ନୂଆଦିଲ୍ଲୀ: ଜାନୁଆରୀ ୨୬ ଦିନ ଲାଲକିଲ୍ଲାରେ ଘଟିଥିବା ଘଟଣାର ସିନ୍ ରି-କ୍ରିଏଟ କରିବେ ଦିଲ୍ଲୀ ହିଂସା ମାମଲାରେ ଗିରଫ ହୋଇଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ। ଦିଲ୍ଲୀ କ୍ରାଇମବ୍ରାଂଚ ଟିମ୍ ଆଜି ଦୀପ ସିଦ୍ଧୁ ଏବଂ ଇକବାଲ ସିଂହଙ୍କୁ ଚାଣକ୍ୟପୁରୀରୁ ଲାଲକିଲ୍ଲା ନେଇ ଯାଇଛି। ଏଠାରେ ଗଣତନ୍ତ୍ର ଦିବସ ଦିନ ହୋଇଥିବା ଘଟଣାର ସିନ୍ ରି-କ୍ରିଏଟ କରାଯିବ।
ପଚରାଉଚରା ବେଳେ ଦୀପ ସିଦ୍ଧୁ କହିଛନ୍ତି ଯେ, ଭାବୁକ ହୋଇ ସେ କୃଷକଙ୍କ ସହ ସାମିଲ ହୋଇଥିଲେ କିନ୍ତୁ ସେ କୌଣସି ଖିଲିସ୍ଥାନୀ କିମ୍ବା କଟରପନ୍ଥୀ ସଙ୍ଗଠନ ସହ ଜଡିତ ନଥିବା ଦାବି କରିଛନ୍ତି। ତେବେ ସେ ଭଙ୍ଗାରୁଜା କରିବା ବିଚାରଧାର ଉପରେ ବିଶ୍ୱାସ କରନ୍ତି ବୋଲି କହିଛନ୍ତି।
ଲକଡାଉନ ସମୟରେ ଏବଂ ପରେ ଦୀପ ସିଦ୍ଧୁଙ୍କ ପାଖରେ କୌଣସି କାମ ନଥିଲା। ପଞ୍ଜାବରେ ଅଗଷ୍ଟ ମାସରେ ଯେତେବେଳେ କୃଷକ ଆନ୍ଦୋଳନ ଆରମ୍ଭ ହେଲା ସେଥିପ୍ରତି ସେ ଆକର୍ଷିତ ହୋଇଥିଲେ। ଆନ୍ଦୋଳନସ୍ଥଳକୁ ଯେତେବେଳେ ବି ସେ ଯାଉଥିଲେ ବଡ ସଂଖ୍ୟା ଯୁବପିଢ଼ି ଭିଡ ଜମାଉଥିଲେ ବୋଲି ପଚରାଉଚରା ବେଳେ ଦୀପ ସିଦ୍ଧୁ କହିଛନ୍ତି।
ସୂଚନା ଯୋଗ୍ୟ ଯେ, ଗତ ଜାନୁଆରୀ ୨୬ ତାରିଖରେ ବିଭିନ୍ନ ସର୍ତ୍ତ ସହିତ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି କରିବାକୁ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କୁ ଅନୁମତି ମିଳିଥିଲା। ତେବେ ଏହି ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟିଥିଲା।
ଆନ୍ଦୋଳନକାରୀମାନଙ୍କୁ ଯେଉଁ ରାସ୍ତାରେ ଯିବାକୁ ଅନୁମତି ନଥିଲା, ସେମାନେ ସେହି ରାସ୍ତାରେ ଯାଇଥିଲେ। ସେହିପରି ସେମାନେ ଲାଲକିଲ୍ଲାକୁ ପଶି ଯାଇଥିଲେ। ଏପରିକି ସେଠାରେ ସେମାନେ ପତାକା ଉଡ଼ାଇଥିଲେ। ଏହି ସମୟରେ ଦୀପ ସିଦ୍ଧୁ ସେଠାରେ ଉପସ୍ଥିତ ଥିଲେ। ଆନ୍ଦୋଳନକାରୀଙ୍କୁ ପୁଲିସ୍ ଅଟକାଇବାକୁ ପ୍ରୟାସ କରିଥିଲା। ଆନ୍ଦୋଳନକାରୀଙ୍କ ପାଲଟା ଆକ୍ରାମଣରେ ୩୦୦ରୁ ଅଧିକ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।
ଦୀପ ସିଦ୍ଧୁ ଟ୍ରାକ୍ଟର ରାଲି ବେଳେ କୃଷକମାନଙ୍କୁ ହିଂସା ଭିଆଇବାକୁ ଉସକାଇ ଥିଲେ ବୋଲି ଅଭିଯୋଗ ହୋଇଛି। କୃଷକ ଆନ୍ଦୋଳନରେ ଜଣେ ବିବାଦୀୟ ବ୍ୟକ୍ତିତ୍ୱ ଭାବେ ଉଭା ହୋଇଥିବା ଦୀପ ସିଦ୍ଧୁଙ୍କ ବିରୋଧରେ ଚାଷୀ ସଂଗଠନ ଗୁଡ଼ିକ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ଦୀପ ସିଦ୍ଧୁ ଷଡ଼ଯନ୍ତ୍ର କରି କୃଷକ ଆନ୍ଦୋଳନକୁ ପଥଭ୍ରଷ୍ଟ କରିବାକୁ ପ୍ରୟାସ କରିଥିବ ଚାଷୀ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଦୀପ ଏହାକୁ ଖଣ୍ଡନ କରିଛନ୍ତି। ଫେସ୍ବୁକ୍ରେ ଦୁଇଟି ଭିଡିଓ ପୋଷ୍ଟ୍ କରି ଦୀପ୍ କହିଥିଲେ ଯେ ଆନ୍ଦୋଳନକାରୀମାନେ ନିଜ ଇଚ୍ଛାରେ ଲାଲକିଲ୍ଲା ଅଭିମୁଖେ ଯାଇଥିଲେ। ପୁଲିସ୍ କହିଛି, ଦୀପଙ୍କ ପକ୍ଷରୁ ତାଙ୍କର ଜଣେ ବନ୍ଧୁ ଏହି ଦୁଇଟି ଭିଡିଓକୁ ଫେସ୍ବୁକ୍ରେ ପୋଷ୍ଟ କରିଥିଲେ।
The post ଲାଲକିଲ୍ଲାରେ ସିନ୍ ରି-କ୍ରିଏଟ କରିବେ ଦୀପ ସିଦ୍ଧୁ appeared first on Odisha Reporter.
from Odisha Reporter https://ift.tt/3b3J1ay
No comments:
Post a Comment