ୱାଶିଂଟନ: ମହାମାରୀ କରୋନାକୁ ମାତ ଦେବା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଟିକାକରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ପ୍ରଥମ ଭାଗରେ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟକର୍ମୀ, ବହୁବିଧ ରୋଗରେ ପୀଡ଼ିତ ଓ ସମ୍ବେଦନଶୀଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଟିକା ଦିଆଯାଉଛି। ଯୁବଗୋଷ୍ଠୀ ଓ ଉପରୋକ୍ତ ବର୍ଗରେ ନଥିବା ଲୋକମାନେ ଟିକା ନେବାକୁ ଚାହୁଁଥିଲେ ହେଁ ଲାଗୁ ହୋଇଥିବା କଟକଣା ଯୋଗୁ ଏହା ସମ୍ଭବ ହୋଇପାରୁନାହିଁ।
କିନ୍ତୁ ଟିକା ନେବାକୁ ଧାର୍ଯ୍ୟ ନିୟମ ବା ବର୍ଗକୁ ମେ’ ମାସରୁ ହଟାଇ ଦିଆଯିବ ବୋଲି ଆମେରିକା ପ୍ରଶାସନ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ରାଷ୍ଟ୍ରପତି ଜୋ ବାଇଡେନ ଖୁବଶୀଘ୍ର ସବୁ ରାଜ୍ୟର ମୁଖ୍ୟମାନଙ୍କୁ ଜଣାଇ ଦେବେ। ଏହାର ଅର୍ଥ ମେ’ ୧ରୁ ଯେକୌଣସି ବର୍ଗର ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ କରୋନାର ରକ୍ଷାକବଚ କୁହାଯାଉଥିବା ଟିକା ନେଇପାରିବେ।
ଆମେରିକା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, ମେ’ ୧ ପରଠାରୁ ପ୍ରତିଟି ଆମେରିକୀୟ ଟିକା ନେବାକୁ ବିବେଚିତ ହେବେ। ସେଯାଏ ଯୋଗ୍ୟ ବର୍ଗରେ ଥିବା ଲୋକଙ୍କୁ ଟିକା ଦିଆଯିବ। ତେବେ ମେ’ ତାରିଖ ସୁଦ୍ଧା ଯେ ଆମେରିକାର ସବୁ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ନେଇସାରିଥିବେ ବୋଲି କହିବା ଭୁଲ ହେବ।
ମେ’ ୧ ପରେ ବି ସେମାନଙ୍କର ଟିକାକରଣ ପ୍ରକ୍ରିୟା ଜାରି ରହିବ। ମେ’ ମାସ ସୁଦ୍ଧା ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ରହିଥିବ। ତେଣୁ ସବୁ ଆମେରିକୀୟ ଟିକା ନେବାକୁ ଯୋଗ୍ୟ ବିବେଚିତ ହେବେ। ଟିକା ନେବା ପରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡ଼ିବ ଓ ସାମାଜିକ ଦୂରତାର କଟକଣା ମାନିବାକୁ ପଡ଼ିବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।
ସୂଚନାଯୋଗ୍ୟ, ଆମେରିକା ମହାମାରୀ କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୫ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ପୂର୍ବରୁ ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପ କରୋନାକୁ ସାମାନ୍ୟ ରୋଗ ବୋଲି କହିବା ସହ ମାସ୍କ ପିନ୍ଧିବାକୁ ଆଦୌ ଗୁରୁତ୍ୱ ଦେଉ ନଥିଲେ। ହେଲେ ଜାନୁଆରୀ ୨୦ରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଜୋ ବାଇଡେନ କରୋନା ପାଇଁ ସମସ୍ତଙ୍କୁ ବାରମ୍ବାର ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏପରି କି ସେ ସମସ୍ତଙ୍କୁ ଅତିକମରେ ୧୦୦ ଦିନ ପାଇଁ ମାସ୍କ ପିନ୍ଧିବାକୁ କହିଛନ୍ତି।
The post ମେ’ ୧ରୁ ଟିକା ନେବା ପାଇଁ ରହିବନି କୌଣସି କଟକଣା appeared first on Odisha Reporter.
from Odisha Reporter https://ift.tt/3rHw514
No comments:
Post a Comment