କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ଏହାପୂର୍ବରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏବେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ୩୦ଟି ଆସନରୁ ପ୍ରାର୍ଥୀ ହୋଇଥିବା କିଛି ବିଧାୟକଙ୍କ ସମ୍ପତ୍ତିର ତଥ୍ୟ ସାମ୍ନାକୁ ଆସିଛି।
ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଟିଏମସିର ଜଣେ ବିଧାୟକଙ୍କ ସମ୍ପତ୍ତି ୫ ବର୍ଷରେ ପ୍ରାୟ ୧୯୮୫ ଗୁଣ ବୃଦ୍ଧି ପାଇଛି। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଟିଏମସିର ବିଧାୟକ ତଥା ପୁଣି ଦଳରୁ ପ୍ରାର୍ଥୀ ହୋଇଥିବା ଜ୍ୟୋତ୍ସ୍ନା ମଣ୍ଡି ଦାଖଲ କରିଥିବା ସତ୍ୟପାଠକୁ ଦେଖିଲେ, ତାଙ୍କ ସମ୍ପତ୍ତି ୫ ବର୍ଷ ମଧ୍ୟରେ ୧୯୮୫.୬୮% ବୃଦ୍ଧି ପାଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଜ୍ୟୋତ୍ସ୍ନା ଟିଏମସି ଟିକେଟରୁ ବଙ୍କୁର ଜିଲ୍ଲା ରାଣୀବନ୍ଧ ଆସନରୁ ପ୍ରାର୍ଥୀ ହୋଇଛନ୍ତି।
୨୦୧୬ରେ ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ପାଖରେ ୧,୯୬,୬୩୩ ଟଙ୍କାର ସମ୍ପତ୍ତି ଥିବା ସୂଚନା ଦେଇଥିଲେ। ୨୦୨୧ ସତ୍ୟପାଠରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୪୧,୦୧,୧୪୪ ରହିଛି। ଏହାର ଅର୍ଥ ୫ ବର୍ଷରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୩୯,୦୪,୫୧୧ ଟଙ୍କା ବଢ଼ିଛି।
କେବଳ ଜ୍ୟୋତ୍ସ୍ନାଙ୍କର ନୁହେଁ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ିବାକୁ ଥିବା ଅନେକ ପ୍ରାର୍ଥୀଙ୍କ ସମ୍ପତ୍ତିରେ ଆଖି ଖସିଗଲା ଭଳି ବୃଦ୍ଧି ଘଟିଛି। ୨୦୧୬ରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ି ପୁରୁଲିଆରୁ ବିଜୟୀ ହୋଇଥିବା ସୁଦୀପ କୁମାର ମୁଖାର୍ଜୀ ଏଥର ବିଜେପିରେ ମିଶିଛନ୍ତି।
ବିଜେପି ମଧ୍ୟ ତାଙ୍କୁ ପ୍ରାର୍ଥୀ କରିଛି। ୫ ବର୍ଷ ବିଧାୟକ ରହିବା ଭିତରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୨୮୮.୮୬% ବୃଦ୍ଧି ଘଟିଛି। ୫ ବର୍ଷ ତଳେ ତାଙ୍କ ପାଖରେ ୧୧,୫୭,୯୪୫ ଟଙ୍କାର ସମ୍ପତ୍ତି ଥିବା ସେ ସତ୍ୟପାଠ ଜରିଆରେ କହିଥିଲେ। ହେଲେ ଏବେ ତାଙ୍କ ସମ୍ପତ୍ତିର ମୂଲ୍ୟ ୪୫,୦୨,୭୮୨ ଟଙ୍କା ହୋଇଯାଇଛି। କେଶିୟାରି ବିଧାନସଭାର କାର୍ଯ୍ୟରତ ଟିଏମସି ବିଧାୟକ ପରେଶ ମୁର୍ମୁଙ୍କ ସମ୍ପତ୍ତି ୨୪୬.୩୪% ବଢ଼ିଛି। ୨୦୧୬ରେ ତାଙ୍କ ପାଖରେ ୧୧,୫୭,୯୨୬ ଟଙ୍କାର ସମ୍ପତ୍ତି ରହିଥିଲା। ଏବେ ତାଙ୍କ ପାଖରେ ୪୦,୧୦,୩୨୯ ଟଙ୍କାର ସମ୍ପତ୍ତି ରହିଛି।
ଅନ୍ୟପକ୍ଷରେ ଏକାଧିକ ବିଧାୟକଙ୍କ ସମ୍ପତ୍ତି ମଧ୍ୟ ୨୦୧୬ ତୁଳନାରେ ହ୍ରାସ ପାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଟିଏମସିର ଜୟନଗର ବିଧାୟକ ବିଶ୍ୱନାଥ ଦାସ। ୨୦୧୬ ନିର୍ବାଚନରେ ତାଙ୍କ ପାଖରେ ୪୬,୮୫,୫୨୩ ଟଙ୍କାର ସମ୍ପତ୍ତି ଥିବା ସେ ସତ୍ୟପାଠ ଜରିଆରେ ଦର୍ଶାଇଥିଲେ। ହେଲେ ଏହାର ପରିମାଣ ୧୪,୪୧,୨୦୦ ଟଙ୍କାକୁ ଖସି ଆସିଛି। ଅର୍ଥାତ ବିଶ୍ୱନାଥଙ୍କ ସମ୍ପତ୍ତିରେ ୬୯.୨୭% ହ୍ରାସ ଘଟିଛି।
ସେହିପରି ଟିଏମସି ବିଧାୟକ ସନ୍ଧ୍ୟାରାଣୀ ଟୁଡୁଙ୍କ ସମ୍ପତ୍ତିରେ ୬୦.୨୦% ହ୍ରାସ ଘଟିଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ୨୯୪ଟି ବିଧାନସଭା ଆସନ ପାଇଁ ୮ଟି ପର୍ଯ୍ୟାୟରେ ଭୋଟିଂ ହେବ। ମାର୍ଚ୍ଚ ୨୭ରୁ ଆରମ୍ଭ ହୋଇ ଏହି ପ୍ରକ୍ରିୟା ଏପ୍ରିଲ ୨୯ ଯାଏ ଚାଲିବ।
The post ୫ ବର୍ଷରେ ଏହି ବିଧାୟକଙ୍କ ସମ୍ପତ୍ତି ୧୯୮୫ ଗୁଣ ବଢ଼ିଛି appeared first on Odisha Reporter.
from Odisha Reporter https://ift.tt/30ZTShb
No comments:
Post a Comment