ଶୁକପାଇକା – ଏକ ମୃତ ନଦୀକୁ ଜୀବନ୍ତ କରିବା ଲାଗି ଜନପ୍ରୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 21, 2021

ଶୁକପାଇକା – ଏକ ମୃତ ନଦୀକୁ ଜୀବନ୍ତ କରିବା ଲାଗି ଜନପ୍ରୟାସ

  • ସରଳ କୁମାର ଦାସ

ମଣିଷ ନିଜ ସ୍ୱାର୍ଥ ପାଇଁ ପାହାଡ଼ପର୍ବତ, ବଣଜଙ୍ଗଲ, ଜୀବଜନ୍ତୁ, ବୃକ୍ଷଲତା ଆଦି ବିନଷ୍ଟ କରି ଚାଲିଥିବାର ଅସଂଖ୍ୟ ଉଦାହରଣ ଦେଖିବାକୁ ଆଉ ଶୁଣିବାକୁ ମିଳିଥାଏ, ହେଲେ ମନୁଷ୍ୟକୃତ ହସ୍ତକ୍ଷେପ (ହ୍ୟୁମାନ ଇଣ୍ଟରଭେନସନ) ଯୋଗୁ ଯେ ଗୋଟିଏ ଜୀବନ୍ତ ନଦୀ ଶ୍ୱାସରୁଦ୍ଧ ହୋଇ ମୃତପ୍ରାୟ ହୋଇ ଯାଇପାରେ, ତା’ର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଶୁକପାଇକା ନଦୀ। ପ୍ରାୟ ୭୦ ବର୍ଷ ଆଗରୁ ଶୁକପାଇକା ବି ଯେ କୌଣସି ଅନ୍ୟ ନଦୀ ପରି କଳକଳ ପ୍ରବାହିତ ହୋଇ ତା’ କୂଳରେ ଥିବା ପଶୁ, ପକ୍ଷୀ, ବୃକ୍ଷ ଲତା ଓ ମଣିଷଙ୍କୁ ଖୋଲା ହୃଦୟରେ ଜୀବନ ବାଣ୍ଟି ଚାଲିଥିଲା, ଜୀବିକା ବି ଯୋଗାଉଥିଲା। ହେଲେ ଆଜି ସେ ନିଜେ ନିଜ ଜୀବନ ରକ୍ଷା ପାଇଁ ସେହି ମଣିଷଙ୍କ ଆଗରେ କାକୁତି ମିନତି ହେଉଛି। ତା’ର ଦୁର୍ଦ୍ଦଶାର କାହାଣୀ ହୁଏତ ସେ ବଖାଣି ଚାଲିଛି, ହେଲେ ମଣିଷ ସେ କାହାଣୀ ଶୁଣି ତାକୁ ଉଦ୍ଧାର କରିବାକୁ ବୋଧହୁଏ ଏ ଯାଏଁ ଆହୁରି ପ୍ରସ୍ତୁତ ହୋଇ ପାରିନାହିଁ।

