ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ କଡ଼ ଲେଉଟାଇଲାଣି କରୋନା। ଉପରମୁହାଁ ହେଲାଣି ମହାମାରୀ ଗ୍ରାଫ୍। ଏଥର ନୂଆ ଷ୍ଟ୍ରେନ ସହ ମାରାତ୍ମକ ରୂପରେ ଆସୁଛି ଏହି ସଂକ୍ରମଣ। ନୂଆ ଷ୍ଟ୍ରେନ ଯୋଗୁଁ ମଣିଷଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଉଛି । ପୂର୍ବ ଅପେକ୍ଷା ଅଧିକ ଭୟାନକ ଏହି ନୂଆ ଷ୍ଟ୍ରେନ । ଏହାର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ନୂଆ ଗାଇଡଲାଇନ୍ । ଏଥିରୁ ରକ୍ଷା ପାଇବାକୁ ହେଲେ ଅଧିକ ସତର୍କ ରହିବା ସହ ସଚେତନ ହେବା ଆବଶ୍ୟକ ରହିଛି ବୋଲି ସୂଚାଇ ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ପୂର୍ବ ଷ୍ଟ୍ରେନ୍ ଯୋଗୁ ଦେଖାଯାଉଥିବା ଲକ୍ଷଣଠାରୁ ନୂଆ ଷ୍ଟ୍ରେନରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଉଛି । ଦେହ ହାତ ଅବଶ ଲାଗିବା, ଭୋକ ନ ହେବା, ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳାବିନ୍ଧା ହେବା, ତରଳ ଝାଡ଼ା ଦିନକୁ ୪ରୁ ୫ ଥର ହେବା, ଗଳା ଦରଜ, ନାକ ଚୁଣ୍ଟି ହେବା ଭଳି ଲକ୍ଷଣ ଦେଖାଦେଉଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୂଆ ଷ୍ଟ୍ରେନର ଭୂତାଣୁ ଅଧିକ ସଂକ୍ରମକ ଓ ଶୁଖିଲା ବସ୍ତୁ ଉପରେ ପ୍ରାୟ ୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରୁଛି । ପୂର୍ବ ଅପେକ୍ଷା ଏହା ଅଧିକ ସହଜରେ ଶରୀରରେ ପ୍ରବେଶ କରିପାରୁଛି ।
ବର୍ଷେ ଧରି ଲକଡାଉନ, ଶଟଡାଉନ୍ରେ ରହି ଜୀବନଯାତ୍ରା ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାବେଳେ ନୂଆ ଷ୍ଟ୍ରେନ ବଡ଼ ବିପଦ ଆଣି ଦେଇଛି । ଏଣୁ ପୂର୍ବଭଳି ଲକଡାଉନ, ସଟଡାଉନ ପରିସ୍ଥିତି ଯେପରି ପୁଣି ଥରେ ସୃଷ୍ଟି ନ ହୁଏ, ସେଥିଲାଗି ସମସ୍ତେ ସତର୍କ ରହିବା ଜରୁରୀ ବୋଲି କୁହାଯାଇଛି । ଏଥିରୁ ରକ୍ଷା ପାଇବା ଲାଗି ନିର୍ଦ୍ଧାରିତ ସାରଣୀରେ କରୋନା ଟିକା ନେବାକୁ ପରାମର୍ଶ ଦିଆଯାଇଛି ।
ଏହାବ୍ୟତୀତ ଅତ୍ୟଧିକ ଗହଳି, ଜନସମାଗମଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ହେବ । ସ୍କୁଲ, କଲେଜ, ମନ୍ଦିର ଓ ବଜାରରେ କୋଭିଡ୍ ନିୟମ ଯେପରି ଭଙ୍ଗ ନ ହୁଏ, ସେଥିପ୍ରତି କଡ଼ା ନଜର ଦେବାକୁ ପଡ଼ିବ। ବାହାର ରାଜ୍ୟରୁ ଫେରୁଥିବା ବ୍ୟକ୍ତି ୭ ଦିନ ପୃଥକବାସରେ ରହିବାକୁ ପରାମର୍ଶ ଦିଆଯାଇଛି । ସନ୍ଦିଗ୍ଧ ବ୍ୟକ୍ତି ତୁରନ୍ତ କୋଭିଡ୍ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି।
The post ଅଧିକ ଭୟାନକ କରୋନାର ନୂଆ ଷ୍ଟ୍ରେନ, ଜାଣନ୍ତୁ କ’ଣ ରହିଛି ଲକ୍ଷଣ appeared first on Odisha Reporter.
from Odisha Reporter https://ift.tt/310ffiB
No comments:
Post a Comment