ସବୁ ଲେଖା ଲେଖା ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ସବୁ ଲେଖା ଲେଖା ନୁହେଁ

  • ମାୟାଧର ନାୟକ

ଆଦିମ ଅରଣ୍ୟର ଅଭେଦ୍ୟ ଅଭ୍ୟନ୍ତରରୁ ସେଦିନ ଉଚ୍ଚାରିତ ହେଉଥିଲା ସେଇସବୁ ଉଦ୍ଦାତ ଶଦ୍ଦଲହରି। ଲିପି ନଥିଲା, ନଥିଲା ବର୍ଣ୍ଣମାଳାର ବନ୍ଧନ। ମୁକ୍ତ ସ୍ରୋତ ପରି, ଉଚ୍ଛଳ ଝରଣା ପରି ସାହିତ୍ୟର ଅଭିବ୍ୟକ୍ତି ଥିଲା ଅକପଟ ଏବଂ ଅନ୍ତରଙ୍ଗ। ହୃଦୟର ଭାଷା ସଂଚରି ଯାଉଥିଲା ହୃଦୟକୁ। ଶ୍ରୁତି ଏବଂ ସ୍ମୃତି ମାଧ୍ୟମରେ ଦୀର୍ଘକାଳ ବ୍ୟାପୀ ଅବ୍ୟାହତ ରହିଥିଲା ଏହି ଧାରା। ଭାରତୀୟ ପରମ୍ପରାର ଏହି ଆଦି ପର୍ଯ୍ୟାୟର ସାହିତ୍ୟ ମୁଖ୍ୟତଃ ଉଦ୍ଦିଷ୍ଟ ଥିଲା ଏକ ନୈତିକ ମୂଲ୍ୟବୋଧର ଜାଗରଣ ନିମନ୍ତେ। ପରେ ଏହି ‘ନୈତିକତା’ ଧୀରେ ଧୀରେ ‘ଧର୍ମ’ର ବନ୍ଧନୀରେ ଛନ୍ଦି ହେଲା- ବନ୍ଦୀ ହେବାକୁ ଆରମ୍ଭ କଲା ସାହିତ୍ୟ ସଂକୀର୍ଣ୍ଣତାର ଗଣ୍ଡି ଭିତରେ। ତଥାପି ସେଦିନର ସାହିତ୍ୟ ଥିଲା ଦୁଃଖ ଶୋକସନ୍ତପ୍ତ ଯାତନା ଜର୍ଜରିତ ପୃଥିବୀ ପାଇଁ ଟୋପାଏ ଶୀତଳ ସାନ୍ତ୍ୱନା! ମୁନି, ମନୀଷି, ମହର୍ଷି, ମହାତ୍ମାମାନଙ୍କ ଉଦ୍‌ବୋଧନରେ ଅନୁପ୍ରେରିତ ହୋଇଥିଲା ପ୍ରାଚୀନ ଯୁଗର ସାହିତ୍ୟ। ଜନଜୀବନରେ ସତ୍ ଓ ଶୁଦ୍ଧ ଚିନ୍ତନର ପରିପ୍ରସାର ଦିଗରେ ସାହିତ୍ୟ ଥିଲା ସଂକଳ୍ପବଦ୍ଧ। ସେଦିନ ‘ବ୍ୟକ୍ତି’ ଅନୁପ୍ରବେଶ କରି ନଥିଲା ସାହିତ୍ୟର ସରହଦ୍‌ରେ, ସମୁଦାୟ ସମାଜ ବା ‘ବ୍ୟକ୍ତି’ ଥିଲା ସାହିତ୍ୟର କେନ୍ଦ୍ରବିନ୍ଦୁ।

