କେନ୍ଦ୍ରାପଡା/ଭଞ୍ଜନଗର (ଓଡ଼ିଶା ରିପୋର୍ଟର) ଏବେ ମହିଳାଙ୍କୁ ଆଉ କାହା ଉପରେ ନିର୍ଭର କରିବାକୁ ପଡୁନି କାରଣ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇ ପାରୁଛନ୍ତି। କିଏ ଟେଲରିଂ କରି ନିଜ ପରିବାର ଚଳାଇବା ସହ ପରିବାର ପାଇଁ ରୋଜଗାରର ମାଧ୍ୟମ ହେଉଛି ତ ଆଉ କିଏ ଘରେ ବସି ବିଭିନ୍ନ ସାମଗ୍ରୀ ତିଆରି କରି ରୋଜଗାର କରୁଛି। ଆଜି ମହିଳା ଦିବସରେ ଆସନ୍ତୁ ଜାଣିବା ଏମିତି କିଛି ମହିଳାଙ୍କ ବିଷୟରେ ଯେଉଁମାନେ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ଦେଶ ବିଦେଶକୁ ଯାଉଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର ସଂଖ୍ୟାଲଘୁ ମହିଳାଙ୍କ ହାତ ତିଆରି ଜିନିଷ। ଡେରାବିଶ ବ୍ଲକ ଗୋଲହାଟରେ ଏହି ସଂଖ୍ୟାଲଘୁ ମହିଳାମାନେ ୨୦୧୭ରେ ଚାନ୍ଦୁଆ ତିଆରି ଟ୍ରେନିଂ ନେଇ ବିକ୍ରି କରୁଥିଲେ, ହେଲେ ଭୋକ ମେଣ୍ଟୁନଥିଲା। ତେବେ ୨୦୧୯ରେ ମିଶନ ଶକ୍ତି ପକ୍ଷରୁ ସେମାନଙ୍କୁ ମେସିନ୍, କଞ୍ଚାମାଲ ଓ ଟଙ୍କା ଋଣ ଆକାରରେ ଦିଆଯାଇଥିଲା ଏଥିସହ ଏମ୍ବ୍ରଡରି ଶାଢୀ, ବେଡ୍ସିଟ୍, ଖଦି ରୁମାଲ, ଟସର ସାଲ୍, ଉଇଣ୍ଡୋ ସ୍କ୍ରିନ୍, ସ୍କୁଲ ବ୍ୟାଗ୍ ପ୍ରଭୃତି ତିଆରି ପାଇଁ ପ୍ରଶିକ୍ଷଣ ଦିଆଗଲା। ଏସବୁ ଶିକ୍ଷା ଲାଭ କରିବା ପରେ ଏବେ ଏହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ସେମାନଙ୍କର ହାତ ତିଆରି ସାମଗ୍ରୀ ଏବେ ରାଜସ୍ଥାନ, ଦିଲ୍ଲୀ, ଗୁଜରାଟ, କେରଳ ଭଳି ବିଭିନ୍ନ ରାଜ୍ୟକୁ ଯାଉଛି। ଫଳରେ ସେଠାରେ କାମ କରୁଥିବା ୫୦ ଜଣ ମହିଳା ଟଙ୍କା ରୋଜଗାର କରି ପରିବାର ଚଳାଇ ପାରୁଛନ୍ତି ।
ସେହିପରି ଅନ୍ୟ ଜଣେ ମହିଳା ହେଉଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଗୀତାଞ୍ଜଳି ତ୍ରିପାଠୀ। ଯିଏ ଦିନେ ୫୦ ଟଙ୍କା ସଂଗ୍ରହ କରି ରୋଜଗାର କରିବାର ସ୍ୱପ୍ନ ଦେଖିଥିଲେ, ଆଜି ସିଏ ମାସକୁ ୧୫ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ଗୀତାଞ୍ଜଳି ୨୦୧୬ ମସିହାରେ ଘରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ କିଛି କାମ କରିବାକୁ ମନ ବଳାଇଥିଲେ। ୫୦ ଟଙ୍କା ସଂଗ୍ରହ କରି ପୁରୁଣା ଖବର କାଗଜ କିଣିବାକୁ ଘର ଘର ବୁଲିଥିଲେ। ଜଣେ ସହୃଦୟ ବ୍ୟକ୍ତି ଘରେ ରଖିଥିବା ୫୦ କିଲୋ ଓଜନର ପୁରୁଣା ଖବର କାଗଜ ମାଗଣାରେ ଗୀତାଞ୍ଜଳିଙ୍କୁ ଦେଇଥିଲେ। ସେଥିରେ ଘରେ ବସି ଠୁଙ୍ଗା ତିଆରି କରି ବଜାରରେ ବିକିବା ଆରମ୍ଭ କରିଥିଲେ ଗୀତାଞ୍ଜଳି। ଏବେ ସେ ମାସକୁ ୧୫ ହଜାରରୁ ଅଧିକ ଟଙ୍କା ରୋଜଗାର କରିବା ସହ ସ୍ଥାନୀୟ ମହିଳାମାନଙ୍କୁ ବଡ଼ି, ଆଚାର, ପାମ୍ପଡ଼, ଠୁଙ୍ଗା, କପଡା ବ୍ୟାଗ ଇତ୍ୟାଦି ତିଆରି କରିବାର ତାଲିମ ମଧ୍ୟ ଦେଉଛନ୍ତି ଏବଂ ସେମାନଙ୍କ ପାଇଁ ରୋଜଗାରର ରାସ୍ତା ବାହାର କରିପାରିଛନ୍ତି ।
କିଛି କରିବାର ଇଚ୍ଛା ରଖି ସାହସର ସହ ଆଗକୁ ଆସୁଥିବା ଏଭଳି ମହିଳାଅମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ, ଆଗାମୀ ଦିନରେ ଅଧିକରୁ ଅଧିକ ମହିଳା ଉପକୃତ ହୋଇପାରିବେ ବୋଲି ସାଧାରଣରେ ଦାବି ହୋଇଛି।
The post ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାରକ୍ଷମ କରାଉଛନ୍ତି ମହିଳା appeared first on Odisha Reporter.
from Odisha Reporter https://ift.tt/3qlXi85
No comments:
Post a Comment