ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ସହ ଏହାକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ଜିଲ୍ଲାସ୍ତରରେ ପୁଞ୍ଜିନିବେଶ ପ୍ରୋତ୍ସାହନ ସଂସ୍ଥା (ଡିଷ୍ଟ୍ରିଟ୍ ଇନଭେଷ୍ଟମେଣ୍ଟ ପ୍ରୋମୋସନ ଏଜେନ୍ସୀ ବା ଦୀପା) ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ଏଜେନ୍ସି ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ।
ଏହା ଇପିକଲର ଏକ ସମ୍ପ୍ରସାରିତ ୟୁନିଟ୍ ଭଳି ଜିଲ୍ଲାସ୍ତରରେ କାର୍ଯ୍ୟ କରିବ। ଏହା ସମସ୍ତ ଜିଲ୍ଲାରେ ୨୦୨୧ ଏପ୍ରିଲରୁ ଡିସେମ୍ବର ମାସ ମଧ୍ୟରେ ପ୍ରତିଷ୍ଠା ହେବ। ଏହା ଜିଲ୍ଲାଗୁଡ଼ିକରେ ବୃହତ୍ ଶିଳ୍ପ ସଂସ୍ଥା ସମେତ ଏମଏସଏମଇ ଉଦ୍ୟୋଗ ସୃଷ୍ଟି ଦିଗରେ ଏକ ପାରଦର୍ଶୀ ଭୂମିକା ଗ୍ରହଣ କରିବ। ଏହି ପଦକ୍ଷେପ ବ୍ୟବସାୟିକ ପରିବେଶ ସୃଷ୍ଟି ସହିତ ସ୍ଥାନୀୟ ଅଂଚଳରେ ନିଯୁକ୍ତି ସୃଷ୍ଟି ଦିଗରେ ଆଖିଦୃଶିଆ ପ୍ରୋତ୍ସାହନ ହୋଇପାରିବ। ଜିଲ୍ଲା ପୁଞ୍ଜିନିବେଶ ପ୍ରୋତ୍ସାହନ ସଂସ୍ଥାର କାର୍ଯ୍ୟଧାରାକୁ ରାଜ୍ୟସ୍ତରରେ ଥିବା ସିଙ୍ଗଲୱିଣ୍ଡୋ କର୍ତ୍ତୃପକ୍ଷ ତଦାରଖ କରିବେ ଓ ନିବେଶକଙ୍କ ମତାମତକୁ ନେଇ ଜିଲ୍ଲାଗୁଡ଼ିକର ମୂଲ୍ୟାଙ୍କନ କରାଯାଇ ର୍ୟାଙ୍କ ପ୍ରଦାନ କରାଯିବ।
ଏହି ଏଜେନ୍ସୀ(ଦୀପା)ର ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ କାର୍ଯ୍ୟ କରିବେ। ଏଥିରେ ଜିଲ୍ଲା ଏସପି, ବନଖଣ୍ଡ ଅଧିକାରୀ ଓ ଅନ୍ୟାନ୍ୟ ଲାଇନ ଡିପାଟମେଣ୍ଟର ଅଧିକାରୀ ଭଳି ବରିଷ୍ଠ ଅଧିକାରୀମାନଙ୍କୁ ଗଠନ କରାଯିବ। ଜିଲ୍ଲାରେ ପୁଞ୍ଜିନିବେଶ ପାଇଁ ସୁଯୋଗ ସୃଷ୍ଟି କରିବା, ପ୍ରକଳ୍ପ ତଦାରଖ ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ଭଳି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିବାକୁ ଏକ ବୃତ୍ତିଗତ ଦଳ ରହିବେ। ନିବେଶକାରୀଙ୍କ ସମସ୍ୟାର ତ୍ୱରିତ୍ ସମାଧାନ ସୁନିଶ୍ଚିତ କରିବା, ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସକାଶେ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିବା, ସଡ଼କ ଯୋଗାଯୋଗ, ବିଦ୍ୟୁତ ସେବା ଯୋଗାଣ ଓ ଜଳଯୋଗାଣ ପରି କାର୍ଯ୍ୟ କରିବ ଯାହା ଶିଳ୍ପାୟନ ଓ ଆର୍ଥିକ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ। ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନର ଭୂମିକା ଶିଳ୍ପ ଅଭିବୃଦ୍ଧି ଓ ଭିତ୍ତିଭୂମିର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
The post ପୁଞ୍ଜିନିବେଶକଙ୍କ ପାଇଁ ସବୁ ଜିଲ୍ଲାରେ ଖୋଲିବ ‘ଦୀପା’ appeared first on Odisha Reporter.
from Odisha Reporter https://ift.tt/3eyX23F
No comments:
Post a Comment