ଆଧୁନିକ ସାହିତ୍ୟ ଉପରୋକ୍ତ ନୂତନ ସାହିତ୍ୟର ଉତ୍ତର-ପର୍ବ। ରାଜା, ଜମିଦାର, ସାମନ୍ତ, ଶିଳ୍ପପତିଙ୍କ ପରେ ଏବେ ଶାସକବର୍ଗର ନିର୍ଲଜ ଚାଟୁକାର ସାଜୁଛନ୍ତି ଅଧିକାଂଶ କବି ଲେଖକ। ନିଜକୁ ନିଲାମ୍ କରୁଛନ୍ତି ନାମମାତ୍ର ମୂଲ୍ୟରେ। ସାହିତ୍ୟର ନାଡ଼ିନକ୍ଷତ୍ର ଠିକ୍‌ଠାକ୍ ଅଛି ବୋଲି ବିଶ୍ୱାସ ହେଉ ନାହିଁ ମୋଟେ। ଅରଣ୍ୟର ନିର୍ଜନତା ମଧ୍ୟରେ ଯେଉଁ ସାହିତ୍ୟ ମହାଜୀବନର ପଥ ସନ୍ଧାନ କରୁଥିଲା ଦିନେ, ସେ ସାହିତ୍ୟ ଆଜି ପଂଚତାରକା ହୋଟେଲ୍‌ର ପ୍ରମୋଦ ଆସର ମଧ୍ୟରେ ନିଜକୁ ଉନ୍ମୋଚିତ କରାଇ, ହରାଇ ବସିଛି ନିଜସ୍ୱ ଅସ୍ତିତ୍ୱ। କୁତ୍ରିମ ପ୍ରସାଧନରେ ସଜ୍ଜିତ କରିଛି ନିଜକୁ।

ସବୁ ଯୁଗରେ, ସାହିତ୍ୟର ଭିଡ଼ ଭିତରେ, ଏଇ ‘ନା-ନା-ନା’ର ବିରଳ ସ୍ୱର ଯେତେ କ୍ଷୀଣ ଭାବରେ ହେଉ ସୁଦ୍ଧା, ଉଚ୍ଚାରିତ ହୋଇ ଆସିଛି ନିର୍ଭୀକ ଭାବରେ- ଏ ସ୍ୱର ଦାୟିତ୍ୱର ସ୍ୱର, ଦାୟବଦ୍ଧତାର ସ୍ୱର, ଦୁର୍ବାର ଅଙ୍ଗୀକାରର ଦୁର୍ଦ୍ଧର୍ଷ ଇସ୍ତାହାର! ମେଣ୍ଢାମାନଙ୍କ ମେଳରେ ଭେଣ୍ଡା ପରି ପ୍ରତ୍ୟେକ ଯୁଗର ସୁବିଧାବାଦୀ ନିରାପତ୍ତାପ୍ରେମୀ ଚାରଣ ଚାଟୁକାର ଲେଖକମାନଙ୍କ ଭିଡ଼ ଭିତରେ ବି ଆମେ ଲକ୍ଷ୍ୟ କରିଛେ ଜଣେ ଜଣେ ସଂକଳ୍ପବଦ୍ଧ ଶଙ୍କାହୀନ ସାହିତ୍ୟକାରକୁ, ଯେଉଁମାନଙ୍କ ଲେଖା ସବୁ ସାହିତ୍ୟର ଦାୟିତ୍ୱ ତୁଲାଇ ଆସିଛି ପ୍ରାଣପଣେ। ସେମାନେ ମୃତ୍ୟୁକୁ ଭୟ କରି ନାହାନ୍ତି, ଯନ୍ତ୍ରଣାର ଯୂପକାଠକୁ ଡରି ନାହାନ୍ତି, ରାଜଦଣ୍ଡ ଓ ଫାଶି ମଂଚକୁ ଖାତିର୍ କରି ନାହାନ୍ତି ମୋଟେ।

ଇତିହାସର ଗତିପଥରେ ସାମାଜିକ ଅବସ୍ଥାନର ପରିବର୍ତ୍ତନ ପାଇଁ ଯୁଗ ଯୁଗ ଲାଗିଯାଉଥିଲା। ଏବେ ଅତ୍ୟନ୍ତ ଦ୍ରୁତ ଗତିରେ ସମାଜ ବଦଳିବାରେ ଲାଗିଛି। ଆଜି ଆଖିବୁଜି ପୃଥିବୀ ମାନଚିତ୍ରର ଯେକୌଣସି ସ୍ଥାନରେ ଆଙ୍ଗୁଠି ଲଗାଇବ ସେଇ ଭୂଇଁରେ ସେଇ ଦେଶରେ ସେଇ ସ୍ଥାନରେ ମଣିଷ ସ୍ୱାର୍ଥ ପାଇଁ ସବୁକିଛି ଭୁଲିଯାଇଛି। ପ୍ରତି ମୁହୂର୍ତ୍ତରେ ସମାଜ- ମଣିଷ ବଦଳିବାରେ ଲାଗିଛି। କାଲି ଯାହା ଥିଲା ଆଜି ତାହା ନାହିଁ, ଆଜି ଯାହା ଅଛି ଆସନ୍ତାକାଲିକି ତାହା ନଥିବ। ଆଦିମ ସମାଜର ପରିବର୍ତ୍ତନ ହୋଇ ଧୀରେ ଧୀରେ ପୁଞ୍ଜିବାଦ ଆସିଲା। କିଛି ଦେଶରେ ପୁଞ୍ଜିବାଦକୁ ଧ୍ୱଂସ କରି ସମାଜବାଦ ଆସିଲା। ପୁଣି ୭୫ ବର୍ଷ ପରେ ସାମ୍ୟବାଦକୁ ଯାଇ ନପାରି ସଂଶୋଧନବାଦର ଶିକାର ହୋଇ ସମାଜବାଦର ବିଚ୍ୟୁତି ଘଟି ପୁଣି ପୁଞ୍ଜିବାଦ ସାମ୍ରାଜ୍ୟବାଦରେ ପହଂଚିଗଲା। ସାମନ୍ତତନ୍ତ୍ର ରାଜତନ୍ତ୍ରର ପଦଚିହ୍ନ ନ ଲିଭୁଣୁ ଗଣତନ୍ତ୍ର ପ୍ରବେଶ କଲା।

