କୋଲକାତା: ବିଭିନ୍ନ ଚିଟଫଣ୍ଡ ଦୁର୍ନୀତି ଘଟଣାରେ ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ମନ୍ତ୍ରୀ ଏବଂ ନେତାମାନଙ୍କୁ ସମନ କରିବାରେ ଲାଗିଛି। କିଛି ଦିନ ତଳେ ଆଇ କୋର ଚିଟଫଣ୍ଡ ଘଟଣାରେ ସିବିଆଇ ଟିଏମସିର ରାଜ୍ୟସଭା ସାଂସଦ ମାନସ ଭୂୟାଁଙ୍କୁ ସମନ କରିଥିଲା।
ଏବେ ଏହି ଘଟଣାରେ ପଶ୍ଚିମବଙ୍ଗ ଶିକ୍ଷା ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା ପାର୍ଥ ଚାଟାର୍ଜୀଙ୍କୁ ହାଜର ପାଇଁ ନୋଟିସ କରାଯାଇଛି। ଆଇକୋର୍ ଗ୍ରୁପ୍ ଅଫ୍ କମ୍ପାନୀ ସହ ପାର୍ଥଙ୍କ ସମ୍ପର୍କ ଥିଲା ବୋଲି ସିବିଆଇ ଦାବି କରିଛି। ଏଥିପାଇଁ ତାଙ୍କୁ ଆସନ୍ତା ୧୫ ତାରିଖ ଦିନ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଶାରଦା ଚିଟ୍ଫଣ୍ଡ ଦୁର୍ନୀତି ଘଟଣାରେ ଟିଏମସି ନେତା ମଦନ ମିତ୍ରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାଜର ହେବାକୁ ସମନ କରିଛି। ତେବେ ସିବିଆଇ ଓ ଇଡିର ଏପରି ସମନକୁ ଟିଏମସି ଜୋରଦାର ବିରୋଧ କରିଛି। ନିର୍ବାଚନ ପୂର୍ବରୁ ଦଳର ଛବିକୁ ଖରାପ କରିବା ପାଇଁ ବିଜେପି ନେତୃତ୍ୱାଧୀନ ସରକାର କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସକୁ ବ୍ୟବହାର କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।
ଚାଟାର୍ଜୀଙ୍କୁ ସିବିଆଇ ସମନ କରି ଆସନ୍ତା ୧୫ ତାରିଖ ଦିନ ସିଜିଓ ଅଫିସରେ ହାଜର ହେବାକୁ କହିଛି। ୨୦୧୧ ଅଗଷ୍ଟରେ ଆଇକୋର ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଚାଟାର୍ଜ ଯୋଗଦେଇଥିଲେ। ଏଠାରେ ସେ ସାଂସଦ ମାନସ ଭୂୟାଁଙ୍କ ସହ ଷ୍ଟେଜ ଶେୟାର କରିଥିଲେ। ସେତେବେଳେ ଶିଳ୍ପମନ୍ତ୍ରୀ ଥିବା ଚାଟାର୍ଜୀ ଆଇକୋରର ପ୍ରଶଂସା କରିବା ସହ ଲୋକଙ୍କୁ ଏହାପ୍ରତି ଆକୃଷ୍ଟ କରିଥିଲେ।
ଭୂୟାଁ ସେତେବେଳେ ଜଳସେଚନ ମନ୍ତ୍ରୀ ଥିଲେ। ସେ ବି କମ୍ପାନୀର ପ୍ରଶଂସା କରି ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଥିଲେ। ଏବେ ତଦନ୍ତକାରୀ ସଂସ୍ଥା ଆଇକୋର କମ୍ପାନୀ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କାହିଁକି ଦୁଇ ମନ୍ତ୍ରୀ ଉପସ୍ଥିତ ଥିଲେ ଓ ଏହା ପଛରେ କିଛି ଡିଲ୍ ହୋଇଥିଲା କି ନାହିଁ, ସେକଥା ଜାଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି।
ଲୋକଙ୍କୁ ଅଧିକ ସୁଧର ଲୋଭ ଦେଖାଇ ଆଇକୋର କମ୍ପାନୀ ଜମାକାରୀଙ୍କଠାରୁ ପ୍ରାୟ ୩,୦୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ୨୦୧୪ରେ ପ୍ରଥମଥର ମାମଲା ରୁଜୁ କରି ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ଘଟଣାର ତଦନ୍ତ କରି ସିବିଆଇ ୨୦୧୭ ମସିହାରେ କମ୍ପାନୀର ନିର୍ଦ୍ଦେଶକ ଅନୁକୂଳ ମାଇତି ଓ ତାଙ୍କ ପତ୍ନୀ କନିକାଙ୍କୁ ଗିରଫ କରିଥିଲା।
The post ଚିଟଫଣ୍ଡ ଦୁର୍ନୀତି: ଟିଏମସି ନେତାମାନଙ୍କୁ ସିବିଆଇ ଓ ଇଡିର ଘନଘନ ସମନ appeared first on Odisha Reporter.
from Odisha Reporter https://ift.tt/3t72ZZw
No comments:
Post a Comment