ପ୍ରଥମଥର ପାଇଁ ହାଇଦ୍ରାବାଦର ହ୍ୟାଟ୍ରିକ ପରାଜୟ, ଶୀର୍ଷରେ ମୁମ୍ବାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ପ୍ରଥମଥର ପାଇଁ ହାଇଦ୍ରାବାଦର ହ୍ୟାଟ୍ରିକ ପରାଜୟ, ଶୀର୍ଷରେ ମୁମ୍ବାଇ

ଚେନ୍ନାଇ: ପୁଣିଥରେ ଭଲ ଆରମ୍ଭ ସତ୍ତ୍ୱେ ପରାଜୟ ବରଣ କରିଛି ସନ ରାଇଜର୍ସ ହାଇଦ୍ରାବାଦ। ଶନିବାର ଚେନ୍ନାଇରେ ଖେଳା ଯାଇଥିବା ଚଳିତ ଆଇପିଏଲର ଗୋଟିଏ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୧୩ରେ ହାରିଯାଇଛି ହାଇଦ୍ରାବାଦ। ଚଳିତ ସଜିନ୍‌ରେ ଏହା ହାଇଦ୍ରାବାଦର କ୍ରମାଗତ ତୃତୀୟ ପରାଜୟ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଇପିଏଲ ଇତିହାସରେ କେବେ ହେଲେ ହାଇଦ୍ରାବାଦ ତା’ର ପ୍ରଥମ ୩ଟି ଯାକ ମ୍ୟାଚ୍‌ରେ କ୍ରମାଗତ ପରାଜୟବରଣ କରିନଥିଲା। କିନ୍ତୁ ଗତକାଲି ମୁମ୍ବାଇ ଠାରୁ ହାରିବା ପରେ ଏହି ଲଜ୍ଜାଜନକ ରେକର୍ଡର ଦାଗ ହାଇଦ୍ରାବାଦ ନାଁରେ ଯୋଡ଼ି ହୋଇଯାଇଛି। ଚେନ୍ନାଇରେ ମଧ୍ୟ ଏଯାଏ ହାଇଦ୍ରାବାଦ ଗୋଟିଏ ହେଲେ ମ୍ୟାଚ୍‌ ଜିତି ନାହିଁ। ଏମଏ ଚିଦାମ୍ବରମ ଷ୍ଟାଡିୟମରେ ହାଇଦ୍ରାବାଦ ୬ଷ୍ଠଥର ପାଇଁ ପରାସ୍ତ ହୋଇଛି।

ସେହିପରି ହାଇଦ୍ରାବାଦକୁ ହରାଇ ମୁମ୍ବାଇ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି। ରୋହିତ ଶର୍ମାଙ୍କ ମୁମ୍ବାଇ ୩ଟି ମ୍ୟାଚ୍‌ ଖେଳି ୨ଟିରେ ଜିତିଛି ଓ ଗୋଟିଏରେ ହାରିଛି।

ମ୍ୟାଚ୍‌ କଥା ଦେଖିଲେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୫୦ ରନ୍‌ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ଜବରଦସ୍ତ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ଡାଭିଡ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋ ବିସ୍ଫୋରକ ଆରମ୍ଭ କରିଥିଲେ। ବିଶେଷ କରି ବେୟାରଷ୍ଟୋ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ଗୋଟିଏ ଓଭର୍‌ରୁ ୧୮ ରନ୍‌ ଆଦାୟ କରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ।

ସେ ୨୨ ବଲ୍‌ରେ ୪୩ ରନ୍‌ କରି କୃନାଲ ପାଣ୍ଡ୍ୟାଙ୍କ ବଲ୍‌ରେ ହିଟ୍‌ ୱିକେଟ ହେବା ପରେ ସବୁ କିଛି ବଦଳି ଯାଇଥିଲା। ଇନଫର୍ମ ମନୀଷ ପାଣ୍ଡେ ମାତ୍ର ୨ ରନ୍‌ କରିଥିବା ବେଳେ ଭଲ ଲୟରେ ଥିବା ୱାର୍ଣ୍ଣର ୩୪ ବଲ୍‌ରେ ୩୬ ରନ୍‌ କରି ରନଆଉଟ ହୋଇଯାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜୟ ଶଙ୍କର ୨୮ ରନ୍‌ କରିଥିଲେ ହେଁ ଦଳକୁ ଜିତାଇବାକୁ ସକ୍ଷମ ହୋଇ ନଥିଲେ। ସେ ୧୯ତମ ଓଭର୍‌ରେ ବୁମ୍ରାଙ୍କ ବଲରେ ଆଉଟ ହେବା ପରେ ହାଇଦ୍ରାବାଦର ବିଜୟ ଆଶା ସଂପୂର୍ଣ୍ଣ ‍ମଉଳି ଯାଇଥିଲା। ମଧ୍ୟକ୍ରମରେ ବିରାଟ ସିଂହ ୧୧ ରନ୍‌ କରିଥିଲେ। କିନ୍ତୁ ଆଉ କୌଣସି ବ୍ୟାଟସମ୍ୟାନ୍‌ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନଥିଲେ। ସ୍ଥିତି ଏପରି ହୋଇଥିଲା ଯେ ହାଇଦ୍ରାବାଦ ପୂରା ୨୦ ଓଭର୍‌ ମଧ୍ୟ ଖେଳି ପାରି ନଥିଲା।

ଦଳ ୧୯.୪ ଓଭର୍‌ରେ ୧୩୭ ରନ୍‌ର କରି ଅଲଆଉଟ ହୋଇ ଯାଇଥିଲା। ମୁମ୍ବାଇ ପକ୍ଷରୁ ରାହୁଲ ଚହର ଓ ଟ୍ରେଣ୍ଟ ବୋଲ୍ଟ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ବୁମ୍ରା ଓ କୃନାଲ ପାଣ୍ଡ୍ୟାଙ୍କ ଖାତାକୁ ଗୋଟିଏ ଲେଖାଏ ୱିକେଟ ଯାଇଛି।

ଏହାପୂର୍ବରୁ କାଏରନ ପୋଲାର୍ଡଙ୍କ ୨୨ ବଲ୍‌ରେ ଅପରାଜିତ ୩୫ ଓ କ୍ୱିଣ୍ଟନ ଡି’କକଙ୍କ ୪୦ ରନ୍‌ ବଳରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୫୦ ରନ୍‌ କରିଥିଲା। ବିଶେଷ କରି ଶେଷ ଓଭର୍‌ରେ ଭୁବନେଶ୍ୱର କୁମାରଙ୍କୁ ଡବଲ ଛକା ମାରି ପୋଲାର୍ଡ ମୁମ୍ବାଇକୁ ୧୫୦ ରନ୍‌ରେ ପହଞ୍ଚାଇଥିଲେ। ଶେଷ ଓଭର୍‌ରେ ଦଳ ୧୭ ରନ୍‌ ଆଦାୟ କରିଥିଲା।

The post ପ୍ରଥମଥର ପାଇଁ ହାଇଦ୍ରାବାଦର ହ୍ୟାଟ୍ରିକ ପରାଜୟ, ଶୀର୍ଷରେ ମୁମ୍ବାଇ appeared first on Odisha Reporter.



from Odisha Reporter https://ift.tt/3dpuicv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages