ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କଟକଣାକୁ ନେଇ ଅସନ୍ତୋଷ। ଚିତ୍ରାଳୟ ଓ ବିଭିନ୍ନ କଳାକାରମାନେ ଏଭଳି କଟକଣାକୁ ନେଇ ବିରୋଧ କରିଛନ୍ତି। ସବୁ କଳାକାର ଗୋଟିଏ ପରିବାର, ଆମ ଜୀବିକା ଆମକୁ ଫେରାଇ ଦିଅ ବୋଲି ସେମାନେ ଦାବି କରିଛନ୍ତି।
କରୋନା ମହାମାରୀ ଯୋଗୁଁ ପ୍ରାୟ ଏକ ବର୍ଷ ଧରି ଆମେ ଜୀବିକା ହରାଇଲା। ଏବେ କରୋନାର କୋପ କମିଛି। ଆଶା ଥିଲା ଚଳିତ ବର୍ଷ ଦଣ୍ଡନାଚ ହେବ, ବିଭିନ୍ନ କଳାକାରମାନେ ମଞ୍ଚରେ ଅଭିନୟ କରିବେ। ଏଥିସହ ଶିବରାତ୍ରି ପାଇଁ ଜାଗର ମଧ୍ୟ ହେବ। କିନ୍ତୁ ଦୁଃଖର କଥା ଯେ, ସରକାର ୨ ହଜାର କଳାକାରଙ୍କୁ ନେଇ ନାଟକ କରିବା ପାଇଁ ଅନୁମତି ଦେଇଥିଲେ ସୁଦ୍ଧା ଜିଲ୍ଲାପାଳ ଏହା ଉପରେ କଟକଣା ଲଗାଇଛନ୍ତି। ଗତକାଲି ଜାରି ହୋଇଥିବା କଟକଣାରେ କୌଣସି ନାଟକ କିମ୍ବା କୌଣସି ସଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି କୁହାଯାଇଛି । ଏହି ନିଷ୍ପତ୍ତି ସମସ୍ତ ଚିତ୍ରାଳୟ ମାଲିକ ଏବଂ କଳାକାରଙ୍କୁ ଦୁଃଖିତ କରିଛି ବୋଲି ରାଜ୍ୟ ଚିତ୍ରାଳୟ ସଂଘର ସମ୍ପାଦକ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତକାଲି ଦଣ୍ଡଯାତ୍ରା, ଶିବରାତ୍ର ଏବଂ ମା’ ତାରାତାରିଣୀ ଚୈତ୍ର ଉତ୍ସବକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଥିଲେ। କରୋନା କଟକଣା ଯୋଗୁ ଚଳିତବର୍ଷ କେବଳ ଦଣ୍ଡନାଚ ମାନସିକଧାରୀଙ୍କ ପାଇଁ ପାରମ୍ପାରିକ ରୀତି ଅନୁଯାୟୀ ପାଳନ ହେବ। କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ କେବଳ ଦଣ୍ଡୁଆଙ୍କ ଦଣ୍ଡନାଚ ଅନୁଷ୍ଠିତ ହେବ । ତା’ପୁଣି ୨ଶହ ଲୋକଙ୍କୁ ନେଇ। ତା’ଠୁ ଯଦି ଅଧିକ ହୁଅନ୍ତି, ତେବେ ଆୟୋଜକ ଦାୟୀ ରହିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଥିଲେ ।
ଏଥିସହ ଭୋଜିଭାତ କିମ୍ବା ପ୍ରସାଦସେବନ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଆଦୌ ହୋଇପାରିବ ନାହିଁ । ଦଣ୍ଡନାଚ ପାଇଁ ସ୍ଥାନୀୟ ତହସିଲଦାରଙ୍କଠାରୁ ଅନୁମତି ବାଧ୍ୟତାମୂଳକ। କେବଳ ଦଣ୍ଡନାଚ ନୁହେଁ, ଶିବରାତ୍ରୀକୁ ଦୃଷ୍ଟିରେ ରଖି ଜାଗର ଯାତ୍ରା ପାଇଁ ମଧ୍ୟ କଟକଣା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।
ମାସ୍କ ନଥିଲେ କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁଙ୍କୁ ଶିବାଳୟ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଜନ ସାଧାରଣଙ୍କ ପାଇଁ ଭଜନ ସମାରୋହକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଶିବ ମନ୍ଦିର ପରିସରରେ ଭୋଗ ବଣ୍ଟନ ଓ ପ୍ରସାଦ ସେବନ କାଯର୍ୟକ୍ରମ ପାଇଁ ଅନୁମତି ଦିଆଯିବନି ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି। ତେବେ ଏହି କଟକଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
The post କଳାକାରଙ୍କୁ ଦୁଃଖ ଦେଲା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ appeared first on Odisha Reporter.
from Odisha Reporter https://ift.tt/3ryyivR
No comments:
Post a Comment