ମୁମ୍ବାଇ: ମହାମାରୀ କରୋନା ଭାଇରସର ଦ୍ୱିତୀୟ ଲହର ଯୋଗୁ ଏବେ ମହାରାଷ୍ଟ୍ରରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବା ସହ ଗତ ୨୪ ଘଣ୍ଟାରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ୪୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବାରୁ ଏବେ ପୂରା ରାଜ୍ୟରେ ଲକଡାଉନ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମସ୍ତ ସରକାରୀ ଅଧିକାରୀ ପ୍ରସ୍ତୁତ ରହିବାକୁ କହିଛନ୍ତି। ଲୋକମାନେ କରୋନା ପାଇଁ ଜାରି କଟକଣାକୁ ମାନୁ ନଥିବାରୁ ସରକାର ଲକଡାଉନ ଲାଗୁ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି।
ସଂକ୍ରମଣ ବଢ଼ୁଥିବାରୁ ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ବସିଥିଲା। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ, ମୁଖ୍ୟ ଶାସନ ସଚିବ ସୀତାରାମ କୁଣ୍ଟେ, କୋଭିଡ ଟାକ୍ସଫୋର୍ସର ଡାକ୍ତର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ବରିଷ୍ଠ ଅଧିକାରୀ ଓ ଟାକ୍ସଫୋର୍ସର ଡାକ୍ତରମାନେ ବର୍ଦ୍ଧିତ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଆକ୍ରାନ୍ତଙ୍କ ସଂଖ୍ୟା ନିୟମିତ ବଢ଼ୁଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଉପମୁହାଁ ହେବାର ଆଶଙ୍କା ଥିବା ସେମାନେ କହିଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଜନିତ ସମସ୍ୟା ଦେଖାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଠାକେର ଆଶଙ୍କା ପ୍ରକାଶ କରିଛନ୍ତି। ସରକାରୀ ଅଫିସ ଓ ସଚିବାଳୟକୁ ଯେମିତି ସାଧାରଣ ଲୋକ ନ ଆସିବେ, ତା’ର ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।
ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ଲୋକମାନଙ୍କୁ କରୋନା କଟକଣା ପାଳନ କରିବାକୁ ବାରମ୍ବାର କୁହାଯାଉଛି। ତଥାପି ଅନେକ ଲୋକ ଏହାକୁ ଉଲ୍ଲଙ୍ଘନ କରୁଛନ୍ତି। ଫଳରେ ସରକାର ବାଧ୍ୟ ହୋଇ ଲକଡାଉନ ଲାଗୁ କରିବା ଦିଗରେ ଯାଉଛନ୍ତି। ଲକଡାଉନ ପାଇଁ ସମସ୍ତ ପ୍ରକାରର ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।
ସେହିପରି ରବିବାର ଠାରୁ ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଛି। ସନ୍ଧ୍ୟା ୮ଟାରୁ ସକାଳ ୭ଟା ଯାଏ ଏହା ଲାଗୁ ହେବ ନାଇଟ କର୍ଫ୍ୟୁ ବେଳେ ସମସ୍ତ ସର୍ବସାଧାରଣ ସ୍ଥାନ ସକାଳ ୭ଟା ଯାଏ ବନ୍ଦ ରହିବ। ହୋମ ଡେଲିଭରୀ ଓ ଅନ୍ୟାନ୍ୟ ଜରୁରୀ ସେବା କିନ୍ତୁ ଚାଲୁ ରହିବ।
ବର୍ତ୍ତମାନ ରାଜ୍ୟରେ ମୋଟ ୩.୭୫ ଲକ୍ଷ ଆଇସୋଲେସନ ବେଡ୍ ରହିଛି। ଏହା ମଧ୍ୟରୁ ୧.୦୭ ଲକ୍ଷ ବେଡ୍ରେ ଆକ୍ରାନ୍ତ ଆଡମିଟ ହୋଇସାରିଲେଣି। ଅନ୍ୟ ବେଡ୍ଗୁଡ଼ିକ କ୍ରମାଗତ ଭାବେ ଭର୍ତ୍ତି ହେବାରେ ଲାଗିଛି। ସେହିପରି ୬୦,୩୪୯ଟି ଅମ୍ଳଜାନ ବ୍ୟବସ୍ଥା ଥିବା ବେଡ୍ ମଧ୍ୟରୁ ୧୨,୭୦୧ଟିରେ ରୋଗୀ ରହିଛନ୍ତି। ଯଦି ସ୍ଥିତି ଏଭଳି ଲାଗି ରହିଲା, ତା’ହେଲେ ଆଗକୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।
The post ଉତ୍କଟ ହେଉଛି କରୋନା ସ୍ଥିତି: ଲକଡାଉନ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ appeared first on Odisha Reporter.
from Odisha Reporter https://ift.tt/3syC1dh
No comments:
Post a Comment