ଲଣ୍ଡନ: ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକାକୁ ନେଇ ବିତର୍କ ଚାଲିଥିବା ବେଳେ ଏହାର ପ୍ରଥମ ଡୋଜ୍ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନେଇଛନ୍ତି। ଆଷ୍ଟ୍ରାଜେନେକା ଟିକା ନେଲେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା।
ଏଥିପାଇଁ ଏକାଧିକ ୟୁରୋପୀୟ ରାଷ୍ଟ୍ର ଏହାର ବ୍ୟବହାର ଉପରେ କିଛି ଦିନ ରୋକ ଲଗାଇଥିଲେ। ତେବେ ୟୁରୋପିଆନ ମେଡିସିନ ରେଗୁଲେଟର ଅକ୍ସଫୋର୍ଡ ଟିକାକୁ ସୁରକ୍ଷିତ ବୋଲି କହିବା ପରେ ବିଭିନ୍ନ ରାଷ୍ଟ୍ର ପୁଣି ଟିକାକରଣ ଆରମ୍ଭ କରିବେ ବୋଲି କହିଛନ୍ତି।
ପୂର୍ବରୁ ହିଁ ବ୍ରିଟେନ ଅକ୍ସଫୋର୍ଡ ଟିକାକୁ ସୁରକ୍ଷିତ ବୋଲି କହି ସାରିଥିଲା। ଏବେ ଏହାକୁ ପ୍ରମାଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ଟିକା ନେବା ପରେ ସେ ଲୋକଙ୍କୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ କହିଛନ୍ତି। ସେହିପରି ଟିକା ନେଇ କୌଣସି ପ୍ରକାରର ଅସୁସ୍ଥତା ଅନୁଭବ କରୁ ନଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।
ବର୍ଷକ ତଳେ ଜନସନ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଯେଉଁ ହସ୍ପିଟାଲର ଆଇସିୟୁରେ ରଖାଯାଇଥିଲା ଓ ଟ୍ୟୁବ ଦ୍ୱାରା ନାକ ବାଟେ ଅମ୍ଳଜାନ ଦିଆଯାଇଥିଲା, ସେହି ହସ୍ପିଟାଲରେ ଜଣେ ନର୍ସ ତାଙ୍କୁ ଟିକାର ପ୍ରଥମ ଡୋଜ୍ ଦେଇଛନ୍ତି। ମୁହଁରେ କଳା ମାସ୍କ ଓ ଶାର୍ଟ ପିନ୍ଧି ଜନସନ ଟିକା ନେଉଥିବା ଫଟୋ ସାମ୍ନାକୁ ଆସିଛି।
ଲଣ୍ଡନରେ ଥିବା ସେଣ୍ଟ ଥୋମାସ ହସ୍ପିଟାଲରେ ଟିକା ନେବା ପରେ ସେ କହିଛନ୍ତି, “ସତ କହିବାକୁ ଗଲେ, ଟିକା ନେବା ପରେ ମୁଁ କୌଣସି ପ୍ରକାରର ଅସହଜ ମନେ କରୁନାହିଁ। ଏହା ଅତ୍ୟନ୍ତ ଭଲ ଓ ବହୁତ ଶୀଘ୍ର ହୋଇଯାଉଛି। ଟିକା ପାଇଁ ଯୋଗ୍ୟ ବିବେଚିତ ହେବା କ୍ଷଣି ଲୋକମାନେ ଏହାର ଡୋଜ୍ ନିଅନ୍ତୁ। ଏହା ସମସ୍ତଙ୍କ ପାଇଁ ଗୋଟିଏ ଭଲ ଜିନିଷ। ପରିବାର ଓ ସମାଜ ପାଇଁ ମଧ୍ୟ ଏହା ଶୁଭଙ୍କର ସାବ୍ୟସ୍ତ ହେବ।”
ଶୁକ୍ରବାର ଟିକାକରଣରେ ବ୍ରିଟେନ ରେକର୍ଡ କରିଛି। ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇ ଶୁକ୍ରବାର ରେକର୍ଡ ସଂଖ୍ୟକ ଲୋକଙ୍କୁ ଏହାର ଡୋଜ ପ୍ରଦାନ କରାଯାଇଛି।
The post ଅକ୍ସଫୋର୍ଡ ଟିକା ନେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/39gsAYD
No comments:
Post a Comment