ଶୁକପାଇକା ନଦୀ ମହାନଦୀର ଏକ ଶାଖା ନଦୀ, ଯାହା କଟକ ଜିଲ୍ଲାର ଆୟତପୁରଠାରୁ ବାହାରି ୨୭ କିଲୋମିଟର ବାଟ ଅତିକ୍ରମ କଲା ପରେ ତାରାପୁର ନିକଟସ୍ଥ ବାଙ୍କୋଳଠାରେ ପୁଣି ମହାନଦୀରେ ମିଶିଛି। ଏହାର ତ୍ରିକୋଣଭୂମିରେ କଟକ ସଦର, ନିଶ୍ଚିନ୍ତକୋଇଲି ଏବଂ ରଘୁନାଥପୁର ବ୍ଲକର ୨୬ଟି ପଞ୍ଚାୟତର ୪୨୫ଟି ଗ୍ରାମର ପ୍ରାୟ ୬ ଲକ୍ଷ ଲୋକ ବସବାସ କରନ୍ତି। ଏହି ଅଞ୍ଚଳଟି ମୁଖ୍ୟତଃ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଅନ୍ତର୍ଭୁକ୍ତ ହୋଇଥିଲେ ବି ଏହାର କିଛି ଅଂଶ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ। ମହାନଦୀ ଉପରେ ଯେତେବେଳେ ହୀରାକୁଦ ନଦୀବନ୍ଧ ଓ ନରାଜ ବ୍ୟାରେଜ ନିର୍ମାଣ ହୋଇ ନ ଥିଲା ମହାନଦୀର ତଳ ଅଞ୍ଚଳଗୁଡିକ ସବୁ ବେଳେ ବନ୍ୟାରେ କ୍ଷତିଗ୍ରସ୍ତ ହେଉଥିଲା। ଶୁକପାଇକାର ତ୍ରିକୋଣଭୂମି ଅଞ୍ଚଳ ମଧ୍ୟ ନିୟମିତ ଭାବେ ବନ୍ୟା ଦ୍ୱାରା ପ୍ଳାବିତ ହେଉଥିଲା। ଅଞ୍ଚଳବାସୀଙ୍କୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସରକାରଙ୍କ ଦ୍ୱାରା ୧୯୫୨ ମସିହାରେ ଆୟତପୁରଠାରେ ଶୁକପାଇକାର ମୁହଁକୁ ବନ୍ଧ ପକାଇ ବନ୍ଦ କରି ଦିଆଗଲା। ଅଞ୍ଚଳର ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ନିଆ ଯାଇଥିବା ଏହି ପଦକ୍ଷେପରେ ସ୍ଥାନୀୟ ଜନନେତା ରାଜକୃଷ୍ଣ ବୋଷଙ୍କ ଭୂମିକା ଥିଲା ଅଗ୍ରଗଣ୍ୟ। ମହାନଦୀର ଜଳ ଶୁକପାଇକାକୁ ପ୍ରବେଶ କରି ନ ପାରିଲେ ବି ଉଦବୃତ୍ତ ବର୍ଷା ଜଳ ନଦୀ ଦେଇ ବାଙ୍କୋଳଠାରେ ମହାନଦୀକୁ ନିଷ୍କାସିତ ହେଲା।

୧୯୫୭ରେ ହୀରାକୁଦ ନଦୀବନ୍ଧ ଓ ନରାଜ ବ୍ୟାରେଜ ନିର୍ମାଣ ହୋଇ ମହାନଦୀରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲେ ବି ଶୁକପାଇକାର ବନ୍ଦ ନଦୀ ମୁହଁକୁ ଖୋଲିବା କଥା ଆଉ କେବେ କାହା ମନକୁ ଆସିଲା ନାହିଁ। ଅଳ୍ପ ଦିନ ମଧ୍ୟରେ ନଦୀରେ ଜଳାଭାବ ଦେଖା ଦେଇ ଚାଷବାସ ବାଧାପ୍ରାପ୍ତ ହେଲା। କାଳକ୍ରମେ ନଦୀଟି ମୃତପ୍ରାୟ ହୋଇଗଲା। ଜଳସେଚନ ସମସ୍ୟାକୁ ସୁଧାରିବା ପାଇଁ ପରବର୍ତ୍ତୀ ସମୟରେ ତାଳଦଣ୍ଡା କେନାଲରୁ ଚ୍ୟାନେଲ ଓ ଡିଷ୍ଟ୍ରିବ୍ୟୁଟାରି ଜରିଆରେ ପାଣି ଯୋଗାଇ ଦିଆ ଯାଇଥିଲେ ବି ତାହା ଦ୍ୱାରା ତ୍ରିକୋଣଭୂମିର ଅଧିକାଂଶ ଅଞ୍ଚଳର ଚାଷ ଜମିକୁ ପାଣି ମାଡ଼େ ନାହିଁ ବୋଲି ଚାଷୀଙ୍କ ଅଭିଯୋଗ। ନଦୀଟି ଜୀବିତ ଥିଲା ବେଳେ ଭୂତଳ ଜଳସ୍ତର ମଧ୍ୟ ଭଲ ରହି ଗାଁର କୂପ, ନଳକୂପ ଓ ପୋଖରୀଗୁଡ଼ିକର ଜଳସ୍ତର ଉପରେ ରହୁଥିଲା। ପୂର୍ବେ ମାତ୍ର ପାଞ୍ଚ ଫୁଟ ଖୋଳିଲେ ପାଣି ମିଳୁଥିଲା ବେଳେ ଏବେ ଖରା ଦିନେ ଗାଁର କୂଅଗୁଡ଼ିକରେ ଜଳସ୍ତର ୩୫ରୁ ୪୦ ଫୁଟ ତଳକୁ ଖସି ଯାଉଛି। ଏହା ଫଳରେ ନଦୀର ତଳ ମୁଣ୍ଡରେ ଥିବା କେତେକ ଗାଁରେ ପାଣିରେ ଆର୍ସେନିକ ବାହାରି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଉଛି ବୋଲି ଅଭିଯୋଗ ହେଉଛି।

