ନନ୍ଦିଗ୍ରାମ: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ କରିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମେଡିକାଲ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିଛି। ଆକ୍ରମଣ ଅଭିଯୋଗ ପରେ ମମତାଙ୍କୁ କୋଲକାତାର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେଠାରେ ମମତାଙ୍କ ବାମ ଗୋଡ଼ରେ ପ୍ଲାଷ୍ଟର କରାଯାଇଛି। ମମତା ହସ୍ପିଟାଲ ବେଡ୍ରେ ପ୍ଲାଷ୍ଟର କରି ଶୋଇଥିବା ବେଳର ଫଟୋକୁ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଟ୍ୱିଟ କରିଛନ୍ତି। ଏହି ଫଟୋ ସହ ସେ ବିଜେପିକୁ ଟାର୍ଗେଟ ବି କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ବିଜେପି ଗୋଷ୍ଠୀ ମେ’ ୨ ରବିବାର ବେଙ୍ଗଲବାସୀଙ୍କ ପାୱର ଦେଖିବ। ସେଥିପାଇଁ ରେଡ୍ଡୀ ରୁହ।”
୬୬ ବର୍ଷୀୟ ମମତା ବାନାର୍ଜୀ ଗତକାଲି ନନ୍ଦିଗ୍ରାମ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେ ଗତକାଲି ସନ୍ଧ୍ୟାରେ ଅଭିଯୋଗ କରିଥିଲେ ଯେ ୪ରୁ ୫ ଜଣ ବ୍ୟକ୍ତି ତାଙ୍କ କାର୍ ପାଖକୁ ଆସି ଆକ୍ରମଣ କରିଥିଲେ। ଏପରି କି ସେମାନେ ଜୋର୍ରେ କାର୍ର କବାଟ ବନ୍ଦ କରିବାରୁ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଏହି ସମୟରେ କୌଣସି ପୁଲିସ୍ ଅଧିକାରୀ ଉପସ୍ଥିତ ନଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। ବୁଧବାର ରାତିରେ ମମତା ନନ୍ଦିଗ୍ରାମରେ ରହିବାର ଥିଲା। କିନ୍ତୁ ଘଟଣା ପରେ ତାଙ୍କୁ ତୁରନ୍ତ କୋଲକାତା ସ୍ଥିତ ହସ୍ପିଟାଲକୁ ଅଣାଯାଇଛି।
ଏବେ ତାଙ୍କ ମେଡିକାଲ ଟେଷ୍ଟ ରିପୋର୍ଟ କୋଲକାତାର ଏସଏସକେଏମ ହସ୍ପିଟାଲ ପକ୍ଷରୁ ଦିଆଯାଇଛି। ହସ୍ପିଟାଲର ରିପୋର୍ଟ ଅନୁଯାୟୀ, ମମତାଙ୍କ ପାଦ, କାନ୍ଧ ଓ ବେକରେ ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ପେନ୍ କିଲର ଦିଆଯାଇଛି। ପରୀକ୍ଷାରୁ ଜଣାପଡ଼ିଛି ଯେ ତାଙ୍କ ବାମ ଗୋଡ଼ର ଆଙ୍କେଲରେ ଗଭୀର ଆଘାତ ଲାଗିଛି। ଏହାବାଦ ପାଦ, ଆଣ୍ଠୁପାଖ ଅଞ୍ଚଳ, ଡାହାଣ କାନ୍ଧ ଓ ବେକରେ ମଧ୍ୟ ମାଡ଼ ହୋଇଛି। ଘଟଣା ପରଠାରୁ ମୁଖ୍ୟମନ୍ତ୍ରୀ ଛାତିରେ ଯନ୍ତ୍ରଣା ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା କହୁଛନ୍ତି। ଆସନ୍ତା ୪୮ ଘଣ୍ଟା ଯାଏ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଅନୁଧ୍ୟାନ କରିବ ବୋଲି ଏସଏସକେଏମ ହସ୍ପିଟାଲର ଡାକ୍ତର ଏ ବନ୍ଦୋପାଧ୍ୟାୟ କହିଛନ୍ତି।
ହସ୍ପିଟାଲରେ ପହଞ୍ଚିବା ପରେ ମମତାଙ୍କର ଏକାଧିକ ପରୀକ୍ଷା କରାଯାଇଥିଲା। ତାଙ୍କର ନ୍ୟୁରୋଲଜିକାଲ ପରୀକ୍ଷା ଓ ବାମ ଗୋଡ଼ର ଏକ୍ସ-ରେ ବି କରାଯାଇଥିଲା। ବିଳମ୍ବିତ ରାତିରେ ଏମଆରଆଇ ପାଇଁ ତାଙ୍କୁ ବାନଗୁର ଇନଷ୍ଟିଚ୍ୟୁଟ ଅଫ ନ୍ୟୁରୋସାଇନ୍ସକୁ ନିଆଯାଇଥିଲା।
ଅନ୍ୟପକ୍ଷରେ ମମତା ଆଣିଥିବା ହମ୍ଲାର ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ନିର୍ବାଚନ କମିଶନ। ମମତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମିଳିଥିଲେ ହେଁ କେମିତି ଘଟଣା ଘଟିଲା ବୋଲି ନିର୍ବାଚନ କମିଶନ ବେଙ୍ଗଲ ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି। ଶୁକ୍ରବାର ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି।
ସୂଚନେଯୋଗ୍ୟ, ମାର୍ଚ୍ଚ ୨୭ରୁ ବେଙ୍ଗଲ ବିଧାନସଭା ପାଇଁ ଭୋଟିଂ ଆରମ୍ଭ ହେବ। ଏହା ଏପ୍ରିଲ ୨୯ ଯାଏ ଚାଳିବ। ୮ଟି ପର୍ଯ୍ୟାୟରେ ମତଦାନ ହେବା ପରେ ମେ’ ୨ ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
The post ଆସିଲା ମମତାଙ୍କ ମେଡିକାଲ ଟେଷ୍ଟ ରିପୋର୍ଟ, ଶରୀରର କେଉଁ ସବୁ ସ୍ଥାନରେ ଲାଗିଛି ଆଘାତ appeared first on Odisha Reporter.
from Odisha Reporter https://ift.tt/3cqP0XU
No comments:
Post a Comment