ଆଜି ମଧ୍ୟ ଗଣତନ୍ତ୍ର ଉପରେ ମଣିଷ ଆଶା ହରାଇ ସାରିଲାଣି। ମଣିଷର ସଭ୍ୟତାକୁ ଗଣତନ୍ତ୍ର କ’ଣ ଦେଇଛି? ସେଇ ଦାରିଦ୍ର‌୍ୟ, ଭଣ୍ଡାମୀ, ଅସହାୟତା, ଦଙ୍ଗା, ଶୋଷଣ, କଷଣ, ଯୁଦ୍ଧ, ବିପର୍ଯ୍ୟୟ ଚାରିଆଡେ ଛାଇ ହୋଇଯାଇଛି। ଯେଉଁ ଦେଶରେ ଗଣତନ୍ତ୍ର ଅଛି ସେ ଦେଶରେ ଜନଗଣ ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସବୁ ସ୍ୱପ୍ନ ସାଂଘାତିକ ଭାବରେ ଭ୍ରାନ୍ତ ଏବଂ ଅର୍ଥହୀନ ପ୍ରମାଣିତ ହୋଇଛି। ନିର୍ଯାତିତ ମଣିଷକୁ ସ୍ୱାଧୀନତା ଆଣି ଦେଇପାରୁନି।

ଜଗତୀକରଣର ଜାଲରେ ସମସ୍ତେ ଛନ୍ଦି ହୋଇପଡ଼ିଛନ୍ତି। ଜ୍ଞାନଅସ୍ତ୍ର ହରାଇ ଅଜ୍ଞାନ ଅନ୍ଧକାର ଭିତରେ ଘୁରି ବୁଲୁଛନ୍ତି। ସାରା ବିଶ୍ୱର ମଣିଷ ଲୋଭ ପାପ ମୋହରେ ପଡ଼ିଯାଇଛନ୍ତି। ଭୋଗୀ ସଂସ୍କୃତିରେ ନିମଜ୍ଜିତ ହୋଇ ମାନବିକତା ଧ୍ୱଂସ ଆଡ଼କୁ ମୁହାଁଇଛି। ନଗ୍ନତା, ଯୌନତା ବଢ଼ିଚାଲିଛି। ସମାଜର ପରିବର୍ତ୍ତନ ବାହକ ଯୁବସମାଜର ନୈତିକତାକୁ କବର ଦେବା ପାଇଁ ଜ୍ଞାନ ଅର୍ଜନ ପାଇଁ ନିମଜ୍ଜିତ ରହିବା କାର୍ଯ୍ୟଟିକୁ ଦୂରେଇ ଦିଆଯାଇଛି। ଆଜି ଯୁବସମାଜ ସିନେମା, ଟେଲିଭିଜନ, କ୍ରିକେଟ୍‌, କମ୍ପ୍ୟୁଟର ଆଡ଼କୁ ମୁହେଁଇଛନ୍ତି। କେହି କିଛି ନୂଆ ନୂଆ ସୃଷ୍ଟି କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ପରଶ୍ରୀକାତରତାକୁ ବରଣ କରିନେଇଛନ୍ତି। ଓଡିଶାରେ ଏପରିକି ସମଗ୍ର ବିଶ୍ୱରେ ସଂଖ୍ୟାଗରିଷ୍ଠ  ଲୋକମାନଙ୍କର ପଢ଼ାପଢ଼ି କରିବା ଅଭ୍ୟାସ କମିଯାଇଛି। ପଢ଼ାପଢ଼ି ପ୍ରତି ଆଗ୍ରହ ନଥିଲେ ବହି କିଣିବା ଅଭ୍ୟାସ ରହିବ ନାହିଁ। ବହି ବିକ୍ରି ନ ହେଲେ ପ୍ରକାଶକମାନେ ନୂଆବହି ଛାପୁ ନାହାନ୍ତି। ଯାହା ଫଳରେ ଲେଖକମାନଙ୍କର ଲେଖିବାର ଆଗ୍ରହ ମରି ମରି ଯାଉଛି।

