ମୋସ୍କୋ: ୟୁକ୍ରେନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଆମେରିକା ଏବଂ ରୁଷିଆ। ୟୁକ୍ରେନ ସୀମାରେ ରୁଷ ସେନା ଘେରି ରହିଥିବାରୁ ଦୁଇ ଦେଶ ମଧ୍ୟରେ କୌଣସି ପରିସ୍ଥିତିରେ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ୟୁକ୍ରେନକୁ ସମର୍ଥନ କରି ସମୁଦ୍ରରେ ଆମେରିକା ଯୁଦ୍ଧ ଜାହାଜ ମୁତୟନ କରିବ ବୋଲି ନିଷ୍ପତ୍ତି ନେଇଛି। ଏବେ ଏହାକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମେରିକା ଯୁଦ୍ଧ ଜାହାଜକୁ ଫେରାଇ ନେଇଯିବା ଦରକାର ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବାଇଡେନ ସରକାରକୁ କହିଛନ୍ତି ପୁଟିନ୍।
ତେବେ ଏହାରି ଭିତରେ ଜୋ ବାଇଡେନ ପୁଟିନଙ୍କୁ ଫୋନ୍ କରି ୟୁକ୍ରେନ ପ୍ରସଙ୍ଗରେ କଥା ହୋଇଥିବା ସୂଚନା ରହିଛି। ୟୁକ୍ରେନ ସୀମାରେ ରୁଷିଆ ସୈନିକ ଘେରି ହୋଇ ରହିଥିବାରୁ ଏହାକୁ ନେଇ ବାଇଡେନ ଫୋନରେ କଥା ହେବାବେଳେ ଚିନ୍ତା ପ୍ରକଟ କରିଥିଲେ। ଆଉ ରୁଷର ଏଭଳି ପଦକ୍ଷେପ ପାଇଁ ପୂର୍ବ ୟୁରୋପରେ ଅଶାନ୍ତି ବଢ଼ୁଛି ବୋଲି ବାଇଡେନ ପୁଟିନଙ୍କୁ କହିଥିବା ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି। ସମସ୍ତ ପରିସ୍ଥିତିରେ ୟୁକ୍ରେନ ସହ ଆମେରିକା ଛିଡ଼ା ହେବ ବୋଲି ବାଇଡେନ ପୁଟିନଙ୍କୁ କହିଥିବା ସୂଚନା ରହିଛି।
ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ୁଥିବାରୁ ଆମେରିକା ୟୁକ୍ରେନକୁ ସୁରକ୍ଷା ଦେବାକୁ ଯାଇ ସମୁଦ୍ର ମଝିରେ ଦୁଇଟି ଯୁଦ୍ଧ ଜାହାଜ ମୁତୟନ କରିବାକୁ ଯାଉଛି। ତୁର୍କୀ ରାସ୍ତା ଦେଇ ଆମେରିକାର ଏହି ଯୁଦ୍ଧ ଜାହାଜ ଯିବ। ଏଥିପାଇଁ ଆମେରିକା ତୁର୍କୀ ସରକାରକୁ ଅନୁମତି ମାଗିଥିଲା। ଆଉ ତୁର୍କୀ ମଧ୍ୟ ଆମେରିକାର ଯୁଦ୍ଧ ଜାହାଜକୁ ଯିବା ପାଇଁ ଅନୁମତି ଦେଇଛି।
ରୁଷର ଉପ ବୈଦେଶିକ ମନ୍ତ୍ରୀ ସର୍ଗେଇ ରୟାବୋବ କହିଛନ୍ତି, ଆମେରିକା ଯୁଦ୍ଧ ଜାହାଜ ନିୟୋଜିତ କରି ଆମର ଧୈର୍ଯ୍ୟ ପରୀକ୍ଷା କରୁଛି। ୟୁଏସଏସ ଡୋନାଲ୍ଡ କୁକ୍ ଏବଂ ୟୁଏସଏସ ରୁଜଭେଲ୍ଟ ସ୍ପେନର ନୌସେନା ବେସରୁ କଳା ସାଗରକୁ ଯାତ୍ରା କରିଥିବା ଜଣାପଡିଛି। ଏହି ଜାହାଜଗୁଡ଼ିକ ବୁଧବାର କିମ୍ବା ଗୁରୁବାର ପହଞ୍ଚିପାରେ।
