ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଆଜି ବିସିସିଆଇ ଆଜି ୧୮ ଜଣିଆ ଟିମ୍ ଇଣ୍ଡିଆର ସ୍କ୍ୱାଡ ଘୋଷଣା କରିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୨୩ ତାରିଖରୁ ୩ଟିକିଆ ଦିନିକିଆ ସିରିଜ୍ ଆରମ୍ଭ ହେବ। ଟି-୨୦ ସିରିଜ୍ରେ ଏଯାଏ ଗୋଟିଏ ଥର ବ୍ୟାଟିଂ କରିଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ପ୍ରଥମଥର ପାଇଁ ଦିନିକିଆ ସ୍କ୍ୱାଡରେ ସାମିଲ କରାଯାଇଛି। ଗତକାଲି ସେ ଇଂଲଣ୍ଡ ବିପକ୍ଷ ୪ର୍ଥ ଟି-୨୦ରେ ୫୭ ରନ୍ର ଇନିଂସ୍ ଖେଳି ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ।
ଦ୍ୱିତୀୟ ଟି-୨୦ରେ ସେ ଭାରତ ପାଇଁ ଡେବ୍ୟୁ କରିଥିଲେ ହେଁ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ। ଗତକାଲି ସେ ପ୍ରଥମଥର ଅନ୍ତର୍ଜାତୀୟ ଫର୍ମାଟରେ ବ୍ୟାଟିଂ କରିବାର ସୁଯୋଗ ପାଇ ନିଜର ଜଲୱା ଦେଖାଇଥିଲେ। ସେହିପରି ନୂଆ ମୁହଁ ଭାବେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ମଧ୍ୟ ୧୮ ଜଣିଆ ସ୍କ୍ୱାଡରେ ସ୍ଥାନ ମିଳିଛି। ଆଇପିଏଲରେ କୋଲକାତା ପକ୍ଷରୁ ଖେଳୁଥିବା ପ୍ରସିଦ୍ଧ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଜାତୀୟ ଟିମ୍ରେ ସୁଯୋଗ ମିଳିଛି।
ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଆହତ ହୋଇଥିବା ରବୀନ୍ଦ୍ର ଜାଡେଜା ଫିଟ୍ ହୋଇ ନଥିବାରୁ ତାଙ୍କୁ ଦିନିକିଆ ସିରିଜରେ ମଧ୍ୟ ବିଶ୍ରାମ ଦିଆଯାଇଛି। ଆହତ ପରେ ତାଙ୍କୁ ବୁଢ଼ା ଅଙ୍ଗୁଳିର ଅପରେସନ ହୋଇଥିଲା। ଏହାପରେ ସେ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ସଂପୂର୍ଣ୍ଣ ଫିଟ ହୋଇ ନଥବାରୁ ତାଙ୍କୁ ବିସିସିଆଇ ଟେଷ୍ଟ ଓ ଟି-୨୦ ଭଳି ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ବାଦ ଦେଇଛି।
ଦ୍ରୁତ ବୋଲର ମହମ୍ମଦ ଶାମି ମଧ୍ୟ ସ୍କ୍ୱାଡରେ ନାହାନ୍ତି। ସେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଆହତ ହୋଇଥିଲେ। ତାଙ୍କ ରିଷ୍ଟରେ ବଲ ମାଡ଼ ହୋଇଥିଲେ। ସେ ଏଯାଏ ସୁସ୍ଥ ହୋଇ ନାହାନ୍ତି। ନିକଟରେ ବିବାହ କରିଥିବା ଯଶପ୍ରୀତ ବୁମ୍ରାଙ୍କୁ ଏହି ସିରିଜ୍ରେ ବିଶ୍ରାମ ଦିଆଯାଇଛି।
ଅନ୍ୟପକ୍ଷରେ ଭୁବନେଶ୍ୱର କୁମାର ଓ କୃନାଲ ପାଣ୍ଡ୍ୟା ଦିନିକିଆକୁ ଫେରିଛନ୍ତି। ଆହତ ଯୋଗୁ ଭୁବନେଶ୍ୱର କୁମାର ଦୀର୍ଘ ଦିନ ହେଲା ଟିମ୍ ଇଣ୍ଡିଆରୁ ବାହାରେ ଥିଲେ। କିନ୍ତୁ ଇଂଲଣ୍ଡ ବିପକ୍ଷ ଟି-୨୦ ଜରିଆରେ ସେ ଅନ୍ତର୍ଜାତୀୟ ଫର୍ମାଟକୁ ଫେରିଥିଲେ।
ଟିମ୍ ଇଣ୍ଡିଆ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧୱନ, ଶୁବମନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, କେଏଲ ରାହୁଲ, ୟୁଜଭେନ୍ଦର ଚହଲ, କୁଲଦୀପ ଯାଦବ, କୃନାଲ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଟି ନଟରାଜନ, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଲ ଠାକୁର।
TEAM – Virat Kohli (Capt), Rohit Sharma (vc), Shikhar Dhawan, Shubman Gill, Shreyas, Suryakumar Yadav, Hardik Pandya, Rishabh Pant (wk), KL Rahul (wk), Y Chahal, Kuldeep Yadav, Krunal Pandya, W Sundar, T Natarajan, Bhuvneshwar Kumar, Md. Siraj, Prasidh Krishna, Shardul Thakur.
— BCCI (@BCCI) March 19, 2021
ଟିମ ଇଣ୍ଡିଆ ଶେଷଥର ପାଇଁ ୨୦୨୦ ଜାନୁଆରୀ ୧୯ରେ ଘରୋଇ ମାଟିରେ ଦିନିକିଆ ସିରିଜ୍ ଖେଳିଥିଲା। ସେବେଠାରୁ କରୋନା ଯୋଗୁ ଭାରତରେ କୌଣସି ଦିନିକିଆ ସିରିଜ ହୋଇ ନଥିଲା। ଏବେ ୨୩ରୁ ପୁଣେରେ ଦିନିକିଆ ସିରିଜ୍ ଆରମ୍ଭ ହେବ। ପ୍ରଥମ ଦିନିକିଆ ୨୩ରେ ହେବାକୁ ଥିବା ବେଳେ ଦ୍ୱିତୀୟ ଦିନିକିଆ ୨୬ରେ ଓ ତୃତୀୟ ଦିନିକିଆ ୨୮ ତାରିଖରେ ଖେଳାଯିବ।
The post ଇଂଲଣ୍ଡ ବିପକ୍ଷ ଦିନିକିଆ ପାଇଁ ଘୋଷଣା ହେଲା ଦଳ, କାହାକୁ ମିଳିଲା ସୁଯୋଗ appeared first on Odisha Reporter.
from Odisha Reporter https://ift.tt/30TMmo6
No comments:
Post a Comment