ନୂଆଦିଲ୍ଲୀ: ଦେଶରେ ଅକ୍ସିଜେନର ଅଭାବକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ପଦକ୍ଷେପ ନେଇଛନ୍ତି। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ଲାଣ୍ଟ ପାଇଁ ଆବଶ୍ୟକ ଅର୍ଥ ପିଏମ୍ କେୟାର ଫଣ୍ଡ ଯୋଗାଇବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତତ୍ତ୍ୱବଧାନରେ ଏହି ଅକ୍ସିଜେନ ପ୍ଲାଣ୍ଟ ତିଆରି ହେବ। ଯେତେ ଶୀଘ୍ର ସମ୍ଭବ ପ୍ଲାଣ୍ଟ ତିଆରି ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଘୋଷଣା କରି କହିଛି, ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୫୫୧ଟି ଅକ୍ସିଜେନ ପ୍ଲାଣ୍ଟ ତିଆରି ହେବ। ଏହି ଯଥାଶୀଘ୍ର ତିଆରି ହୋଇ କାର୍ଯ୍ୟକ୍ଷମ ହେବ। ଏହି ପ୍ଲାଣ୍ଟ ହସ୍ପିଟାଲର ଦୈନନ୍ଦନ ଆବଶ୍ୟକ ପଡ଼ୁଥିବା ଅକ୍ସିଜେନ ସମେତ ଜିଲ୍ଲାରେ ଆବଶ୍ୟକ ଥିବା ଅକ୍ସିଜେନର ଅଭାବକୁ ଦୂର କରିବ ବୋଲି ପିଏମଓ ତରଫରୁ କୁହାଯାଇଛି।
ଏହା ପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ଦେଶରେ ୧୬୨ ଟି ଅକ୍ସିଜେନ ପ୍ଲାଣ୍ଟ ପାଇଁ ପିଏମଓ ନିର୍ଦ୍ଦେଶ ଦେଇଥିଲା। ଏଥିପାଇଁ ୨୦୧.୫୮ କୋଟି ଟଙ୍କା ପିଏମ୍ କେୟାର ଫଣ୍ଡରୁ ଆବଣ୍ଟନ ହୋଇଥିଲା। ହେଲେ କୋଭିଡ୍ ସଂକ୍ରମଣ ଏହି ସମୟରେ କମି ଯାଇଥିବାରୁ ବିଭିନ୍ନ ରାଜ୍ୟରେ ଥିବା ହସ୍ପିଟାଲ ଗୁଡ଼ିକରେ ଏହି ଅକ୍ସିଜେନ ପ୍ଲାଣ୍ଟ ତିଆରିରେ ଶୀଥିଳତା ପଡ଼ିଥିଲା ବୋଲି ଜଣାପଡ଼ିଛି।
କହିରଖୁଛୁ ଦେଶରେ ୭୪୧ଟି ଜିଲ୍ଲା ରହିଛି। ଏବେ ୫୫୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ସହିତ ବିଭିନ୍ନ ଶିଳ୍ପାନୁଷ୍ଠାନରେ ତିଆରି ହେଉଥିବା ଅକ୍ସିଜେନ ଆଗାମୀ ଦିନରେ ଦେଶରେ ଆବଶ୍ୟକତାକୁ ପୂରଣ କରିବ ବୋଲି କୁହାଯାଉଛି।
Oxygen plants in every district to ensure adequate oxygen availability…
An important decision that will boost oxygen availability to hospitals and help people across the nation. https://t.co/GnbtjyZzWT
— Narendra Modi (@narendramodi) April 25, 2021
ସୂଚନାଯୋଗ୍ୟ, ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୁଖ୍ୟତଃ ଅକ୍ସିଜେନ ଅଭାବରୁ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଦେଶର ସ୍ୱାସ୍ଥ୍ୟାବସ୍ଥା ଭିତ୍ତିଭୂମି ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେବାରୁ ସମସ୍ତ ହସ୍ପିଟାଲରେ ଅକ୍ସିଜେନ ଯୋଗାଇବା କେନ୍ଦ୍ର ସରକାର ପାଇଁ କାଠିକର ହେବାରେ ଲାଗିଛି। ଏବେ ଚାହିଦା ତୁଳନାରେ ଅକ୍ସିଜେନର ଅଭାବ ଥିବାରୁ ଇଣ୍ଡୋନେସିଆ, ଋଷିଆ, ସାଉଦି ଆରବ ଏବଂ ଅନ୍ୟାନ୍ୟ ଦେଶରୁ ଭାରତ ଅକ୍ସିଜେନ ଆମଦାନୀ କରୁଛି। ଏଥିସହ ଜର୍ମାନୀରୁ ପୋର୍ଟେବୁଲ ଅକ୍ସିଜେନ ପ୍ଲାଣ୍ଟ ଭାରତ ଆଣିବ ବୋଲି ନିଷ୍ପତ୍ତି ହୋଇଛି। ଏହି ପ୍ଲାଣ୍ଟ ହସ୍ପିଟାଲ ବାହାରେ ରଖାଯାଇ ଅକ୍ସିଜେନ ତିଆରି କରିପାରିବ।
ସେହିପରି ଦେଶରେ ବିଭିନ୍ନ ବଡ଼ ବଡ଼ କମ୍ପାନୀ ଗୁଡ଼ିକୁ ଅକ୍ସିଜେନ ତିଆରି କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ଏହି ଅକ୍ସିଜେନ ପ୍ଲାଣ୍ଟକୁ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଅକ୍ସିଜେନ ଏକ୍ସପ୍ରେସ ଆରମ୍ଭ କରିବା ସହିତ ବାୟୁସେନାର ବିମାନ ଯୋଗେ ମଧ୍ୟ ଅକ୍ସିଜେନ ଟ୍ୟାଙ୍କର ପଠାଉଛନ୍ତି।
The post ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ତିଆରି କରିବାକୁ ପିଏମଙ୍କ ନିର୍ଦ୍ଦେଶ appeared first on Odisha Reporter.
from Odisha Reporter https://ift.tt/32NZL1L
No comments:
Post a Comment