ସବୁ ଲେଖା ଲେଖା ନୁହେଁ। ସବୁ ଲେଖକ ଲେଖକ ନୁହନ୍ତି। ଯେଉଁମାନେ ଅତ୍ୟନ୍ତ ଅସାଧାରଣ ବିଷୟବସ୍ତୁକୁ ଜଟିଳତା, ରସାଳ, କୌତୁକ ଓ ଚାତୁର୍ଯ୍ୟ ତଥା ଶଦ୍ଦର ପ୍ରାଚୁର୍ଯ୍ୟ ମଧ୍ୟରେ ସ୍ୱପ୍ନ ରାଇଜରେ- ମାନସ ପଟ୍ଟରେ ନାଚିଯାଉଥିବା ଚରିତ୍ର ଓ ଦୃଶ୍ୟ ଏବଂ ଆପଣାର ଇଚ୍ଛା ଅଭ୍ୟାସ ଚରିତ୍ରକୁ କିଂଚିତ୍ ହେଲେ ମଧ୍ୟ ସ୍ପର୍ଶ କରୁଥିବା ଲେଖା ଅତି ଆଦରର ହୋଇଯାଏ ତଥା ବେଳେ ବେଳେ ଅନେକ ଦିନ ପର୍ଯ୍ୟନ୍ତ ମନରେ ଗଭୀର ରେଖାପାତ ସୃଷ୍ଟି କରିଥାଏ।

ସମାଜ ପରିବର୍ତ୍ତନରେ ଅଳ୍ପ ଯେଉଁ କେତେଜଣ ଦାର୍ଶନିକ, ବୈଜ୍ଞାନିକ, ଲେଖକ ବହୁ ଉପାଦେୟ ପୁସ୍ତକ ଲେଖିଯାଇଛନ୍ତି ସେଗୁଡିକୁ ଜନସମାଜରୁ ଦୂରେଇ ରଖିବାକୁ ଅପଚେଷ୍ଟା ଚାଲିଛି। ପୁଣି ସେଇ ରକ୍ଷଣଶୀଳତା ଆଡ଼କୁ ଜନସମୁଦାୟକୁ ମୁହାଇଁ ନେବାର ଗୁପ୍ତ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାୟ ପଚାଶ ବର୍ଷ ଧରି ଏଇ ପୃଥିବୀରେ ଯେଉଁ ଲେଖା ପ୍ରକାଶ ପାଉଛି ଅଧିକାଂଶ ଲେଖା ତୃଣମୂଳ ଜୀବନ ସହ ସଂପର୍କ ରହୁନି। ଯେଉଁ ନାମକରା ଲେଖକମାନଙ୍କର ଲେଖା ନୋବେଲ୍ ପ୍ରାଇଜ୍ କିମ୍ବା ଅନ୍ୟ ପୁରସ୍କାର ପାଉଛି ସେଥିରେ ମଧ୍ୟ ପ୍ରିୟାପ୍ରୀତି ତୋଷଣ ଚାଲିଛି।

