ଲଣ୍ଡନ: ମହମାରୀ କରୋନା ସଂକ୍ରମଣ ଭିତରେ ଆଶ୍ୱସ୍ତ କରିବା ଭଳି ଖବର ସାମ୍ନାକୁ ଆସିଛି। ବୈଜ୍ଞାନିକଙ୍କ ମତରେ କରୋନା ଟିକାର ଗୋଟିଏ ଡୋଜ୍ ସଂକ୍ରମଣ ଗତିକୁ ପ୍ରାୟ ୫୦% କମ କରିବାରେ ସକ୍ଷମ ହେଉଛି। ବ୍ରିଟେନରେ ଏ ସଂକ୍ରାନ୍ତରେ ଏକ ଗବେଷଣା କରାଯାଇଥିଲା।
ଉକ୍ତ ଗବେଷଣା ରିପୋର୍ଟରେ କୁହାଯାଇଛି, ଫାଇଜର କିମ୍ବା ଆଷ୍ଟ୍ରାଜେନେକା ଟିକାର ଗୋଟିଏ ଡୋଜ ନେଇଥିବା ଲୋକଙ୍କ ଠାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ପ୍ରାୟ ୫୦% କମ। ପବ୍ଲିକ ହେଲ୍ଥ ଇଂଲଣ୍ଡ(ପିଏଚ୍ଇ) ଗବେଷଣାରୁ ଜାଣିବାକୁ ପାଇଛି ଯେ କରୋନା ଟିକାର ପ୍ରଥମ ଡୋଜ୍ ନେବାର ୩ ସପ୍ତାହ ପରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ତାଙ୍କ ଘର ଲୋକ ୩୮ରୁ ୪୯% କମ ସଂକ୍ରମିତ ହେବାର ଆଶଙ୍କା ରହିଛି।
ଟିକାର ପ୍ରଥମ ଡୋଜ୍ ସଂକ୍ରମଣର ଗତିକୁ ହ୍ରାସ କରିବାରେ ସକ୍ଷମ। ଯେଉଁମାନେ ଟିକା ନ ନେଇଥିବେ ସେମାନଙ୍କ ଠାରୁ କରୋନା ଭାଇରସ ଦ୍ରୁତଗତିରେ ଅନ୍ୟମାନଙ୍କୁ ସଂକ୍ରମିତ କରିବାରେ ସକ୍ଷମ ହେଉଛି।
ବ୍ରିଟିଶ ହେଲଥ ସଚିବ ମ୍ୟାଟ ହାନକୋକ କହିଛନ୍ତି, ଏହା ନିଶ୍ଚିତ ଗୋଟିଏ ଭଲ ଖବର। ଆମେ ପୂର୍ବରୁ ଜାଣିଥିଲୁ ଯେ ଟିକା ଲୋକଙ୍କ ଜୀବନ ବଞ୍ଚାଉଛି। ଏବେ ଟିକାକୁ ନେଇ ଆସିଥିବା ରିପୋର୍ଟ ସମସ୍ତଙ୍କୁ ଆହୁରି ଆଶ୍ୱସ୍ତ କରିଛି। ଟିକା ପ୍ରାଣଘାତୀ କରୋନା ଭାଇରସର ସଂକ୍ରମଣ ବେଗକୁ ମଧ୍ୟ ହ୍ରାସ କରିବାକୁ ସକ୍ଷମ ହେଉଥିବା ଏବେ ସ୍ପଷ୍ଟ ହୋଇଛି। ମହାମାରୀରୁ ମୁକୁଳିବା ପାଇଁ ଟିକା ହିଁ ସର୍ବଶ୍ରେଷ୍ଠ ବିକଳ୍ପ। କାରଣ ଟିକା ଆପଣଙ୍କୁ ଓ ଆପଣଙ୍କ ଘର ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରୁଛି।
ଏହାପୂର୍ବରୁ ହୋଇଥିବା ଗବେଷଣାରେ କୁହାଯାଇଥିଲା ଯେ ଟିକା ନେଉଥିବା ବ୍ୟକ୍ତି ସଂକ୍ରମିତ ହେଲେ ମଧ୍ୟ ତାଙ୍କ ଶରୀରରେ ଲକ୍ଷଣ ଦେଖାଯିବାର ସମ୍ଭାବନା ୬୫% କମ। ବ୍ରିଟେନ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିଥିବାରୁ ମାର୍ଚ୍ଚ ଶେଷ ସୁଦ୍ଧା ସରକାର ୬୦ ବର୍ଷର ଅଧିକ ବୟସ୍କ ପ୍ରାୟ ୧୦, ୪୦୦ ଲୋକଙ୍କ ଜୀବନ ରକ୍ଷା କରିପାରିଛନ୍ତି ବୋଲି ଗବେଷଣାରେ କୁହାଯାଇଛି।
The post ଭଲ ଖବର: ଗୋଟିଏ ଡୋଜ୍ ଟିକା ସଂକ୍ରମଣର ବେଗକୁ ୫୦% କମ କରୁଛି appeared first on Odisha Reporter.
from Odisha Reporter https://ift.tt/3vuYaKN
No comments:
Post a Comment