କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡିକାଲରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଜଗିବା ଦାୟିତ୍ୱରେ ଥିବା ୬ ପୁଲିସ୍ କର୍ମଚାରୀ ହୋଟେଲ୍ରେ ରହୁଥିଲେ। ତେବେ ଗତକାଲି ଏନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସେମାନେ ବିଳମ୍ବିତ ରାତିରେ ହୋଟେଲ୍ ଛାଡ଼ିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ହାଇଦର ଫେରାର ହୋଇଯିବା ପରେ ଏହି ୬ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।
ମଙ୍ଗଳାବାଗ ସ୍ଥିତ ‘ଅହଲ୍ୟା’ ହୋଟେଲ୍ରେ ଏହି ପୁଲିସ୍ କର୍ମଚାରୀମାନେ ରହୁଥିଲେ। ସେମାନେ ଗତକାଲି ବିଳମ୍ବିତ ରାତିରେ ହୋଟେଲ୍ ଛାଡ଼ିଥିବା ନେଇ ସେଠାକାର କର୍ମଚାରୀ ସୂଚନା ଦେଇଛନ୍ତି। କନଷ୍ଟେବଲ୍ ମହମ୍ମଦ ମୌସିମ ମାର୍ଚ୍ଚ ୨୩ ତାରିଖରେ ଏଠାରେ ଦୁଇଟି ରୁମ୍ (୨୦୧ ଓ ୧୧୦) ବୁକ୍ କରିଥିଲେ। ତା’ପର ଦିନ ୨୦୧ ନମ୍ବର ରୁମ୍କୁ ସେମାନେ ଛାଡ଼ି ଦେଇଥିଲେ। ୧୧୦ ନମ୍ବର ରୁମ୍ରେ ସେମାନେ ରହୁଥିଲେ। ହୋଟେଲ୍ରେ ରହିବା ବେଳେ ସେମାନେ ନିଜକୁ ପୁଲିସ୍ ବୋଲି ପରିଚୟ ଦେଇଥିଲେ।
ଗତ ଶନିବାର ପୁଲିସ୍କୁ ଚକ୍ମା ଦେଇ ଏସ୍ସିବିରୁ ଫେରାର ହୋଇଯାଇଥିଲା ଗ୍ୟାଙ୍ଗଷ୍ଟର ହାଇଦର। ସେଦିନ ମହମ୍ମଦ ମୌସିମ ଡ୍ୟୁଟିରେ ଥିଲେ ବୋଲି ଜଣାପଡ଼ିଛି। ଏଯାଏ ହାଇଦରର ପତ୍ତା ମିଳିନି। ସେ ବାଂଲାଦେଶ ପଳାଇ ଯାଇଛି ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ହାଇଦରର ଜଣେ ସହଯୋଗୀ ସେକ୍ ୟାକୁବ ଓରଫ ସଲ୍ଲୁକୁ ମଙ୍ଗଳାବାଗ ପୁଲିସ୍ ଗିରଫ କରିଛି। ସେ ଏସ୍ସିବିରେ ହାଇଦର ପାଖକୁ ବରାବର ଯାଉଥିଲା। ଏମିତିକି ତା’ ପାଇଁ ବିରିୟାନୀ ମଧ୍ୟ ନେଇ ଯାଉଥିଲା। ହାଇଦର ଫେରାର ହେବା ପରେ ସେ ଆତ୍ମସମର୍ପଣ କରିଥିଲା।
ପୁଲିସ୍ ତାକୁ ଗିରଫ କରିଥିବା ବେଳେ ଗତକାଲି କଟକ ଡିସିପି କହିଥିଲେ ଯେ ହାଇଦରକୁ ଫେରାର କରାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ୟାକୁବ ସାମିଲ ଥିଲା ଓ ସେ ଏହା ସ୍ୱୀକାର କରିଛି। ଅଧିକ ପଚରାଉଚରା କରିବା ପାଇଁ ମଙ୍ଗଳବାଗ ପୁଲିସ୍ ୟାକୁବକୁ ୭ ଦିନିଆ ରିମାଣ୍ଡରେ ଆଣିଛି।
ହାଇଦରର ପତ୍ତା ମିଳି ନଥିବା ବେଳେ ଏହାକୁ ନେଇ ସଙ୍ଗିନ ଅଭିଯୋଗ ଆଣିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର।
ଗତକାଲି ସେ କହିଥିଲେ ଯେ ହାଇଦର ଫେରାର ହେବା ଘଟଣାରେ ବଡ଼ ବଡ଼ ପୁଲିସ୍ ଅଫିସରଙ୍କ ହାତ ରହିଛି। ଷଡ଼ଯନ୍ତ୍ର କରି ତାକୁ ଫେରାର କରାଯାଇଛି। ଏଥିସହ ସେ କହିଥିଲେ ଯେ, ତଳତଳିଆଙ୍କୁ ସସ୍ପେଣ୍ଡ କରି ବଡ଼ବଡ଼ିଆ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ପାରିବେ ନାହିଁ। ସେମାନଙ୍କୁ ମଧ୍ୟ ନିଜ ଦୋଷ ସ୍ୱୀକାର କରିବାକୁ ପଡ଼ିବ ବୋଲି କହି ପୁଲିସ୍ ଉପରେ ବର୍ଷିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।
The post ହୋଟେଲ ଛାଡ଼ିଲେ ହାଇଦରକୁ ଜଗୁଥିବା ୬ ପୁଲିସ୍ କର୍ମଚାରୀ appeared first on Odisha Reporter.
from Odisha Reporter https://ift.tt/3dYoR3n
No comments:
Post a Comment