ଦରକାର ପଡ଼ୁନି ଶୀତଳ ଭଣ୍ଡାର; ବର୍ଷ ତମାମ ସତେଜ ରହୁଛି ‘ଠୁରୀ ଆଳୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 23, 2021

ଦରକାର ପଡ଼ୁନି ଶୀତଳ ଭଣ୍ଡାର; ବର୍ଷ ତମାମ ସତେଜ ରହୁଛି ‘ଠୁରୀ ଆଳୁ’

ଫୁଲବାଣୀ (ତ୍ରିନାଥ ସାହୁ): ପ୍ରାୟତଃ ସମସ୍ତଙ୍କ ରୋଷେଇ ଘର ପରିବା ଡାଲାରେ ନିଜର ସ୍ୱତନ୍ତ୍ର ଜାଗା ଅକ୍ତିଆର କରିଥାଏ ଆଳୁ। ଦାମ୍‌ ଯାହା ହେଉନା କାହିଁକି, ଧନୀଠୁ ଗରୀବ ସମସ୍ତଙ୍କ ମେନ୍ୟୁରେ ସାମିଲ ଥାଏ ଆଳୁ। ତେବେ ଆମ ରାଜ୍ୟରେ ଯେତିକି ଆଳୁ ଉତ୍ପାଦନ ହେଉଛି, ତାହା ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁ ନାହିଁ। ସେଥିପାଇଁ ବାହାର ରାଜ୍ୟରୁ ଆଳୁ ଆସୁଛି। ଅନ୍ୟପକ୍ଷରେ ଆମ ରାଜ୍ୟରେ ଯାହା ବି ଆଳୁ ଉତ୍ପାଦନ ହେଉଛି, ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର ନଥିବାରୁ ଚାଷୀମାନେ ତାକୁ ସଂରକ୍ଷିତ କରି ରଖି ପାରୁ ନାହାନ୍ତି।

କନ୍ଧମାଳର ବଲସକୁମ୍ପା ଅଞ୍ଚଳରେ ମହିଳାମାନେ ଆଳୁ ଖୋଳୁଛନ୍ତି। 

କିନ୍ତୁ କନ୍ଧମାଳ ଜିଲ୍ଲାର ବଲସକୁମ୍ପା ଅଞ୍ଚଳରେ ଚାଷୀମାନେ ଏପରି ଆଳୁ ଉତ୍ପାଦନ କରୁଛନ୍ତି, ଯାହାକି ବର୍ଷ ତମାମ ବିନା ଶୀତଳ ଭଣ୍ଡାରରେ ସତେଜ ରହୁଛି।  ପୁଣି ସାର ପ୍ରୟୋଗ ହେଉନଥିବାରୁ ଏହା ଶରୀର ପାଇଁ ବି ବେଶ୍ ହିତକର।  ଏହାକୁ ସ୍ଥାନୀୟ ଅଞ୍ଚଳରେ ‘ଠୁରୀ ଆଳୁ’ କହୁଛନ୍ତି। ତା’ସହିତ ଏହାକୁ ‘ଦେଶୀ ଆଳୁ’ ଓ ‘ମାଳ ଆଳୁ’ ବି କହୁଛନ୍ତି।

ଏହି ଆଳୁର ବିଶେଷତ୍ୱ ହେଉଛି, ଏହା ଶୀଘ୍ର ପଚେ ନାହିଁ। ଫଳରେ ଶୀତଳ ଭଣ୍ଡାରର ଆବଶ୍ୟକତା ପଡ଼େ ନାହିଁ । ଖୋଲା ସ୍ଥାନରେ ବର୍ଷ ତମାମ ସତେଜ ରୁହେ ଠୁରୀ ଆଳୁ । ପୁଣି ଏହି ଆଳୁ ଚାଷରେ କୌଣସି ସାର ପ୍ରୟୋଗ ହେଉନଥିବାରୁ ସ୍ୱାସ୍ଥ୍ୟ ପାଇଁ ବି ହିତକର । ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀମାନେ ଏହାକୁ କମ୍ ପରିମାଣରେ ଚାଷ କରି ନିଜେ ବର୍ଷସାରା ଖାଇବା ସହ ବିହନ ଭାବେ ସାଇତିଥାନ୍ତି ।