ଭାରତୀୟ ଲେଖକ/ଲେଖିକାମାନେ ନିଜର ସ୍ପଷ୍ଟ ମତାମତ କିମ୍ବା ଜୀବନ ସହ ସଂପର୍କିତ ଲେଖା ଲେଖିବାକୁ ଉଦ୍ୟମ କଲେ ବି ବିଭିନ୍ନ କ୍ଷେତ୍ରରେ ବାଧା ପାଉଛନ୍ତି। ଅଧିକାଂଶ ଲେଖକ ଯେଉଁମାନେ ନାମକରା ସେମାନେ ଉପରେ ମାଲିକ (ସରକାର-ଧନପତି)ଙ୍କ ମର୍ଜ୍ଜିକୁ ସମ୍ମାନ ଦେଉଥିବାରୁ ଲେଖାଗୁଡିକ ଚିରାଚରିତ ସାଧାରଣ ହେଉଥିବାରୁ ତାହା ସୁଖପାଠ୍ୟ କିମ୍ବା ଶିକ୍ଷଣୀୟ ହେଉ ନାହିଁ। କେବଳ କୋଟି କୋଟି ଟଙ୍କାର କାଗଜ ଓ ଅଯଥା ସମୟ ନଷ୍ଟ କରୁଛନ୍ତି। ବିଶେଷ କରି ଶିଶୁମାନେ ଦେଶର ଭବିଷ୍ୟତ କହି ଡିଣ୍ଡିମ ପିଟୁଥିଲା ବେଳେ ସେଇ ଶିଶୁ ମନକୁ ମୂଳରୁ କିମ୍ଭୂତ କିମାକାର ଧାରଣା ସୃଷ୍ଟି କରାଇ ଧର୍ମଭୀରୁ କରାଇ ଦିଆଯିବାର ସୁକୌଶଳ ଷଡ଼ଯନ୍ତ୍ର ଚାଲିଛି। ଶିଶୁମାନଙ୍କୁ ଆରମ୍ଭରୁ ସାହସୀ, ଲଢୁଆ, ସତ୍ୟନିଷ୍ଠ କରି ଗଢ଼ି ତୋଳିଲେ ପ୍ରାଚୁର୍ଯ୍ୟର ସାମ୍ରାଜ୍ୟ ଯେ ଭାଂଗି ଚୂର୍‌ମାର୍ ହୋଇଯିବ ଏ ଭୟ ମଧ୍ୟ ଶାସକ-ଶୋଷକ ଗୋଷ୍ଠୀର ଅଛି। ତେଣୁ ଏହି ଦେଶ ବିରୋଧୀ ଜନବିରୋଧୀ ଗୋଷ୍ଠୀ ରାଜକୋଷକୁ ବରବାଦ କରି ବରାଦିଆ ଲେଖକ ଗୋଷ୍ଠୀ ସୃଷ୍ଟି କରିଛନ୍ତି। ଯାହା ଫଳରେ ଶିକ୍ଷା ପାଇଁ ପାଠ୍ୟକ୍ରମ ମଧ୍ୟ ସେମାନଙ୍କ ମର୍ଜ୍ଜି ଉପରେ ନିର୍ଭର କରୁଛି। ଜ୍ଞାନଅସ୍ତ୍ର ବଦଳରେ ଅଜ୍ଞାନ-ଅନ୍ଧକାର-ବିକୃତ ଅସ୍ତ୍ର ଧରାଇ ଦିଆଯାଉଛି। ଏହା ସମାଜ ପାଇଁ ଭୟଙ୍କର ବିପଦ ଡାକି ଆଣୁଛି। ଏହି ଆକ୍ରମିତ ବିପଦ ବିରୋଧରେ ଅଳ୍ପ ହେଲେ ବି କିଛି ଲେଖକ କଲମ ଚଳାଇଲେ ଇତିହାସର ଧାରା ବଦଳିଯିବ।

ଏଇ ଗୋଲାର୍ଦ୍ଧରେ ଅନେକ ଲେଖକ ଅଛନ୍ତି ଯେଉଁମାନେ ଜୀବନ ଜୀବିକା ସହ ସଂଘର୍ଷ କରି ତୃଣମୂଳ ସହ ସଂପର୍କ ରଖି ଲେଖନୀ ଚାଳନା କରିଚାଲିଛନ୍ତି। ସେମାନଙ୍କ ପାଇଁ ବଜାର ନାହିଁ କି ପ୍ରଚାର ନାହିଁ। ଅଧିକାଂଶ ମୂଲ୍ୟବାନ ରଚନା ଆଦୌ ଜନମାନସକୁ ଆସିପାରୁନି। ଏଇ ଓଡ଼ିଶାରେ ମଧ୍ୟ ଏଭଳି ଲେଖକ ଅଛନ୍ତି ଯେଉଁମାନଙ୍କ ରଚନା ବିଶ୍ୱର ଉପଯୁକ୍ତ ସ୍ଥାନରେ ପହଂଚି ପାରିଲେ ହୁଏତ ବିଶ୍ୱବାସୀଙ୍କ ଜୀବନରେ ଗଭୀର ସକାରାତ୍ମକ ରେଖାପାତ କରିପାରିବ।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

The post ସବୁ ଲେଖା ଲେଖା ନୁହେଁ appeared first on Odisha Reporter.



from Odisha Reporter https://ift.tt/3uYGNBC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages