କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଲୋକହସା ହୋଇଛି ବିଜେପି। ଦଳରେ ମିଶି ନଥିବା ଦୁଇ ଜଣ ନେତାଙ୍କୁ ବିଜେପି ପକ୍ଷରୁ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦିଆଯାଇଥିଲା। ଟିକେଟ ପାଇବା ପରେ ସେମାନେ ଦଳରେ ମିଶିବେ ବୋଲି ବିଜେପି ଆଶା କରିଥିଲା।
ହେଲେ ସେମାନେ ଖୋଲାଖୋଲି ଭାବେ ବିଜେପି ଦେଇଥିବା ଟିକେଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ଘଟଣାକୁ ନେଇ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ବିଜେପି କର୍ମୀମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସେହିପରି ବେଙ୍ଗଲ ରାଜନୀତି ମଧ୍ୟ ସରଗରମ ହୋଇ ଉଠିଛି।
ବେଙ୍ଗଲର ପୂର୍ବତନ କଂଗ୍ରେସ ମୁଖ୍ୟ ସୋମେନ ମିତ୍ରଙ୍କ ପତ୍ନୀ ଶିଖାଙ୍କୁ ବିଜେପି ନିଜ ଦଳରେ ସାମିଲ କରିବାକୁ ଚାହୁଁଥିଲା। ଏଥିପାଇଁ କିଛି ସପ୍ତାହ ତଳେ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ଶୁଭେନ୍ଦୁ ଅଧିକାରୀ ତାଙ୍କ ସହ କଥା ହୋଇଥିଲେ ବୋଲି କୁହାଯାଉଛି। ତେବେ ଏହି ସମୟରେ ଶିଖା ବିଜେପିରେ ମିଶିବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ।
ତଥାପି ବିଜେପି ପକ୍ଷରୁ ନିର୍ବାଚନ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ରହିଥିଲା। ଶିଖାଙ୍କୁ କୋଲକାତାର କୋୱରିଙ୍ଘୀ ନିର୍ବାଚନରେ ଲଢ଼ିବାକୁ ଦଳ ଟିକେଟ ଦେଇଥିଲା। ହେଲେ ଏହାକୁ ସେ ଖୋଲାଖୋଲି ଭାବେ ଅଗ୍ରାହ୍ୟ କରିଦେଇଛନ୍ତି। ଏହାପରେ ସେ ଗଣମାଧ୍ୟମ ଆଗରେ ବିଜେପି ଉପରେ ବର୍ଷିଛନ୍ତି।
ସେ କହିଛନ୍ତି, “କିଛି ସପ୍ତାହ ତଳେ ଶୁଭେନ୍ଦୁ ଅଧିକାରୀ ମୋତେ ସାକ୍ଷାତ କରିଥିଲେ। ଏହି ସମୟରେ ସେ ମୋତେ ବିଜେପିରେ ମିଶିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ମୁଁ ପ୍ରତ୍ୟାଖ୍ୟାନ କରିଥିଲେ। ବିଜେପି ମୋତେ ପ୍ରାର୍ଥୀ କରିଛି ବୋଲି ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି। ସେମାନେ ଆମ ଠାରୁ ସଂପୂର୍ଣ୍ଣ ଭିନ୍ନ। ଏପରି ସ୍ଥିତିରେ ମୁଁ କେମିତି ବିଜେପିର ମିଶିବି? ମୁଁ ଦଳରେ ମିଶିବାକୁ ମନା କରିଥିଲେ ହେଁ ସେମାନେ ମୋତେ ପ୍ରାର୍ଥୀ କରି କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି? ମୋତେ ଲାଗୁଛି ବିଜେପି ନେତାମାନଙ୍କର ମୁଣ୍ଡ ଆଉ କାମ କରୁନି ବୋଧେ।”
ଶିଖାଙ୍କ ବ୍ୟତୀତ ବିଜେପି ବେଙ୍ଗଲରେ କ୍ଷମତାସୀନ ଟିଏମସି ବିଧାୟକ ମାଲା ଶାହଙ୍କ ସ୍ୱାମୀ ତରୁଣଙ୍କୁ ମଧ୍ୟ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିଥିଲା। ସେ ବିଜେପିର ମିଶି ନଥିଲେ ମଧ୍ୟ ତାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ହେଲେ ସେ ବିଜେପି ଟିକେଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଏବେ ବି ତାଙ୍କ ଦଳ ଟିଏମସି ସହ ରହିଥିବା କହିଛନ୍ତି।
The post ଟିକେଟ ଦେଇଥିଲା ବିଜେପି, କିନ୍ତୁ ଦଳରେ ମିଶିବାକୁ ମନାକଲେ appeared first on Odisha Reporter.
from Odisha Reporter https://ift.tt/3s1aVLP
No comments:
Post a Comment