କରଞ୍ଜିଆ(ଦୀପକ ମହନ୍ତ): “ବହୁ ଜୋରରେ ବର୍ଷା ହେଉ। ସବୁ ନିଆଁ ଲିଭିଯାଉ। ମୁଁ ବହୁତ ଖୁସି। ଲିଭିଗଲା ନିଆଁ। ” ଏପରି କହି ଖୁସିରେ ଆତ୍ମହରା ହୋଇ ଗତକାଲି ଜଙ୍ଗଲରେ ନାଚି ଉଠିଲେ ଭାବେ ମହିଳା ଫରେଷ୍ଟର୍ ସ୍ନେହା ଧଳ। ଦୀର୍ଘ ୧୫ଦିନରୁ ଊର୍ଦ୍ଧ୍ୱ ସମୟ ଧରି ଜଳୁଛି ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ। ଏହି ନିଆଁ ଲିଭାଇବାକୁ ଶହ ଶହ ବନ କର୍ମଚାରୀଙ୍କ ସମେତ ଫରେଷ୍ଟର୍ ସ୍ନେହା ଧଳ ମଧ୍ୟ ନିୟୋଜିତ ଅଛନ୍ତି। ନିଆଁ ଲିଭାଇବାକୁ ଦିନରାତି ଏକ କରିଦେଇଥିବା ସ୍ନେହା ଗତକାଲି ବର୍ଷା ପରେ ଖୁସିରେ ଗଦଗଦ ହୋଇ ନାଚି ଉଠିଲେ।
ସୂଚନାଯୋଗ୍ୟ, ନିଆଁର ଆଁରେ ଛାରଖାର ହୋଇଗଲାଣି ଚିର ସବୁଜ ଶିମିଳିପାଳ। ଏଥିରେ ଅଭୟାରଣ୍ୟ ପାଖ ଜୀବଜନ୍ତୁ, ମଣିଷ ସମସ୍ତେ ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ବେଳେ ଇନ୍ଦ୍ର ଦେବତାଙ୍କ କୃପାରୁ ଗତକାଲି ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ଗତକାଲି ଅପରାହ୍ନ ପ୍ରାୟ ଅଢ଼େଇଟାରୁ ୩ଟଶ୧୫ ମିନିଟ୍ ପର୍ଯ୍ୟନ୍ତ ଝିପିଝିପି ବର୍ଷା ହୋଇଥିଲା। ଶିମିଳିପାଳ ନିଆଁ ନିୟନ୍ତ୍ରଣ ଦିଗରେ ଏହା ବଡ଼ ଆଶା ସୃଷ୍ଟି କରିଛି ।
ବର୍ଷା ହେବାରୁ ସେଠାରେ ନିଆଁ ଲିଭାଇବା ପାଇଁ ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଥିବା ବନ କର୍ମଚାରୀ କେତେ ଖୁସି, ତାର ଝଲକ ଦେଖିବାକୁ ମିଳିଛି ଏଇ ଭାଇରାଲ୍ ଭିଡିଓରେ । ଶିମିଳିପାଳ ଅଭୟାରଣ୍ୟର କିଛି ଅଞ୍ଚଳରେ ବର୍ଷା ହେବା ପରେ ଖୁସିରେ ଆତ୍ମ ବିଭୋର ହୋଇଯାଇଥିଲେ ମହିଳା ଫରେଷ୍ଟର୍ ସ୍ନେହା ଧଳ । ବର୍ଷା ହେବା ପରେ ନିଆଁ, ଧୂଆଁ ଓ ଅସହ୍ୟ ତାତିକୁ ଖାତିର ନକରି ବ୍ଲୋଅର୍ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଥିବା ଏହି ମହିଳା ବନ କର୍ମଚାରୀଙ୍କ ଖୁସିର ଠିକଣା ନାହିଁ।
ସୂଚନାଯୋଗ୍ୟ, ରାଜ୍ୟରେ ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଓଡ଼ିଶା ଆସିବ କେନ୍ଦ୍ରୀୟ ଏକ୍ସପର୍ଟ ଟିମ୍। ରାଜ୍ୟ ବିଜେପି ସାଂସଦଙ୍କୁ ଭେଟିବା ପରେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ଆଜି ଏହି ଟିମ୍ ଓଡ଼ିଶା ଆସିବା ସମ୍ଭାବନା ରହିଛି। କେନ୍ଦ୍ରୀୟ ଟିମ୍ ଜଙ୍ଗଲ ନିଆଁ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ସହ ନିଆଁ ଆୟତ୍ତ ସମ୍ପର୍କରେ ଗୁରୁତ୍ୱ ଦେବେ।
ସେପଟେ ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡ ପରେ ଅତିରିକ୍ତ ଜଙ୍ଗଲ ବିଭାଗର ଅତିରିକ୍ତ ଶାସନ ସଚିବ ମୋନା ଶର୍ମା ବାରିପଦାରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଜଙ୍ଗଲରେ ନିଆଁ କିପରି ଲାଗିଲା ଓ ଏହାକୁ ନେଇ ନିୟନ୍ତ୍ରଣ ବ୍ୟବସ୍ଥା କ’ଣ ହୋଇଛି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆଜି ମୋନା ଶର୍ମା ଶିମିଳିପାଳର ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳ ଯାଇ ସେଠାରେ ସ୍ଥିତି ପରଖିବା କାର୍ଯ୍ୟକ୍ରମ ରହିଛି ।
The post ‘ବହୁ ଜୋରରେ ବର୍ଷା ହେଉ, ସବୁ ନିଆଁ ଲିଭିଯାଉ’ appeared first on Odisha Reporter.
from Odisha Reporter https://ift.tt/3t7NY9J
No comments:
Post a Comment