ବାଲିଗୁଡ଼ା(ଅଜିତ ନାୟକ): ଦାଦନ ଖଟିବାକୁ ଯାଇ ହୋଇଗଲେ ଫିଲ୍ମ ଅଭିନେତା । ଏଭଳି ସୁଯୋଗ ପାଇଛନ୍ତି କନ୍ଧମାଳର ପୁଅ ରାଜକୁମାର ନାୟକ । ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ଅଭିନୟ ଦୁନିଆରେ ପାଦ ଥାପିଛନ୍ତି ରାଜକୁମାର। ଗୋଟିଏ କି ଦୁଇଟି ନୁହେଁ ଛଅଟି ମାଲାୟାଲମ ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ଠାରୁ ପ୍ରଂଶସା ମଧ୍ୟ ସାଉଁଟୁଛନ୍ତି ସେ । ଏହି ସଫଳତା ପାଇବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ରାଜକୁମାରଙ୍କ ଘର କନ୍ଧମାଳ ଜିଲ୍ଲା ବେଲଘରରେ । ହେଲେ ତାଙ୍କ ପରିଚୟ ଏବେ ମାଲାୟାଲମ ଫିଲ୍ମର ଅଭିନେତା । ମାଲାୟାଲମ ଫିଲ୍ମ ଷ୍ଟାରଙ୍କ ସହ ମିଶି ଅଭିନୟରେ ମାହିର ହୋଇଗଲେଣି ରାଜକୁମାର।
ଏମିତି କି ଏକାଧିକ ଫିଲ୍ମରେ ମଧ୍ୟ ଅଭିନୟ କରିସାରିଲେଣି । ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିର ନାମୀଦାମୀ ଅଭିନେତା ଓ ଫିଲ୍ମ ନିର୍ଦ୍ଦେଶକଙ୍କ ସହ କାମ ମଧ୍ୟ କରିସାରିଲେଣି । ତାଙ୍କ ଅଭିନୀତ ହିଟ୍ ଫିଲ୍ମ ମଧ୍ୟରେ ରହିଛି ଜାଲିକାଟୁ ଓ ସ୍ୱଦନ୍ତ୍ରା ଅର୍ଦ୍ଦରାତ୍ରୀ । କନ୍ଧମାଳ ଭଳି ପଛୁଆ ଜିଲ୍ଲାର ପୁଅ ରାଜକୁମାର ନାୟକଙ୍କ ଏହି ସଫଳତା ପାଇବା ପଛରେ ଦାଦନର ଏକ ଦୁଃଖଭରା କାହାଣୀ ରହିଛି । ଗରିବ ଅଭାବ ଅନାଟନ ମଧ୍ୟରେ ଥିବା ରାଜକୁମାର ୨୦୧୨ ମସିହାରେ ତୁମୁଡିବନ୍ଧ କଲେଜରେ ଯୁକ୍ତ୨ରେ ଆଡମିଶନ୍ ନେଇଥିଲେ। ହେଲେ ଆର୍ଥିକ ପରିସ୍ଥିତି ଖରାପ ଯୋଗୁଁ ସେ ଅଧାରୁ ପାଠ ଛାଡି କେରଳକୁ ଦାଦନ ଖଟିବାକୁ ଚାଲିଗଲେ । ସେଠାରେ ଏକ ହୋଟେଲରେ କାମ କରିବା ସହ ଜିମରେ ବଡି ବିଲ୍ଡିଂରେ ଜଏନ୍ କଲେ । ଏହାରି ଭିତରେ ମାଲାୟାଲମ ଫିଲ୍ମ ଦୁନିଆରେ ପାଦ ରଖିବାକୁ ସୁଯୋଗ ମିଳିଥିଲା । ନିଜର ଚେଷ୍ଟା ଓ ପରିଶ୍ରମ ବଳରେ ସେ ଏବେ ମାଲାୟାଲମ ଫିଲ୍ମରେ ଗୋଟିଏ ପରେ ଗୋଟିଏ ସଫଳତା ପାହାଚ ଅତିକ୍ରମ ଚାଲୁଛନ୍ତି। ତାଙ୍କ ଅଭିନୟକୁ ମାଲାୟାଲମ ଫିଲ୍ମର ପ୍ରସିଦ୍ଧ ନିର୍ଦ୍ଦେଶକ ମଧ୍ୟ ଭୂୟସୀ ପ୍ରଂଶସା କରିଛନ୍ତି । ଅନ୍ୟପଟେ ପୁଅ ରାଜକୁମାରର ଏଭଳି ସଫଳତାକୁ ନେଇ ପରିବାର ଲୋକଙ୍କ ସମେତ ଗାଁ ଲୋକେ ବେଶ ଖୁସି।
ଛୋଟ ପିଲାରୁ ନେଇ ବଡ ଲୋକ ଯାଏ ସଭିଁଏ ଖୁସିରେ ନାଚୁଛନ୍ତି । ଅକ୍ଲାନ୍ତ ପରିଶ୍ରମ ଓ ସାଧନା ଯୋଗୁ ସେ ମାଲାୟାଲମ ଫିଲ୍ମରେ ଅଭିନୟର ସୁଯୋଗ ପାଇଥିବାରୁ ଗାଁ ଲୋକଙ୍କ ପାଇଁ ଗର୍ବ ଆଣିଥିବା ତାଙ୍କ ବାପା ମାଆ କହିଛନ୍ତି । ଏହା ସହ ରାଜକୁମାର କନ୍ଧମାଳ ଜିଲ୍ଲାର ଓଡିଆ ପୁଅ । ଆଗାମୀ ଦିନରେ ସେ କେମିତି ଓଡିଆ ଫିଲ୍ମରେ ଅଭିନୟ କରିବେ ସେ ନେଇ ପରିବାର ଲୋକେ ଆଶା ବାନ୍ଧିଛନ୍ତି । ତାଙ୍କ ମା ମଧ୍ୟ ପୁଅର ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଗୋଟି ଗରିବ ଘରର ପିଲା ଏତେବାଟ ଯାଇପାରିଥିବାରୁ ଆମେ ଆନନନ୍ଦିତ ବୋଲି ସେ କହିଛନ୍ତି।
The post ଦାଦନ ଖଟିବାକୁ ଯାଇ ସାଉଥ୍ ହିରୋ ହୋଇଗଲେ କନ୍ଧମାଳ ପୁଅ, କ’ଣ ଥିଲା ଟର୍ଣ୍ଣିଂ ପଏଣ୍ଟ ଜାଣନ୍ତୁ appeared first on Odisha Reporter.
from Odisha Reporter https://ift.tt/3rUxmSR
No comments:
Post a Comment