ଗୌହାଟୀ: ଭାରତକୁ ସୀମା ଡେଇଁ ପ୍ରବେଶ କରୁଥିବା ମିଆଁମାରବାସୀ ବା ମିଆଁମାରୀଙ୍କୁ ଶରଣାର୍ଥୀ ଭାବେ ବିବେଚନ ନ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ(ନର୍ଥ ଇଷ୍ଟ ଡିଭିଜନ) ନାଗାଲ୍ୟାଣ୍ଡ, ଅରୁଣାଚଳ ପ୍ରଦେଶ ଓ ମଣିପୁରର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି।
ଏହି ୩ ରାଜ୍ୟର ସୀମକୁ ମିଆଁମାର ଲାଗିଛି। ଚିଠିରେ କୁହାଯାଇଛି ଯେ ମିଆଁମାରରୁ ବେଆଇନ ଅନୁପ୍ରବେଶ ଆରମ୍ଭ ହୋଇଛି। ତେଣୁ ଏହି ୩ ରାଜ୍ୟ କୌଣସି ବିଦେଶୀ ନାଗରିକଙ୍କୁ ଶରଣାର୍ଥୀର ମାନ୍ୟତା ଦେଇପାରିବେ ନାହିଁ। ଏଥିସହ ଚିଠିରେ ୩ ରାଜ୍ୟ ଓ ଆସାମ ରାଇଫଲର ସୁରକ୍ଷାକର୍ମୀଙ୍କୁ ଅନୁପ୍ରବେଶ ଉପରେ ନଜର ରଖିବାକୁ କୁହାଯାଇଛି। ସେହିପରି ଅନୁପ୍ରବେଶ ରୋକିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଡେପୁଟି ସଚିବ(ନର୍ଥ ଇଷ୍ଟ ୩) କ୍ରିଷ୍ଣା ମୋହନ ଉପୁ କହିଛନ୍ତି, ମିଆଁମାରର ଆଭ୍ୟନ୍ତରୀଣ ସ୍ଥିତି ବର୍ତ୍ତମାନ ବିଗିଡ଼ି ଯାଇଛି। ଏହି କାରଣରୁ ବିଶାଳ ସଂଖ୍ୟାରେ ମିଆଁମାରୀ ଭାରତରେ ପ୍ରବେଶ କରିବାକୁ ଚାହୁଁଛନ୍ତି। ସେମାନ ଭାରତ-ମିଆଁମାର ସୀମା ଦେଇ ବିଭିନ୍ନ ରାଜ୍ୟରେ ପ୍ରବେଶ କରି ଶରଣାର୍ଥୀ ଭାବେ ରହିବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ଆମକୁ ଏଥିପାଇଁ ସତର୍କ ରହିବାକୁ ପଡ଼ିବ।
ସେହିପରି ୨୦୧୭ରେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଆଉ ଥରେ ବେଆଇନ ଶରଣାର୍ଥୀଙ୍କୁ ଠାବ କରି ସେମାନଙ୍କୁ ପ୍ରତ୍ୟର୍ପଣ କରିବାକୁ କୁହାଯାଇଛି। କୌଣସି ପ୍ରକାରର ବିଳମ୍ବ ନ କରି ଶରଣାର୍ଥୀକୁ ଭାରତରୁ ବିଦା କରିବା ପ୍ରକ୍ରିୟା ଆରମ୍ଭ କରାଯାଉ।
କୌଣସି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ଥାନୀୟ ପ୍ରଶାସନ ବିଦେଶୀ ନାଗରିକମାନଙ୍କୁ ଶରଣାର୍ଥୀର ଟ୍ୟାଗ ଦେଇପାରିବେ ନାହିଁ ବୋଲି ଚିଠିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଉ ଥରେ ଦୋହରାଇଛି।
ନିକଟରେ ମିଜୋରାମ ସରକାର ମିଆଁମାରରେ ଗଣତାନ୍ତ୍ରିକ ଉପାୟରେ ଚାଲିଥିବା ଆନ୍ଦୋଳନକୁ ଦୃଷ୍ଟିରେ ବଡ଼ ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ କୁହାଯାଇଥିଲା ଯେ ମିଆଁମାରରେ ଚାଲିଥିବା ନିର୍ଯାତନା ସହି ନ ପାରି ସୀମାନ୍ତ ଚାମ୍ପାଇରେ ପ୍ରବେଶ କରୁଥିବା ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେଉ। ମିଜୋମାନେ ମଧ୍ୟ ମିଆଁମାରରୁ ଏଠାକୁ ଆସୁଥିବା ଲୋକଙ୍କୁ ସ୍ୱାଗତ କରନ୍ତୁ ବୋଲି ଏଥିରେ କୁହାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କଡ଼ା ନିର୍ଦ୍ଦେଶନାମା ଜାରି କରିଥିବା କୁହାଯାଉଛି।
The post ମିଆଁମାରରୁ ଭାରତକୁ ଆସୁଥିବା ଲୋକଙ୍କୁ ଶରଣାର୍ଥୀ ଟ୍ୟାଗ୍ ନଦେବାକୁ ନିର୍ଦ୍ଦେଶ appeared first on Odisha Reporter.
from Odisha Reporter https://ift.tt/3qIn5ro
No comments:
Post a Comment