Image Credit: DowntoEarth

ଆଗରୁ ନଦୀରେ ବନ୍ୟା ଆସି ଖରିଫ ଚାଷ ନଷ୍ଟ ହେଉଥିଲେ ବି ପାଣିର ଉପଲବ୍ଧତା କାରଣରୁ ପଟୁ ପଡିଥିବା ଜମିରେ ଭଲ ରବି ଫସଲ ହେଉଥିଲା। ଏଠାରେ ଥିବା ପ୍ରାୟ ୮୦୦ ଏକର ନଦୀ ପଠାରେ ବି ଭଲ ପନିପରିବା ଚାଷ ହେଉଥିଲା, ଯାହା ପାଣି ଅଭାବରୁ ବନ୍ଦ ହୋଇଗଲା। ପଠାରେ ଥିବା ହଜାର ହଜାର ଗଛ ମଧ୍ୟ ପାଣି ଅଭାବରୁ ମରିଯିବା ଫଳରେ ମୃତ୍ତିକା କ୍ଷୟ ହୋଇ ନଦୀ ଶଯ୍ୟାକୁ ପୋତି ପକାଇଲା। ନଦୀରେ ପାଣି ନ ଥିବାରୁ ନଦୀ ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ମତ୍ସ୍ୟଜୀବୀ ସେମାନଙ୍କ ଜୀବିକା ହରାଇ ଅନେକେ ଅନ୍ୟତ୍ର ଯିବା ପାଇଁ ବାଧ୍ୟ ହେଲେ। ବର୍ଷ ଯାକ ନଦୀ ଶଯ୍ୟା ବିଲାତି ଦଳମୟ ହୋଇ ରହିଥାଏ ଓ ତାହା ପଚି ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ମ୍ୟାଲେରିଆ ଭଳି ରୋଗର କାରଣ ପାଲଟିଥାଏ। ବାରାହାପାଟ ପରି ଅନେକ ଅଞ୍ଚଳରେ ନଦୀ ଶଯ୍ୟାର ଉଚ୍ଚତା ବଢ଼ି ଗହୀରରୁ ଆସିଥିବା ନାଳଗୁଡ଼ିକର ମୁହାଣ ପୋତି ହୋଇ ଯାଇଥିବାରୁ ଜଳ ନିଷ୍କାସନ ହୋଇ ନ ପାରି ଶହ ଶହ ଏକର ଜମିରେ ଧାନ ପଚିବାର ଦୃଷ୍ଟାନ୍ତ ମଧ୍ୟ ଦେଖିବାକୁ ମିଳେ। କେତେକ ଅଞ୍ଚଳରେ ଲୋକେ ନଦୀଶଯ୍ୟାରେ ଇଟାଭାଟି ଆଦି ବସାଇ ଅତିକ୍ରମଣ କରିବାକୁ ପଛାଇଲେ ନାହିଁ। ଏପରିକି ଏକ ନିର୍ଦ୍ଦିଷ୍ଟ ପଞ୍ଚାୟତ ଦ୍ୱାରା ୬ ଲକ୍ଷ ଟଙ୍କା ବ୍ୟୟରେ ନଦୀଶଯ୍ୟାରେ ଏକ ପୋଖରୀ ଖୋଳା ହୋଇଥିବାର ଅଭିଯୋଗ ମଧ୍ୟ ଶୁଣିବାକୁ ମିଳିଲା। ପ୍ରକାରାନ୍ତରେ ନଦୀର ପ୍ରବେଶକୁ ବନ୍ଦ କରି ବିକାଶର ସ୍ୱପ୍ନ ଦେଖିଥିବା ମଣିଷକୁ ଯେ ଏତେ ଶୀଘ୍ର ବିନାଶର ଏଇ କରାଳ ରୂପ ଦେଖିବାକୁ ପଡ଼ିବ, ତାହା ସେ କଳ୍ପନା ସୁଦ୍ଧା କରି ନ ଥିଲା। ସେ ଅତିଷ୍ଠ ହୋଇ ପଡ଼ିଥିଲେ ବି ପ୍ରତିବାଦ ଓ ପ୍ରତିକାରର ସ୍ୱର ତା ମୁହଁରୁ ସ୍ପଷ୍ଟ ଶୁଭିବାକୁ ସମୟ ଲାଗିଲା।

