ସାଲେପୁର (ମନୋଜ ଆଚାର୍ଯ୍ୟ): ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ମୃତ୍ୟୁ ପୂର୍ବରୁ କେବଳ ଅଭିଯୋଗକାରୀ ରମାକାନ୍ତ ବରାଳଙ୍କ ସହ ଫୋନରେ କଥା ହେଇନଥିଲେ। ସେ ସେହି ସମାନ ଫୋନ୍ ନମ୍ବରରୁ ସେହି ୫ ତାରିଖ ସନ୍ଧ୍ୟାରେ ତାଙ୍କ ନାବାଳକ ପୁଅ ସହିତ ମଧ୍ୟ କଥା ହୋଇଥିଲେ। ପ୍ରାୟ ୧୦-୧୫ ମିନିଟ୍ ସେ ପୁଅ ସହିତ ଫୋନ୍ରେ କଥା ହୋଇଥିଲେ। ପ୍ରଫୁଲଙ୍କ ନାବାଳକ ପୁଅ ଗଣମାଧ୍ୟମ ସମ୍ମୁଖରେ ଆଜି ଏହି ସୂଚନା ଦେଇଛନ୍ତି।
ପ୍ରଫୁଲଙ୍କ ପୁଅ କହିଛନ୍ତି, “୭ଟା ୯ରେ ବାପା ଫୋନ୍ କରିଥିଲେ। ମାମା କେଉଁଠି ବୋଲି ପଚାରିଲେ। ମାମା ମାମୁ ଘରେ ଅଛି। ତା’ପରେ କହିଲେ, ମାମାକୁ କହିବୁ ମୁଁ ଟେନ୍ସନ୍ରେ ରହୁଛି। ଆଉ ମୋର ଯଦି ଆକ୍ସିଡେଣ୍ଟ ହୁଏ କାହାକୁ ଦାୟୀ କରିବନି। କାହାକୁ ଦୋଷ ଦେବନି।”
ସେ କହିଛନ୍ତି, ମୋ ସାଙ୍ଗରେ କଥା ହେବା ବେଳେ ବାପା ଦମ୍ଭରେ କଥା ହେଉଥିଲେ। ମୋ ସହିତ ଯେମିତି ଭଲରେ କଥା ହୁଅନ୍ତି, ସେମିତି କଥା ହେଉଥିଲେ। ଘରର ସମସ୍ତଙ୍କ କଥା ବି ପଚାରିଥିଲେ।
ଅନ୍ୟପକ୍ଷରେ ଅଭିଯୋଗକାରୀ ରମାକାନ୍ତ ବରାଳଙ୍କୁ ମଧ୍ୟ ପ୍ରଫୁଲ ବିଶ୍ୱାଳ ଫୋନ୍ କରିଥିଲେ। ରମାକାନ୍ତ ହେଉଛନ୍ତି ମୃତ ବିଜେପି ନେତା କୁଳମଣି ବରାଳଙ୍କ ପୁଅ, ଯାହାଙ୍କୁ ପ୍ରଫୁଲଙ୍କ ସମେତ ଆହୁରି ଅନେକ ଲୋକ ମିଶି ମାରିଥିବା ଅଭିଯୋଗ ହୋଇଛି।
ରମାକାନ୍ତଙ୍କୁ ଫୋନ୍ କରି ପ୍ରଫୁଲ କହିଥିଲେ ଯେ ତାଙ୍କ ପିଲା ଓ ପରିବାର ଏବେ ତାଙ୍କୁ ଲାଗିଲା। ତା’ସହିତ ମନ୍ତ୍ରୀ ପ୍ରତାପ ଜାନା ତାଙ୍କୁ ଫସାଇ ଦେଇଥିବା କଥା କହିଥିଲେ। ରମାକାନ୍ତ ଏ ସଂପର୍କରେ ଥାନାକୁ ସୂଚନା ଦେବା ସହିତ ଗଣମାଧ୍ୟମ ଆଗରେ ବି କହିଥିଲେ।
ଗତମାସ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ବିଦ୍ୟାଧର ବରାଳଙ୍କ ହତ୍ୟା କରାଯାଇଥିଲା। ଏହି ଘଟଣାରେ କୁଳମଣିଙ୍କ ପୁଅ ୧୩ ଜଣଙ୍କ ନାଁରେ ଅଭିଯୋଗ କରିଥିବା ବେଳେ ୧୦ ଜଣ ଗିରଫ ହୋଇସାରିଲେଣି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ବି ଏହି ମାମଲାରେ ରହିଛି।
ସୂଚନା ଅନୁଯାୟୀ, ୫ ତାରିଖ ରାତିରେ ଟାଙ୍ଗୀ ଥାନା ଅଧୀନ ନୂଆବନ୍ଦାଳ ଛକ ନିକଟରେ ଟ୍ରକ୍ ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ପୁଲିସ୍ ଖବର ପାଇଥିଲା। ଘଟଣାସ୍ଥଳରୁ ମିଳିଥିବା ମୋବାଇଲ୍ ଫୋନ୍ରୁ କଲ୍ କରିବା ପରେ ଏହା ପ୍ରଫୁଲ୍ଲଙ୍କ ମୃତଦେହ ବୋଲି ଜଣାପଡ଼ିଥିଲା। ତା’ପରେ ତାଙ୍କ ପରିବାର ଲୋକଙ୍କୁ ମୃତଦେହ ଚିହ୍ନଟ ପାଇଁ ଡକା ଯାଇଥିଲା। ପରିବାର ଲୋକେ ତାହା ପ୍ରଫୁଲ୍ଲଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ପ୍ରଫୁଲଙ୍କୁ ହତ୍ୟା କରାଯାଇଛି।
The post ପୁଅକୁ ଫୋନ୍ କରି କ’ଣ କହିଥିଲେ ପ୍ରଫୁଲ୍ଲ? appeared first on Odisha Reporter.
from Odisha Reporter https://ift.tt/2YWd0vA
No comments:
Post a Comment