ବାଲିଗୁଡ଼ା(ଅଜିତ କୁମାର ନାୟକ): ହୋମଗାର୍ଡ ଦିଲୀପ ପାତ୍ର ଏବେ ମିଷ୍ଟର କନ୍ଧମାଳ। ପୁଲିସ୍ ଚାକିରୀର ବ୍ୟସ୍ତବହୁଳ ସିଡ୍ୟୁଲ୍ ଭିତରେ ବି ନିଜ ପାଇଁ ଝାଳ ବୁହାଇବାକୁ ସମୟ ବାହାର କରି ହାସଲ କରିଛନ୍ତି ସଫଳତା। ଏପରିକି ସୁନ୍ଦର ସ୍ୱାସ୍ଥ୍ୟ ରେସ୍ରେ ସମସ୍ତଙ୍କୁ ପଛରେ ପକାଇ ମିଷ୍ଟର କନ୍ଧମାଳ ଟାଇଟଲ୍ ହାସଲ କରିଥିବା ଦିଲୀପ ଭବିଷ୍ୟତରେ ମିଷ୍ଟର ଓଡିଶା ଟାଇଟଲ ହାସଲ କରିବାକୁ ନଜର ରଖିଛନ୍ତି। ।
ଦିଲୀପ ଏବେ ବାଲିଗୁଡା ଥାନାରେ ହୋମାଗାର୍ଡ଼ ଭାବେ କାର୍ଯ୍ୟରତ ଅଛନ୍ତି। ନିଜ ସଫଳତାରେ ବେଶ୍ ଖୁସି ଥିବା ଦିଲୀପ କହିଛନ୍ତି, “ପୁଲିସ୍ ଚାକିରି ଯୋଗୁ ପ୍ରତିଦିନ ୮ ଘଣ୍ଟା ଖଟିବାକୁ ପଡ଼ିଥାଏ। ଏହାପରେ ବି ନିଜ ପାଇଁ ୪ ଘଣ୍ଟା ସମୟ ବାହାର କରି ବାଲିଗୁଡ଼ାସ୍ଥିତ ମହାବୀର ଜିମ୍ରେ ୱାର୍କ ଆଉଟ୍ କରିଥାଏ।” ପ୍ରତିକୂଳ ପରିସ୍ଥିତି ସହ କଠିନ ପରିଶ୍ରମ ଯୋଗୁ ଏହି ସଫଳତା ପାଇପାରିଥିବା ଦିଲୀପ କିନ୍ତୁ ଆଗକୁ ରାଜ୍ୟ ସ୍ତରରେ ସଫଳତା ସାଉଣ୍ଟିବାକୁ ନଜର ରଖିଛନ୍ତି।
କନ୍ଧମାଳ ଜିଲ୍ଲା ବଡି ବିଲ୍ଡିଙ୍ଗ୍ ଏବଂ ୱେଟ ଲିଫ୍ଟି ସଂଘ ତରଫରୁ ଆୟୋଜିତ ଆନ୍ତଃରାଜ୍ୟ ପ୍ରତିଯୋଗିତାରେ ଭାଗ ନେଇ ଏଭଳି ସଫଳତା ପାଇଛନ୍ତି ଦିଲ୍ଲୀପ । ଏଭଳି ସଫଳତା ପାଇଥିବା ଦିଲୀପଙ୍କୁ ନେଇ ଏବେ କେବଳ ପୁଲିସ୍ ବିଭାଗ ନୁହେଁ ସାରା ଜିଲାରେ ତାଙ୍କୁ ନେଇ ଚର୍ଚ୍ଚା।
ପୁଅର ସଫଳତାରେ ବେଶ୍ ଖୁସି ଥିବା ତାଙ୍କ ବାପା ଗଣେଶ ଚନ୍ଦ୍ର ପାତ୍ର କହିଛନ୍ତି, ପୁଅ କେବେ ବି ନିଜ ଡ୍ୟୁଟିରେ ଅବହେଳା କରେ ନାହିଁ। ତା’ ପରେ ଘରକୁ ଫେରି ଯେତେ କଷ୍ଟ ହେଲେ ବି ଜିମ୍ ଯାଏ।
ଏନେଇ ବାଲିଗୁଡ଼ା ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି, ଦିଲୀପ ନିଜେ ବହୁତ ପରିଶ୍ରମୀ। ନିଜ ଡ୍ୟୁଟି କରିବା ସହ ବଡିବିଲଡିଂ କରି ସେ ବେଶ୍ ସୁନାମ ସାଉଁଣ୍ଟିଛି।
ଦିଲୀପଙ୍କ ଜିମ୍ ଟ୍ରେନର ଶଶାଙ୍କ କୁମାର ପତି କହିଛନ୍ତି, ଦିଲୀପ ବାଲିଗୁଡ଼ାରୁ ଯାଇ ମିଷ୍ଟର କନ୍ଧମାଳ ହୋଇପାରିଛି। ସେ ଭବିଷ୍ୟତରେ ଆହୁରି ନାଁ କରିପାରିବ ବୋଲି ଆଶା ଅଛି।
ପୁଲିସ୍ ବିଭାଗର ବ୍ୟସ୍ତବହୁଳ ଚାକିରୀ ଭିତରେ ନିଜ ପାଇଁ ସ୍ୱଳ୍ପ ସମୟ ପାଇଥାନ୍ତି ଦିଲୀପ। ଏଥିସହ ତାଙ୍କ ନିକଟରେ ତାଙ୍କ ଦିବ୍ୟାଙ୍ଗ ବାପା ଥିବା ବେଳେ ମା’ ଗାଁରେ ରୁହନ୍ତି। ତେଣୁ ବାପାଙ୍କ କଥା ମଧ୍ୟ ବୁଝାବୁଝି କରିଥାନ୍ତି ଦିଲ୍ଲୀପ। ଏହାପରେ ଟିକିଏ ଫୁରସତ ପାଇଲେ ବାଲିଗୁଡାର ମହାବୀର ଜିମକୁ ଯାଇ ବେଶ ଝାଳ ବୁହାନ୍ତି । ତାଙ୍କର ଏହି ସଫଳତାକୁ ନେଇ କନ୍ଧମାଳ ପୁଲିସ୍ ବେଶ ଗର୍ବିତ । ଦିଲୀପ ଆଗକୁ ଆହୁରି ସଫଳତା ସାଉଁଣ୍ଟିବେ ବୋଲି ତାଙ୍କ ଟ୍ରେନର ମଧ୍ୟ ବେଶ ଆଶାବାଦୀ।
The post ହୋମଗାର୍ଡ଼ ହେଲେ ମିଷ୍ଟର କନ୍ଧମାଳ; ସଫଳତା ପାଇଁ ବେଶ୍ ଝାଳ ବୁହାଇଲେ appeared first on Odisha Reporter.
from Odisha Reporter https://ift.tt/3t5HrfI
No comments:
Post a Comment