ଶୁକପାଇକା ନଦୀ ମୃତପ୍ରାୟ ହୋଇଯିବା ପରେ ତ୍ରିକୋଣଭୂମିରେ ବସବାସ କରୁଥିବା ଅନେକେ ନିଜ ଜୀବନଜୀବିକା ହରାଇଥିବାରୁ ଓ ଚାଷବାସ ପ୍ରଭାବିତ ହୋଇଥିବାରୁ ନଦୀଟିର ପୁନରୁଦ୍ଧାର ପାଇଁ ଲୋକଙ୍କ ମନରେ ଇଚ୍ଛା ଜାଗ୍ରତ ହେବା ସ୍ୱାଭାବିକ। ତେବେ ଏଥିପାଇଁ ୬୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଧିବଦ୍ଧ ଭାବେ ସେପରି କୌଣସି ଜନପ୍ରୟାସ ହୋଇ ନ ଥିଲା। ୨୦୧୬ ମସିହାରେ ପ୍ରଥମ କରି ତ୍ରିକୋଣଭୂମି ଅଞ୍ଚଳର ବୋଧପୁର ନିବାସୀ ଖ୍ୟାତିସମ୍ପନ୍ନ ହୃଦରୋଗ ବିଶେଷଜ୍ଞ ପ୍ରତାପ ଚନ୍ଦ୍ର ରଥଙ୍କ ପ୍ରୟାସରେ ପ୍ରଭାବିତ ଗାଁଗୁଡିକର ଗଣ୍ୟମାନ୍ୟ ବ୍ୟକ୍ତି ଓ ଚାଷୀମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ତେବେ ଏ ଦିଗରେ ବିଧିବଦ୍ଧ ପ୍ରୟାସ ଜାରି ରଖିବା ପାଇଁ ୨୦୧୯ ମସିହାରେ ସେଠାରେ ଡାକ୍ତର ରଥଙ୍କ ଆବାହକତ୍ୱରେ ‘ଶୁକପାଇକା ବଞ୍ଚାଅ ଅଭିଯାନ’ ନାମକ ଏକ ସଂଗଠନ ପଞ୍ଜିକୃତ ହେଲା। ପୁନର୍ବାର ତ୍ରିକୋଣଭୂମି ଅଞ୍ଚଳର ପ୍ରାୟ ୮୦୦୦ ଲୋକଙ୍କ ସ୍ୱାକ୍ଷର ବହନ କରୁଥିବା ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଗଲା। ନଦୀ ପୁନରୁଦ୍ଧାର ପାଇଁ ଜନ ସହଯୋଗକୁ ସୁନିଶ୍ଚିତ କରିବାକୁ ଚେଷ୍ଟା କରିବା ସହ ସରକାରୀ ସ୍ତରରେ ଏହାକୁ ପୁଣି କିପରି ଏକ ଜୀବନ୍ତ ନଦୀରେ ପରିଣତ କରି ହେବ ସେ ନେଇ ପ୍ରୟାସ ଜାରି ରଖିବା ଲାଗି ଏକ ପାଞ୍ଚ ଜଣିଆ କୋର କମିଟି ଗଠିତ ହୋଇଛି। ଗତ ଦୁଇ ବର୍ଷ ଧରି ଅଭିଯାନ ଦ୍ୱାରା ଏ ଦିଗରେ ନିରବଚ୍ଛିନ୍ନ ପ୍ରୟାସ ହୋଇପାରିଛି। ନିର୍ବାଚିତ ବିଧାୟକ ଏଭଳି ପ୍ରୟାସଠାରୁ ନିଜକୁ ଦୂରେଇ ରଖିଥିଲେ ବି ତାହା ପରୋକ୍ଷରେ ଆନ୍ଦୋଳନ ପାଇଁ ଆଶୀର୍ବାଦ ସଦୃଶ ହୋଇଛି। ଏ ପର୍ଯ୍ୟନ୍ତ ଏହି ଅଭିଯାନ ଏକ ଅଣରାଜନୈତିକ ମଞ୍ଚ ଦ୍ୱାରା ହେଉଥିବାରୁ ଓ ମଞ୍ଚର ଉଦ୍ଦେଶ୍ୟ ସେହି ଅଞ୍ଚଳର ଲୋକଙ୍କ ବୃହତ୍ତର ସ୍ୱାର୍ଥ ହାସଲ ପାଇଁ ହୋଇଥିବାରୁ ଦଳ ମତ ନିର୍ବିଶେଷରେ ସମସ୍ତଙ୍କଠାରୁ ଏଥି ପ୍ରତି ସମର୍ଥନ ମିଳିପାରୁଛି। ଲକ୍ଷ୍ୟ ହାସଲ ପାଇଁ ମଞ୍ଚ ତରଫରୁ ଲୋକମାନଙ୍କୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଡାକରା ଦିଆଯାଉଛି। ଏହି କ୍ରମରେ ଅପ୍ରେଲ ୨୨,୨୦୨୧ ଦିନ ତ୍ରିକୋଣଭୂମି ଅଞ୍ଚଳର ସବୁ ଘରେ ସକାଳ ସାତଟାରୁ ସନ୍ଧ୍ୟା ସାତଟା ଯାଏଁ ଚୂଲି ନ ଜଳାଇବାକୁ ଆହ୍ୱାନ ଦିଆଯାଇଛି। ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନର ଏହା ଏକ ଅନନ୍ୟ ଉଦାହରଣ। ସେହିପରି ମେ ୧୬ରେ ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ସ୍ଥାନୀୟ ଲୋକେ ମହାନଦୀରୁ ପାଣି ଆଣି ଶୁଖି ଯାଇଥିବା ଶୁକପାଇକା ନଦୀରେ ପକାଇବେ। ଜୁନ ୭ରେ ସ୍ଥାନୀୟ ଚାଷୀ ଓ ମତ୍ସ୍ୟଜୀବୀମାନେ ତହସିଲ ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଲକ୍ଷ୍ୟ ହାସଲ ପାଇଁ ‘ଶୁକପାଇକା ବଞ୍ଚାଅ ଅଭିଯାନ’ ଓ ସ୍ଥାନୀୟ ଲୋକଙ୍କ ନିରବଚ୍ଛିନ୍ନ ଉଦ୍ୟମ ପ୍ରଶଂସନୀୟ।

