ପାଟଣାଗଡ଼ (ବଂଶୀଧର ସେଠ): ପ୍ରାୟ ୧୫ ଦିନ ପୂର୍ବେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଶାନ୍ତିପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ୨୦ ଜଣ ସଶସ୍ତ୍ର ଡକାୟତ ପଶି ଆତଙ୍କରାଜ ଖେଳାଇବା ସହ ଲୁଟ କରିଥିଲେ। ସେମାନଙ୍କ ମଧ୍ୟରୁ ୭ ଡକାୟତଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କୁ କୋର୍ଟଚାଲାଣ କରିଛି।
ସୂଚନାଯୋଗ୍ୟ, ଗତ ୨୨ ତାରିଖ ରାତିରେ ପ୍ରାୟ ୨୦ ଜଣ ସଶସ୍ତ୍ର ଡକାୟତ ଶାନ୍ତିପୁର ଗ୍ରାମର ଆର୍ତ୍ତ ସାହୁଙ୍କ କବାଟ ଭାଙ୍ଗି ଘରେ ପଶିବା ସହ ମାରଣାସ୍ତ୍ର ଦେଖାଇ ପରିବାର ସଦସ୍ୟଙ୍କୁ ଭୟଭୀତ କରିଥିଲେ। କେବଳ ସେତିକି ନୁହେଁ ଘରର ମାଲିକ ଆର୍ତ୍ତ ସାହୁଙ୍କ ସମେତ ତାଙ୍କର ଦୁଇ ପୁଅ ଚନ୍ଦ୍ରକାନ୍ତ ଏବଂ ସୂର୍ଯ୍ୟକାନ୍ତଙ୍କୁ ପ୍ରବଳ ମାଡ ମାରିବା ସହ ଦୀର୍ଘ ୨ ଘଣ୍ଟା ଧରି ଘର ଭିତରେ ଆତଙ୍କରାଜ ଖେଳାଇଥିଲେ ଡକାୟତ। ତେବେ ପାଟିତୁଣ୍ଡ ଶୁଣି ଗାଁ ଲୋକେ ପଦାକୁ ବାହାରି ପଡିଥିବା ବେଳେ ଡକାୟତମାନେ ହାତ ବୋମା ଫିଙ୍ଗି ସେମାନଙ୍କୁ ଭୟଭୀତ କରିଥିଲେ।
ଏହାପରେ ଆର୍ତ୍ତଙ୍କ ଘରୁ ସୁନା, ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ନେଇ ଫେରାର ମାରିବାରେ ସକ୍ଷମ ହୋଇଥିଲେ ଡକାୟତ ଦଳ । ଘଟଣାକୁ ଗୁରୁତର ସହ ନେଇ ଡକାୟତମାନଙ୍କୁ ଧରିବା ପାଇଁ ବଲାଙ୍ଗିର ପୁଲିସ ପକ୍ଷରୁ ତନାଘନା ଉଦ୍ୟମ ଜାରି ରହିଥିଲା।
ଗତକାଲି ସନ୍ଧ୍ୟାରେ ୭ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଖୁବଶୀଘ୍ର ସଂପୃକ୍ତ ଅନ୍ୟମାନଙ୍କୁ ଧରିବାରେ ସକ୍ଷମ ହେବେ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ଗିରଫ ହୋଇଥିବା ଡକାୟତଙ୍କଠାରୁ ୬ଟି ମୋବାଇଲ ଫୋନ, କେତେକ ମାରଣାସ୍ତ୍ର ଇତ୍ୟାଦି ଜବତ ହୋଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପରେ ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
The post ୧୫ ଦିନ ତଳେ ଲୁଟ୍ କରି ଖସି ପଳାଇଥିଲେ, ବନ୍ଧା ହେଲେ appeared first on Odisha Reporter.
from Odisha Reporter https://ift.tt/36New7B
No comments:
Post a Comment