ଚେନ୍ନାଇ: ଆଜିଠୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳା ଯାଉଥିବା ବେଳେ ଇଂଲଣ୍ଡକୁ ଲାଗିଛି ଡବଲ ଝଟକା। ଦଳ ଦୁଇଟି ୱିକେଟ୍ ହରାଇ ସାରିଛି। ଖବର ଲେଖାଯିବା ବେଳକୁ ଲଞ୍ଚ ବ୍ରେକ୍ ହୋଇଥିବା ବେଳେ ଭ୍ରମଣକାରୀ ଦଳ ୨୭ ଓଭରରେ ୬୭ ରନ୍ ସଂଗ୍ରହ କରିଛି।
ଓପନର ରୋରୀ ବର୍ନସ ୩୩ ରନ୍ କରି ଆଉଟ୍ ହୋଇଥିବା ବେଳେ ଡ୍ୟାନ୍ ଲରେନ୍ସ ଖାତା ଖୋଲି ପାରି ନଥିଲେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲରେ ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ରୋରୀ। ଅନ୍ୟପକ୍ଷରେ ଯଶପ୍ରୀତ୍ ବୁମ୍ରାଙ୍କ ବଲ୍ରେ ଏଲ୍ବିଡବ୍ଳ୍ୟୁ ହୋଇଥିଲେ ଡ୍ୟାନ୍ ଲରେନ୍ସ।
ଡୋମିନିକ୍ ସିବ୍ଲୀ ୨୬ ରନ୍ କରି ଅପରାଜିତ ଥିବା ବେଳେ ଅଧିନାୟକ ଜୋ ରୁଟ୍ ୪ ରନ୍ କରି ଅପରାଜିତ ରହିଛନ୍ତି।
୨୩.୫ ଓଭରରେ ଦଳୀୟ ସ୍କୋର ୬୩ ରନ୍ ହୋଇଥିବା ବେଳେ ପ୍ରଥମେ ରୋରୀ ବର୍ନସ ଆଉଟ୍ ହୋଇଥିଲେ। ଏହାପରେ ୨୫.୪ ଓଭରରେ ସେହି ୬୩ ରନ୍ରେ ଡ୍ୟାନ୍ ଲରେନ୍ସ ଆଉଟ୍ ହୋଇଥିଲେ।
ଈଶାନ୍ତ ଶର୍ମା ୫ ଓଭର ବୋଲିଂ କରି ୮ ରନ୍ ଦେଇଥିବା ବେଳେ ଶାହବାଜ ନଦୀମ ୫ ଓଭରରେ ୧୧ ରନ୍ ଦେଇଛନ୍ତି। ଯଶପ୍ରୀତ ବୁମ୍ରା ୭ ଓଭରରେ ୧୭ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୧୦ ଓଭରରେ ୩୧ ରନ୍ ବ୍ୟୟ କରି ଗୋଟିଏ ୱିକେଟ୍ ନେଇଛନ୍ତି।
ଇଂଲଣ୍ଡ ଆଜି ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ରୋହିତ ଶର୍ମା, ଶୁବମନ ଗିଲ୍, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ୱାଶିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ୱିନ, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମ୍ରା ଓ ଶାହବାଜ ନଦୀମ ସ୍ଥାନ ପାଇଛନ୍ତି।
ଏହି ସିରିଜ୍ ଉଭୟ ଭାରତ ଓ ଇଂଲଣ୍ଡ ପାଇଁ ବେଶ ଗୁରୁତ୍ତ୍ୱପୂର୍ଣ୍ଣ। କାରଣ ଚାରିମ୍ୟାଚ୍ ବିଶିଷ୍ଟ ସିରିଜ୍ ଜିତି ଉଭୟ ଦଳ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଟିକେଟ୍ ବୁକ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତକୁ ଅତିକମରେ ୨-୦ କିମ୍ବା ୨-୧ରେ ଏହି ସିରିଜ୍ ଜିତିବାକୁ ପଡ଼ିବ।
ଇଂଲଣ୍ଡ ଶେଷଥର ପାଇଁ ୨୦୧୬ରେ ଯେତେବେଳେ ଭାରତ ଗସ୍ତରେ ଆସିଥିଲା, ସେତେବେଳେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୦-୪ରେ ହାରିଯାଇଥିଲା। ତେବେ ଭ୍ରମଣକାରୀ ଟିମ୍ ନିକଟରେ ଶ୍ରୀଲଙ୍କାକୁ ତା’ ନିଜ ମାଟିରେ ୨-୦ରେ ହରାଇଛି। ତେଣୁ ଟିମ୍ ମନୋବଳ ଦୃଢ଼ ଅଛି। ତେବେ ଭାରତୀୟ ଦଳ ବି କିଛି କମ୍ ନୁହେଁ। ଅଷ୍ଟ୍ରେଲିଆକୁ ତା’ ମାଟିରେ ଟେଷ୍ଟ୍ ସିରିଜ୍ରେ ପରାସ୍ତ କରି ଫେରିଛି।
ଅଷ୍ଟ୍ରେଲିଆ ଗସ୍ତରେ ଚାରିମ୍ୟାଚ୍ ବିଶିଷ୍ଟ ସିରିଜର ଶେଷ ତିନୋଟି ମ୍ୟାଚରେ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେ ଟିମ୍ର ନେତୃତ୍ୱ ନେଇଥିଲେ। କୋହଲିଙ୍କ ଅନୁପସ୍ଥିତି ଏବଂ ଅଧିକାଂଶ ସିନିୟର ଖେଳାଳି ଆହତ ହୋଇ ବାହାରେ ବସିବା ସତ୍ତ୍ୱେ ଟିମ୍ ଇଣ୍ଡିଆ ରାହାଣେଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ଥିଲା। ଏବେ କୋହଲି ପୁଣିଥରେ ଟିମର ନେତୃତ୍ୱ ନେଉଛନ୍ତି ଓ ରାହାଣେ ଉପ-ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି।
The post ଇଂଲଣ୍ଡକୁ ଡବଲ ଝଟକା appeared first on Odisha Reporter.
from Odisha Reporter https://ift.tt/3tsPbt7
No comments:
Post a Comment