ନିଜ ଦାବି ହାସଲ ପାଇଁ ଧାରଣା, ଆନ୍ଦୋଳନ, ପ୍ରତିବାଦ ଆଦି ନିଶ୍ଚିତ ଭାବେ ଜନପ୍ରୟାସର ଗୁରୁତ୍ୱପୂର୍ଣ୍ଣ ଆୟୁଧ ଭାବେ ସର୍ବଦା ସ୍ୱୀକୃତ। ତେବେ ଏଥି ସହ ପ୍ରତୀକାତ୍ମକ ଜନ ଭାଗିଦାରି ମଧ୍ୟ ଆଜିକାଲି ପ୍ରତିବାଦର ସଦ୍ୟତମ ଆୟୁଧ ଭାବେ ଗୃହୀତ ହେବାକୁ ଲାଗିଲାଣି। ଦୀର୍ଘ ଦିନ ଧରି ଦାବି ଜଣାଇ କାମ ହେଉ ନ ଥିବା ଦେଖି କିଛି ସ୍ଥାନରେ ଲୋକେ ନିଜ ଚେଷ୍ଟାରେ ରାସ୍ତା, ପୋଲ ଆଦି ନିର୍ମାଣ କରୁଥିବାର ଖବରମାନ ବିଭିନ୍ନ ସମୟରେ ଶୁଣିବାକୁ ମିଳିଥାଏ। ନିକଟରେ ଦରବାର ସାହିତ୍ୟ ସଂସଦ ସହଯୋଗରେ ବାଲିପାଟଣାର କୁରଞ୍ଜିପୁର ପଞ୍ଚାୟତର ସାନମାଛପୁର ଓ ନିଶ୍ଚିନ୍ତପୁର ଗ୍ରାମରେ ଜଳ ସଂରକ୍ଷଣ ଉଦ୍ଦେଶ୍ୟରେ ଦୁଇଟି ପୋଖରୀର ପୁନରୁଦ୍ଧାର କରାଯାଇଛି, ଯେଉଁଥିରେ ୧୦୦ରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଗ୍ରାମବାସୀ ୫ ଦିନ ଯାଏଁ ଶ୍ରମଦାନ କରିବାକୁ ଆଗେଇ ଆସିଥିଲେ। ଏହା ଏକ ପ୍ରକଳ୍ପ ଅଧୀନରେ କରା ଯାଇଥିଲେ ମଧ୍ୟ ଲୋକଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ଲାଗି ଶ୍ରମଦାନ ପାଇଁ ଶ୍ରମିକଙ୍କୁ ମଜୁରୀ ପ୍ରଦାନ କରା ନ ଯାଇ ରାସନ ସାମଗ୍ରୀ ଦିଆ ଯାଇଥିଲା। ଶୁକପାଇକା ନଦୀର ତ୍ରିକୋଣଭୂମିରେ ଥିବା ଲକ୍ଷାଧିକ ପରିବାର ନଦୀର ପୁନରୁଦ୍ଧାର ଦ୍ୱାରା ଉପକୃତ ହେବାକୁ ଯାଉଥିବାରୁ ନଦୀ ପାଇଁ ପ୍ରତି ପରିବାର ଅନ୍ତତଃ ଦିନକ ପାଇଁ ଶ୍ରମଦାନ କରିବାକୁ ଆଗେଇ ଆସିଲେ ଏହି ମହତ୍ କାର୍ଯ୍ୟରେ ବିଶାଳ ଜନସମ୍ପୃକ୍ତିକୁ ସୁନିଶ୍ଚିତ କରାଯିବା ସହ ପ୍ରକଳ୍ପ ପ୍ରତି ସେମାନଙ୍କ ଆନ୍ତରିକତାକୁ ପ୍ରଦର୍ଶନ କରାଯାଇପାରନ୍ତା। ଏହା ଭାଗିଦାରୀ ନିର୍ମାଣ (ଷ୍ଟେକ୍ ବିଲଡିଂ) ପର୍ଯ୍ୟାୟବାଚୀ ହୋଇଥିବାରୁ ପ୍ରକଳ୍ପଟିକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାରେ ଏହା ସମର୍ଥ ହୁଅନ୍ତା ମଧ୍ୟ। ପ୍ରତିବାଦର ଏହି ଦିଗଟିକୁ ବି ‘ଶୁକପାଇକା ବଞ୍ଚାଅ ଅଭିଯାନ’ ବିବେଚନା କରିବା ଉଚିତ। ପ୍ରକଳ୍ପ ଆରମ୍ଭ ପୂର୍ବରୁ ନଦୀ ଶଯ୍ୟାରୁ ମାଟି ଖୋଳିବା ପାଇଁ ଏମଜିଏନଆରଇଜିଏର ସହାୟତା ବି ନିଆ ଯାଇପାରେ।