୨୦୧୪ରେ ରୁଷିଆ ୟୁକ୍ରେନର କ୍ରିମିୟା ଦ୍ୱୀପକୁ ନିଜ ଅଧୀନକୁ ନେଇଛି। ଆଉ ସେବେଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି। ରୁଷିଆ ଏବେ ଭୟ କରୁଛି ଯେ ଯଦି ୟୁକ୍ରେନ ଡୋନବାସର ପୂର୍ବ ପ୍ରାନ୍ତକୁ ନିଜ ନିୟନ୍ତ୍ରଣକୁ ନେବ ତାହେଲେ ସେବ୍ରେନିତ୍ସା ଭଳି ନରସଂହାର ହୋଇପାରେ। ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ୨୦୧୪ରେ ବିବାଦ ଆରମ୍ଭ ହୋଇଥିଲା (Russia Ukraine Conflict)। ଏହି ବର୍ଷ ରୁଷିଆ କ୍ରିମିୟା ଦ୍ୱୀପପୁଞ୍ଜକୁ ନିଜ ସହିତ ମିଶ୍ରଣ କଲା। ପୂର୍ବରୁ କ୍ରିମିୟା ୟୁକ୍ରେନର ଏକ ଅଂଶ ଥିଲା। ୨୦୧୪ରେ ୟୁକ୍ରେନରେ ଏକ ବିପ୍ଳବ ହୋଇଥିଲା। ଏହି ସମୟରେ ରୁଷିଆ ହସ୍ତକ୍ଷେପ କରି କ୍ରିମିୟାରେ ନିଜ ସୈନ୍ୟ ପୁରାଇ ଏହାକୁ ନିଜ ଅଧୀନରେ ନେଇଗଲା।
ତେବେ ରୁଷିଆ ଏଭଳି କରିବା ପଛର କାରଣ ସେତେବେଳେ କହିଥିଲା, ଏହି ଅଞ୍ଚଳରେ ଅଧିକାଂଶ ଲୋକ ରୁଷିଆର ମୂଳ ବାସିନ୍ଦା। ସଂଖ୍ୟା ଗରିଷ୍ଠତା ତାଙ୍କ ଭାଷାଭାଷୀ ଲୋକଙ୍କର ଅଧିକ ରହିଛି। ତେଣୁ ସେମାନଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ମିଶ୍ରଣ କରିଥିଲା।
ଏବେ ୟୁକ୍ରେନ ନାଟୋରେ ସାମିଲ୍ ଥିବା ୩୦ଟି ଦେଶର ସମର୍ଥନ ପାଇଁ ଆବେଦନ କରିଛି। ଆଉ ଏହି ଆବେଦନ ପଛରେ ଆମେରିକା ରହିଥିବା ଜଣାପଡ଼ିଛି। ନୋଟୋ ପ୍ରମୁଖ ମଧ୍ୟ ୟୁକ୍ରେନକୁ ସମର୍ଥନ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ନୋଟେର ମୁଖ୍ୟ ନେତା ଜେନ୍ସ ଷ୍ଟୋଲବର୍ଗ ଏବେ ରୁଷିଆକୁ ଚେତାବନୀ ଦେବା ସହିତ ୟୁକ୍ରେନ ସୀମାରୁ ସୈନିକ ହଟାଇବାକୁ କହିଛନ୍ତି। ଏହା ୩୦ ଦେଶର ନିଷ୍ପତି ବୋଲି ସେ କହିଛନ୍ତି।
The post ଆମେରିକାକୁ ଚେତବନୀ ଦେଲେ ଭ୍ଲାଦମିର ପୁଟିନ୍ appeared first on Odisha Reporter.
from Odisha Reporter https://ift.tt/3uLx0Pi
No comments:
Post a Comment