ନୂଆଦିଲ୍ଲୀ: ଦେଶରେ ଅଣାୟତ ହୋଇଛି କରୋନା ମହାମାରୀ। ପ୍ରତିଦିନ ପୂର୍ବଦିନର ରେକର୍ଡ ଭାଙ୍ଗି ସର୍ବକାଳୀନ ରେକର୍ଡ କରୁଛି କରୋନା ଭାଇରସ। ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁଯାୟୀ ୩,୪୬,୭୮୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନେ ସମସ୍ତେ ଶୁକ୍ରବାର କରୋନା ଟେଷ୍ଟ କରିଥିଲେ। ଏହା ପୂର୍ବରୁ ଗୁରୁବାର ୩.୩୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ୩,୧୪,୮୩୫ ଜଣ ଚିହ୍ନଟ ହୋଇଥିଲେ। ଅର୍ଥାତ୍ କ୍ରମାଗତ ଭାବରେ ତିନି ଦିନ ପାଇଁ ତିନି ଲକ୍ଷ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଛନ୍ତି।
ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୨,୬୨୪ ଜଣ କରୋନାରେ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୬୬,୧୦,୪୮୧ରେ ପହଞ୍ଚିଛି। ସେହିପରି ଦେଶରେ ୨,୬୨୪ ଜଣ ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ଏଯାବତ ଏହି ମହାମାରୀରେ ୧,୮୯,୫୪୪ ଜଣ ମୃତ୍ୟୁ ବରଣ କରିଛନ୍ତି।
ଦେଶରେ ଏବେ ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ୨୫,୫୨,୯୪୦ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ସେହିପରି ଦେଶରେ ବିଗତ ୨୪ ଘଣ୍ଟାରେ ୨,୧୯,୮୩୮ ଜଣ ଆରୋଗ୍ୟ ହୋଇଛନ୍ତି। ହେଲେ ବିଗତ ଦିନ ମଧ୍ୟରେ ଆରୋଗ୍ୟ ହାର ଯଦି ଦେଖିବା ତାହେଲେ ଏହା କ୍ରମଶଃ କମୁଥିବା ଦେଖିବାକୁ ମିଳିଛି। ଯାହାକି ଦେଶ ପାଇଁ ଚିନ୍ତାର ବିଷୟ। ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ଥିବାରୁ ଦେଶରେ ଆରୋଗ୍ୟ ସଂଖ୍ୟା କମୁଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ସୂଚନା ରହିଛି।
ମାସକ ମଧ୍ୟରେ ୨୫.୫୨ ଲକ୍ଷରୁ ଅଧିକ ଚିହ୍ନଟ
କରୋନାର ଦ୍ୱିତୀୟ ଲହର ଆସିବା ପାଖରୁ ମାର୍ଚ୍ଚ ୨୩ରୁ ଏପ୍ରିଲ ୨୩ ମଧ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୫.୫୨ ଲକ୍ଷରୁ ଅଧିକ ଚିହ୍ନଟ ହୋଇଥିବା ସୂଚନା ରହିଛି। ସାରା ଦେଶରେ ସାପ୍ତାହିକ ସଂକ୍ରମିତ ସଂଖ୍ୟା ୪.୨ ପ୍ରତିଶତରୁ ବଢ଼ି ୧୮.୪ ପ୍ରତିଶତ ହୋଇଥିବା ସୂଚନା ରହିଛି। ଅର୍ଥାତ୍ ୧୦୦ ଜଣ ଲୋକଙ୍କ ମଧ୍ୟରେ ୧୮ ଜଣ କୋଭିଡରେ ସଂକ୍ରମିତ ହେଉଥିବା ଜଣାପଡ଼ିଛି।
ରାଜ୍ୟରେ ବଢ଼ୁଛି ସଂକ୍ରମଣ ହାର
ସେହିପରି ବିଭିନ୍ନ ରାଜ୍ୟରେ ସଂକ୍ରମିତ ହାର ଢ଼େର ବଢ଼ିଥିବା ଦେଖିବାକୁ ମିଳିଛି। ଯାହାକି ଦେଶର ସଂକ୍ରମିତ ହାର ଠାରୁ ଢ଼େର ଅଧିକ ରହିଛି। ଛତିଶଗଡରେ ଏପ୍ରିଲ ୨୩ ସୁଦ୍ଧା ମାସିକ ସଂକ୍ରମିତ ହାର ୩.୮ ପ୍ରତିଶତରୁ ବୃଦ୍ଧି ପାଇ ୩୦.୪ ପ୍ରତିଶତ ହୋଇଥିବା ବେଳେ ଦିଲ୍ଲୀରେ ଏହି ଅବଧି ମଧ୍ୟରେ ୧.୧ ପ୍ରତିଶତରୁ ବୃଦ୍ଧି ପାଇ ୨୭.୮ ପ୍ରତିଶତ ବୃଦ୍ଧି ପାଇଛି।
The post କ୍ରମାଗତ ତିନି ଦିନ ତିନି ଲକ୍ଷ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ, ମାସକରେ ୨୫ ଲକ୍ଷରୁ ଅଧିକ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3elpaoQ
No comments:
Post a Comment