ଇତିମଧ୍ୟରେ ସରକାରୀ ସ୍ତରରେ ମଧ୍ୟ ଶୁକପାଇକାକୁ ପୁନର୍ଜୀବିତ କରିବା ଲାଗି  ଆଗ୍ରହ ପ୍ରକାଶ ପାଇ ସେଥିପାଇଁ ଜଳ ସମ୍ୱଳ ବିକାଶ ବିଭାଗ ଦ୍ୱାରା ପ୍ରକଳ୍ପ ପ୍ରସ୍ତୁତ ହେଉଥିବାର ଆଭାସ ମିଳିଲାଣି। ଆୟତପୁରଠାରେ ନିର୍ମିତ ବନ୍ଧକୁ ହଟାଇ ଶୁକପାଇକାର ମୁହଁକୁ ଉନ୍ମୁକ୍ତ କରିବା, ସେଠାରେ ସ୍ଲୁଇସ ଗେଟର ବ୍ୟବସ୍ଥା କରି ଜଳର ପ୍ରବେଶକୁ ନିୟନ୍ତ୍ରିତ କରିବା, ଶୁକପାଇକାର ନଦୀ ଶଯ୍ୟା ପୋତି ହୋଇ ଯାଇଥିବାରୁ ତାକୁ ଡ୍ରେଜିଂ କରି ଖୋଳିବା, ନଦୀର ୨୭ କିଲୋମିଟର ଦୈର୍ଘ୍ୟର ବିଭିନ୍ନ ସ୍ଥାନରେ ଆନିକଟମାନ କରି ବନ୍ୟା ଓ ବର୍ଷା ଜଳକୁ ବର୍ଷ ତମାମ ଅଟକାଇ ରଖିବା ଆଦି ଏହି ପ୍ରକଳ୍ପର ଅଂଶ ବିଶେଷ ହେବ ବୋଲି ଆଶା କରାଯାଏ। ତାହା ହେଲେ ନଦୀଟି ପ୍ରାଣବନ୍ତ ହେବା ସହ ସେହି ଅଞ୍ଚଳରେ ଭୂତଳ ଜଳସ୍ତରରେ ଉନ୍ନତି ଘଟିବ। ଫଳରେ ଉଭୟ କୃଷିଜୀବୀ ଓ ମତ୍ସ୍ୟଜୀବୀଙ୍କର ପ୍ରଭୁତ ଲାଭ ହେବା ସହ ସମଗ୍ର ଅଞ୍ଚଳର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଏ।