ଜଣେ ମହିଳା ଚାଷୀ ଆଳୁ ଉତ୍ପାଦନରେ ବ୍ୟସ୍ତ।

ଏନେଇ ବଲସକୁମ୍ପା ଅଞ୍ଚଳର ଚାଷୀ କବିରାଜ ବେହେରା କହିଛନ୍ତି, ପ୍ରଥମେ ବିଲକୁ ୪, ୫ ଥର ହଳ କରୁ। ମାଟିକୁ ଗୁଣ୍ଡ କରୁ। କିଆରୀ କରି ଗାର ମାରୁ।  ତା’ପରେ ଆଳୁ ପୋତୁ।  ଗଛ ୨,୩ ଇଞ୍ଚ ହେବା ପରେ ଆଳୁ ଅମଳ କରୁ। ଏହା ବର୍ଷ ସାରା ରହେ।

ସେ କହିଛନ୍ତି, ଏଇଟା ବମ୍ବେ ଆଳୁ ନୁହେଁ ଯେ ୨,୩ ମାସ ଗଲେ ଗଜା ହୋଇଯିବ।

ବଲସକୁମ୍ପା ଅଞ୍ଚଳର ଚାଷୀ ରାଧିକା ଦାସ କହିଛନ୍ତି, ବର୍ଷ ସାରା ଏହି ଆଳୁକୁ ସାଇତି ରଖୁଛୁ। ଆର ବର୍ଷ ପୁଣି ଅମଳ କରୁଛି। ତେଲଲୁଣ ଖର୍ଚ୍ଚ ଉଠାଇବାକୁ ଏହି ଆଳୁକୁ ନେଇ ଫୁଲବାଣୀରେ ବିକ୍ରି କରୁଛୁ। ସରକାର କିଛି ସାହାଯ୍ୟ କରୁ ନାହାନ୍ତି। ନହେଲେ ଆଉ ଟିକେ ଭଲ ରୋଜଗାର ହୁଅନ୍ତା।

ବିଲରୁ ଠୁରୀ ଆଳୁ ଖୋଳୁଛନ୍ତି ଜଣେ ମହିଳା। 

କନ୍ଧମାଳ ଜିଲ୍ଲାରେ ଠୁରୀ ଆଳୁର ବେଶ୍ ଚାହିଦା ଥିବାବେଳେ ଉତ୍ପାଦନ କିନ୍ତୁ କମ୍ । ଏହି ଚାଷ ପାଇଁ କୌଣସି ସରକାରୀ ପ୍ରୋତ୍ସାହନ ନଥିବାରୁ ବ୍ୟବସାୟିକ ଭିତ୍ତିରେ କରିପାରୁନାହାନ୍ତି ଚାଷୀ ।

ଅମଳ ହୋଇଥିବା ଠୁରୀ ଆଳୁ

ଏନେଇ ଜିଲ୍ଲା ଉଦ୍ୟାନ ଉପନିର୍ଦ୍ଦେଶକ ମନୋଜ କୁମାର ଦାସ କହିଛନ୍ତି, ଠୁରୀ ଆଳୁ ଲାଭଜନକ ଫସଲରେ ଯାଉଛି । ମାତ୍ର ଏହା ସାର୍ଟିଫାଏଡ ସିଡ୍ ହୋଇ ନଥିବାରୁ ସରକାରୀ ସହାୟତା ଦିଆଯାଇପାରୁନି । ଓୟୁଏଟି ଏବଂ ନ୍ୟାସନାଲ ହର୍ଟିକଲଚର୍ ରିସର୍ଚ୍ଚ ଡେଭେଲପମେଣ୍ଟ ଫାଉଣ୍ଡେସନ ଦ୍ୱାରା ଏହାକୁ ସାର୍ଟିଫାଏଡ୍ ସିଡ୍ କରିବାକୁ ଉଦ୍ୟମ କରାଯାଉଛି ।

 

The post ଦରକାର ପଡ଼ୁନି ଶୀତଳ ଭଣ୍ଡାର; ବର୍ଷ ତମାମ ସତେଜ ରହୁଛି ‘ଠୁରୀ ଆଳୁ’ appeared first on Odisha Reporter.



from Odisha Reporter https://ift.tt/3dAQcdk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages