ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି। ଏପରି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ଅନ୍ୟପକ୍ଷରେ ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ସବୁଦିନ ଟିକାକରଣ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି- “ଗତ ୨ ମାସ ଭିତରେ ସାରା ଦେଶରେ ସଂକ୍ରମଣ କିଛି ପରିମାଣରେ ବଢ଼ିଛି। ୨୪ ଘଣ୍ଟାରେ ୨୪ ହଜାରରୁ ଅଧିକ କେସ୍ ସାରା ଦେଶରୁ ବାହାରିଛି। ଏହା ଦ୍ୱିତୀୟ ଲହରି କି ନୁହେଁ କହିହେବ ନାହିଁ। ଏବେ ଲୋକେ ଟିକେ ଢିଲା ହୋଇଛନ୍ତି। ତେଣୁ ରାଜ୍ୟରେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। କୌଣସି ଜାଗାରେ ବଢ଼ୁଛି କି ନାହିଁ କଣ୍ଟାକ୍ଟ ଟ୍ରେସିଂ କରି ଦେଖାଯିବ।”
କରୋନା ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି- “ପ୍ରତିଦିନ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଲାଗି ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଖରା ବଢୁଥିବାରୁ ଟିକାଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇଛି। ଏବେ ରାଜ୍ୟର ୭୦୦ଟି କେନ୍ଦ୍ରରେ ଟିକାଦାନ କରାଯାଉଛି। ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକାଦାନ ଟାର୍ଗେଟ୍ ପାଖାପାଖି ପହଞ୍ଚି ଯାଇଛି। ୯୧% ସ୍ୱାସ୍ଥ୍ୟ କର୍ମୀ ଓ ୮୦% ସମ୍ମୁଖ ଯୋଦ୍ଧା ଟିକା ନେଇ ସାରିଲେଣି। ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ସବୁଦିନ ଟିକା ଦିଆଯିବ।”
କେତେ ନୂଆ ଚିହ୍ନଟ ହେଲେ?
୧୪ ମାର୍ଚ୍ଚର କୋଭିଡ୍ ରିପୋର୍ଟ ଆଜି ଆସିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ରିପୋର୍ଟ ଅନୁସାରେ ରାଜ୍ୟରୁ ୬୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୩୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୭ଟି ହେଉଛି ଲୋକାଲ୍ କେସ୍।
୧୩ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ ସର୍ବାଧିକ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ରୁ ମାତ୍ର ୨ ଜଣ ଚିହ୍ନଟ ହୋଇଛନ୍ତି।
ଓଡ଼ିଶାରେ କରୋନା ସ୍ଥିତି ଦେଖିଲେ ନିୟନ୍ତ୍ରଣରେ ଥିଲା ପରି ଲାଗୁଛି। ଏବେ ଓଡ଼ିଶାରେ ଆକ୍ଟିଭ୍ କେସ୍ ୬୨୭ ରହିଛି। ଆଜି ସୁଦ୍ଧା ରାଜ୍ୟରେ ୩,୩୮,୨୫୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩,୩୫,୬୬୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୧୯୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୨୭ ଜଣ ବିଭିନ୍ନ ଚିକିତ୍ସିତ ହେଉଛନ୍ତି।
The post ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି: ନିରଞ୍ଜନ ମିଶ୍ର appeared first on Odisha Reporter.
from Odisha Reporter https://ift.tt/3eyOHwK
No comments:
Post a Comment