ଯେ କୌଣସି ନଦୀର ଶାଖା ନଦୀ ବନ୍ୟା ନିୟନ୍ତ୍ରଣ ତଥା ନଦୀ ପ୍ରବାହକୁ ଉଚିତ ସ୍ତରରେ ରଖିବା ପାଇଁ ଏକ ପ୍ରାକୃତିକ ବ୍ୟବସ୍ଥା। ତେଣୁ ମହାନଦୀ ପାଇଁ ଶୁକପାଇକା ନଦୀଟି ତା’ର ସ୍ୱାଭାବିକ ଅବସ୍ଥାକୁ ଫେରି ଆସି ଏକ ଜୀବନ୍ତ ନଦୀରେ ପରିଣତ ହେବା ଅତି ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ଜାତୀୟ ସ୍ତରରେ ଯେତେବେଳେ କୃତ୍ରିମ କେନାଲ ବ୍ୟବସ୍ଥା କରି ନଦୀ ସଂଯୋଗୀକରଣର କଥା କୁହାଯାଉଛି, ସେତେବେଳେ ଶୁକପାଇକା ପରି ମହାନଦୀର ଏକ ପ୍ରାକୃତିକ ଶାଖା ନଦୀକୁ ମରିବା ପାଇଁ ଛାଡି ଦେଇ ହେବ କିପରି? ତେଣୁ ଶୁକପାଇକା ପୁଣି ଏକ ଜୀବନ୍ତ ନଦୀରେ ପରିଣତ ହେବା ସେହି ନଦୀର ତ୍ରିକୋଣଭୂମିରେ ଥିବା ଲୋକଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଅନ୍ୟତ୍ର ବସବାସ କରୁଥିବା ଲୋକଙ୍କ ପାଇଁ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କ ସକ୍ରିୟ ସମର୍ଥନରେ ଗୋଟିଏ ନଦୀ ପୁନର୍ଜୀବନ ଲାଭ କରି ପାରିଲେ ତାହା ଏକ ମହତ୍ କାର୍ଯ୍ୟ ହେବ। ‘ଶୁକପାଇକା ବଞ୍ଚାଅ ଅଭିଯାନ’ର ଜନପ୍ରୟାସରେ ନଦୀକୁ ପୁନର୍ଜୀବନ ମିଳି ପାରିଲେ ତାହା ମନୁଷ୍ୟକୃତ ହସ୍ତକ୍ଷେପ ଯୋଗୁ ସମାନ ସ୍ଥିତିରେ ମୃତପ୍ରାୟ ଅବସ୍ଥାରେ ପଡ଼ି ରହିଥିବା ବିଭିନ୍ନ ନଦୀ ଓ ନାଳଗୁଡିକର ପୁନର୍ଜୀବନ ପ୍ରାପ୍ତିର ସମ୍ଭାବନାକୁ ଉଜ୍ଜ୍ୱଳ କରିବ ଓ ସେଥିପାଇଁ ସମ୍ପୃକ୍ତ ଅଞ୍ଚଳର ଲୋକମାନଙ୍କୁ ପ୍ରେରଣା ଯୋଗାଇବ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

The post ଶୁକପାଇକା – ଏକ ମୃତ ନଦୀକୁ ଜୀବନ୍ତ କରିବା ଲାଗି ଜନପ୍ରୟାସ appeared first on Odisha Reporter.



from Odisha Reporter https://ift.tt/3elyOYG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages