ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲିରୁ ଆରମ୍ଭ ହେବ ପରିବର୍ତ୍ତନର ସ୍ୱର । ନବୀନ ସରକାର ବର୍ଷ ବର୍ଷ ଧରି ରାଜ୍ୟବାସୀଙ୍କୁ ଧୋକା ଦେଉଛନ୍ତି । ତେଣୁ ଏହି ଉପନିର୍ବାଚନରେ ବିଜେପିକୁ ଲୋକେ ଭୋଟ ରୂପରେ ଆର୍ଶୀବାଦ ଅଜାଡ଼ି ଦେଇ ଦଳକୁ ନିଶ୍ଚିତ ଭାବେ ବିଜୟୀ କରାଇବେ ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ।
ପିପିଲି ପାଇଁ ପ୍ରଚାର କରିବା ପରେ ଆଜି ସେ ଭୁବନେଶ୍ୱର ଛାଡ଼ିଛନ୍ତି । ଏହି ସମୟରେ ସେ କହିଛନ୍ତି, ନବୀନ ସରକାର କେବଳ ପିପିଲିବାସୀଙ୍କୁ ନୁହେଁ, ରାଜ୍ୟବାସୀଙ୍କୁ ଧୋକା ଦେଉଛନ୍ତି । ନାରୀ ସଶକ୍ତିକରଣ ନାଁରେ ମହିଳାଙ୍କୁ ଧମକାଇ ଭୋଟ ମାଗୁଛି ବିଜେଡି । ୨ ବର୍ଷ ହୋଇଗଲାଣି, କିନ୍ତୁ ଏଯାଏ ଫନି ପୀଡ଼ିତଙ୍କୁ କ୍ଷତିପୂରଣ ମିଳିନାହିଁ ।
କେନ୍ଦ୍ରରୁ ସହାୟତା ମିଳିଥିଲେ ମଧ୍ୟ ଲୋକଙ୍କୁ ତାହା ସରକାର ଯୋଗାଇ ଦେଇ ନାହାନ୍ତି । ଲୋକେ ଏବେ ବି ତାରପୋଲିନ ତଳେ ରହୁଛନ୍ତି । ତେଣୁ ଏଥର ଲୋକେ ନବୀନ ସରକାରକୁ ଜବାବ ଦେବେ ଏବଂ ନିଶ୍ଚିତ ଭାବେ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ପୁରନ୍ଦେଶ୍ୱରୀ । ତାଙ୍କର ଏହି ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ସୂଚନାଯୋଗ୍ୟ, ଆସନ୍ତା ୧୭ତାରିଖରେ ପିପିଲି ନିର୍ବାଚନ ମଣ୍ଡଳୀରେ ମୋଟ ୨ଲକ୍ଷ ୨୯ହଜାର ୫୮୩ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବାର ସମ୍ଭାବନା ରହିଛି। କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ପ୍ରଥମଥର ପାଇଁ କୌଣସି ଉପନିର୍ବାଚନ ମଇଦାନରୁ କଂଗ୍ରେସ ଅଘୋଷିତ ସନ୍ୟାସ ନେଇଛି। ତେଣୁ ପିପିଲି ଉପନିର୍ବାଚନ ରଣାଙ୍ଗନରେ କଂଗ୍ରେସର ଅନୁପସ୍ଥିତିରେ ଏବେ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଇଛି।
ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଦଳର ମଙ୍ଗ ଧରିଛନ୍ତି।
The post ‘ପିପିଲିରୁ ଆରମ୍ଭ ହେବ ପରିବର୍ତ୍ତନର ସ୍ୱର’ appeared first on Odisha Reporter.
from Odisha Reporter https://ift.tt/323d5is
No comments:
Post a Comment