ନୂଆଦିଲ୍ଲୀ: ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ କମିଶନଙ୍କ ସ୍ୱାଧୀନତାରେ କେବେ ହେଲେ ବୁଝାମଣା କରାଯାଇପାରିବ ନାହିଁ। ନିର୍ବାଚନ କମିଶନ ସବୁବେଳେ ନିରପେକ୍ଷ ରହିବା ଉଚିତ ବୋଲି ଆଜି ସୁପ୍ରିମକୋର୍ଟ ଗୋଟିଏ ମାମଲାର ଶୁଣାଣି କରିବା ବେଳେ କହିଛନ୍ତି। ଏଥିସହ ରାଜ୍ୟ ନିର୍ବାଚନ କମିଶନର ଅତିରିକ୍ତ ଚାର୍ଜ ଜଣେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଦେବା ଭାରତୀୟ ସମ୍ବିଧାନକୁ ଉପହାସ କରିବା ସହ ସମାନ ବୋଲି ମଧ୍ୟ କୋର୍ଟ କହିଛନ୍ତି।
ଶୁକ୍ରବାର ସୁପ୍ରିମକୋର୍ଟ ଗୋଆ ନିର୍ବାଚନ କମିଶନଙ୍କୁ ପଞ୍ଚାୟତ ନିର୍ବାଚନ ପାଇଁ ୧୦ ଦିନ ଭିତରେ ବିଜ୍ଞପ୍ତି ଓ ଏପ୍ରିଲ ୩୦ ସୁଦ୍ଧା ପୂରା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଆରଏଫ ନରିମନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି, ନିର୍ବାଚନ କମିଶନର ଯିଏ ହେବେ, ସେ ସବୁବେଳେ ନିରପେକ୍ଷ ରହିବା ଦରକାର। ସେହିପରି କୌଣସି ରାଜ୍ୟ ସରକାରୀ ପଦପଦବୀରେ ରହିଥିବା ବ୍ୟକ୍ତିଙ୍କୁ ନିର୍ବାଚନ କମିଶନ ଭାବେ ଅତିରିକ୍ତ ଦାୟିତ୍ୱ ଦେଇପାରିବେ ନାହିଁ।
ପରିତାପର ବିଷୟ ହେଉଛି ଯେ ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଗୋଆରେ ନିର୍ବାଚନ କମିଶନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସରକାରରେ ରହି କାର୍ଯ୍ୟ କରୁଥିବା ଅଧିକାରୀ ଜଣଙ୍କ କ୍ଷମତା ପାଇବା ପରେ ହାଇକୋର୍ଟଙ୍କ ରାୟକୁ ବଦଳାଇବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି। ହାଇକୋର୍ଟ କହିବା ସତ୍ତ୍ୱେ ସେ ଗୋଆରେ ପଞ୍ଚାୟତ ନିର୍ବାଚନ ବନ୍ଦ କରିବାକୁ ଚେଷ୍ଟା କରିବା ଦୁଃଖର ବିଷୟ ବୋଲି ଜଷ୍ଟିସ ନରିମନ କହିଛନ୍ତି।
ଅନ୍ୟପକ୍ଷରେ ଗୋଆର ମାରଗୋ, ମୋରମୁଗାଓ, ମାପୁସା, ସଙ୍ଗଉମେ ଓ ବ୍ୟୁପେମ୍ରେ ନିର୍ବାଚନ ବନ୍ଦ କରିବାକୁ ନଗର ଉନ୍ନୟନ ବିଭାଗ ଜାରି କରିଥିବା ବିଜ୍ଞପ୍ତିକୁ ହାଇକୋର୍ଟ ମାର୍ଚ୍ଚ ୧ରେ ରଦ୍ଦ କରିଦେଇଥିଲେ। ତେବେ ଏହା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି।
The post ନିର୍ବାଚନ କମିଶନ ନିରପେକ୍ଷ ରହିବା ଦରକାର ବୋଲି କହିଲେ ସୁପ୍ରିମକୋର୍ଟ appeared first on Odisha Reporter.
from Odisha Reporter https://ift.tt/3bEtwau
No comments:
Post a Comment