରିବାରେ ଲାଗିଛନ୍ତି।
ଆସାମରେ ମଧ୍ୟ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ଜୋରଦାର ପ୍ରଚାର କରୁଛି। ୨୦୧୬ରେ ଦଳ ଏଠାରେ କଂଗ୍ରେସକୁ ଗାଦିଚ୍ୟୁତ କରି ପ୍ରଥମଥର କ୍ଷମତା ଦଖଲ କରିଥିଲା। ଏହି ୫ଟି ରାଜ୍ୟ ମଧ୍ୟରୁ କଂଗ୍ରେସ ୨୦୧୬ରେ କେବଳ ପୁଡୁଚେରୀରେ କ୍ଷମତା ଦଖଲ କରିପାରିଥିଲା। ହେଲେ ଦଳୀୟ ବିଧାୟକ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀଙ୍କ ହାତ ଛାଡ଼ି ଦେବାରୁ କିଛି ଦିନ ତଳେ କଂଗ୍ରେସ ସରକାରର ପତନ ଘଟିଛି।
ତାମିଲନାଡୁରେ ଏଆଇଏଡିଏମକେ କ୍ଷମତାରେ ରହିଛି। ଏଥର ଦଳ ବିଜେପି ସହ ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢ଼େଇ କରିବ। କିନ୍ତୁ ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଏମକେ ଷ୍ଟାଲିନଙ୍କ ଡିଏମକେ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ ସମସ୍ତଙ୍କ ନଜର ଏହି ରାଜ୍ୟ ଉପରେ ରହିଛି।
The post ଆଜି ୫ ରାଜ୍ୟ ପାଇଁ ଘୋଷଣା ହେବ ନିର୍ବାଚନ ତାରିଖ, ସମୟ ଜାଣନ୍ତୁ appeared first on Odisha Reporter.
from Odisha Reporter https://ift.tt/2ZUXxwh
No comments:
Post a Comment