ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଜୋର୍ ଧରିଛି ପ୍ରଚାର । ଆଜି ବିଜେପି ପ୍ରାର୍ଥୀ ଆଶ୍ରିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସକାଳେ ଉତ୍ତରା ଛକରୁ ଗୁଡ଼ିଆ ପୋଖରୀ, ଜୈଶ ପାଟଣାରେ ରୋଡ୍ ସୋ କରିବେ । ଏହାସହ ବିଭିନ୍ନ ସ୍ଥାନରେ ରୋଡ୍ ସୋ, ସଭା କରିବା ପରେ ସଂଧ୍ୟାରେ ହରିରାଜପୁରରେ ହେବ ଶୋଭାଯାତ୍ରା । ଦିନକରେ ଧର୍ମେନ୍ଦ୍ର ଦାଣ୍ଡମୁକୁନ୍ଦପୁର, ସାତଶଙ୍ଖ, ପଟ୍ଟନାୟିକା ଆଦି ଅଞ୍ଚଳରେ ପଦଯାତ୍ରା ଓ ରୋଡ ସୋ କରିବେ ।
ଅପରପକ୍ଷେ ଗତକାଲି ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପଙ୍କ ପାଇଁ ଭର୍ଚୁଆଲ ମୋଡ୍ରେ ପ୍ରଚାର କରିଛନ୍ତି । ୬ଟି ଜିଲ୍ଲା ପରିଷଦ ଜୋନ୍ ଅଞ୍ଚଳରେ ଭର୍ଚୁଆଲ ମାଧ୍ୟମରେ ସେ ପ୍ରଚାର କରିଛନ୍ତି । କରୋନା ସଂକ୍ରମଣ ଯୋଗୁ ଭିଡିଓ କନ୍ଫରେନ୍ସିଂରେ ପ୍ରଚାର କରୁଥିବା ଅବସରରେ ନବୀନ କହିଥିଲେ, କୋଭିଡ୍ ପରେ ସେ ଲୋକଙ୍କୁ ଭେଟିବାକୁ ଯିବେ । ପିପିଲି ଓ ଡେଲାଙ୍ଗର ବିକାଶ କଥା ସେ ନିଜେ ବୁଝିବେ ବୋଲି କହିଥିଲେ ନବୀନ ।
ସେପଟେ ବିଜେପି ପାଇଁ ମଇଦାନକୁ ଓହ୍ଲାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ସେ କ୍ୟାଂପେନ୍ କରିଛନ୍ତି । ପରିବର୍ତ୍ତନ ପିପିଲିରୁ ଆରମ୍ଭ ହେବ ବୋଲି ସେ ଏହି ଅବସରରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ି, ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଆସନ ହାତେଇବା ପାଇଁ ଉଭୟ ନିଜ ହେଭିୱେଟ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି। ବିଜେଡି ନିଜ ଟ୍ରମ୍ପ କାର୍ଡ ଖେଳି ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି।
ଗତକାଲି, ପିପିଲିରେ ୬ଟି ସ୍ଥାନରେ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ଭର୍ଚୁଆଲ ମୋଡ୍ରେ ନବୀନ ସମ୍ବୋଧନ କରିଥିଲେ। ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ,କୋଭିଡ୍ କଟକଣା ଯୋଗୁ ପିପିଲିବାସୀଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ସମ୍ଭବପର ହୋଇନି। ପିପିଲିବାସୀ ତାଙ୍କୁ ବହୁତ ଭଲ ପାଆନ୍ତି, ସେ ଜାଣନ୍ତି। ସେ ପିପିଲି ଯାଇଥିଲେ, ଲୋକମାନେ ବହୁ ସଂଖ୍ୟା ତାଙ୍କୁ ଆଶୀର୍ବାଦ କରିବାକୁ ଆସିଥାନ୍ତେ । ତେଣୁ ଲୋକମାନଙ୍କୁ ଅସୁବିଧାରେ ପକାଇବାକୁ ସେ ଚାହୁଁନାହାନ୍ତି। ସେଥିପାଇଁ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସିଛନ୍ତି । ପିପିଲି ଡେଲାଙ୍ଗର ବିକାଶ ଆହୁରି ଆଗକୁ ଆଗେଇବ। ଏହାର ବିକାଶ ଦାୟିତ୍ୱ ସେ ନିଜେ ନେବାକୁ ମଧ୍ୟ ଘୋଷଣା କରିଛନ୍ତି। କୋଭିଡ୍ ସ୍ଥିତି ହଟିବା ପରେ ସେ ନିଶ୍ଚିତ ପିପିଲି ଯାଇ ସେଠାର ଲୋକମାନଙ୍କୁ ଭେଟିବେ ବୋଲି କହିଛନ୍ତି।
The post ପିପିଲି ଉପନିର୍ବାଚନ; ଆଜି ରୋଡ୍ ସୋ କରିବେ ଧର୍ମେନ୍ଦ୍ର appeared first on Odisha Reporter.
from Odisha Reporter https://ift.tt/3wPDI8S
No comments:
Post a Comment