ଅନୁଗୁଳ(ବିରଜା ଦାସ): କମ୍ ଦାମରେ ବୁଲେଟ କିଣିବା ଆଶାରେ ୪ ମାସ ପୂର୍ବେ ଠକାମୀର ଶିକାର ହେଲେ ଜଣେ ଯୁବକ। ଫେସବୁକରେ ବିଜ୍ଞାପନ ଦେଖି ଫୋନ୍ରେ ଯୋଗାଯୋଗ କରି ଫସି ଯାଇଥିଲେ ଯୁବକଜଣକ। ଏପରିକି ଗାଡ଼ି ଆଶାରେ ନିଜ ଆକାଉଣ୍ଟରୁ ୫୫ ହଜାର ଟଙ୍କା ପଠାଇବା ପରେ ନା ଗାଡ଼ି ମିଳିଲା ନ ଟଙ୍କା ଫେରିଲା। ଏନେଇ ଯୁବକଜଣକ ଥାନାରେ ଅଭିଯୋଗ କରିବା ପରେ ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ପୁଲିସ୍ ୪ ମାସ ପରେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି।
ସୂଚନାନୁଯାୟୀ, ଗତ ଜାନୁଆରୀ ୪ ତାରିଖରେ ବିକ୍ରମପୁର ଥାନାରେ ଏକ ସାଇବର ଠକେଇ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକାରୀ ଫେସବୁକରେ ଏକ ବୁଲେଟ ମୋଟରସାଇକେଲ ବିକ୍ରୀର ବିଜ୍ଞାପନ ଦେଖିଥିଲେ। ଜଣେ ନିଜକୁ ଆର୍ମୀ ଅଫିସର ପରିଚୟ ଦେଇ ବୁଲେଟକୁ ମାତ୍ର ୫୫ ହଜାର ଟଙ୍କାରେ ବିକ୍ରି କରିବେ ବୋଲି ଲେଖିଥିଲେ । କମ ଦାମରେ ବୁଲେଟ ମିଳୁଥିବା ଦେଖି ଅଭିଯୋଗକାରୀ ସେଥିରେ ଥିବା ଫୋନ ନମ୍ବରରେ ଯୋଗାଯୋଗ କରିଥିଲେ । ଫୋନରେ କଥା ହେବା ପରେ ସେ ଫୋନପେ ଜରିଆରେ ଟଙ୍କା ପଠାଇଲେ ଅଭିଯୋଗକାରୀଙ୍କ ଘରକୁ ଆର୍ମୀ ପରିବହନ ମାଧ୍ୟମରେ ଗାଡି ପହଞ୍ଚାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା।
କଥାବାର୍ତ୍ତା ଅନୁଯାୟୀ, ଅଭିଯୋଗକାରୀ ବିଭିନ୍ନ କିସ୍ତିରେ ଏକ ଆକାଉଣ୍ଟ ନମ୍ବରକୁ ମୋଟ ୫୫ହଜାର ଟଙ୍କା ପଠାଇଥିଲେ । ତେବେ ଟଙ୍କା ପଠାଇବା ପରେ ସମ୍ପୃକ୍ତ ବ୍ୟକ୍ତି ନା ମୋଟରସାଇକେଲ ପଠାଇଲେ ନା ଅଭିଯୋଗକାରୀଙ୍କୁ ଆଉ ଟଙ୍କା ଫେରସ୍ତ କରିଥିଲେ । ବାଧ୍ୟ ହୋଇ ଠକାମୀର ଶିକାର ହୋଇଥିବା ଜାଣିପାରି ସେ ଥାନାର ଦ୍ଵାରସ୍ଥ ହେବା ପରେ ପୁଲିସ୍ ତଦନ୍ତ କରି ଘଟଣାର ପର୍ଦାଫାସ କରିଥିଲା ।
ତଦନ୍ତ ବେଳେ ପୁଲିସ ଏହି ଠକାମୀ ମୟୂରଭଞ୍ଜ ଅଞ୍ଚଳରୁ ହୋଇଥିବା ଜାଣିବାକୁ ମଧ୍ୟ ପାଇଥିଲା । ଏଥିପାଇଁ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ମୟୂରଭଞ୍ଜ ଯାଇ ଏହି ଠକାମିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନର କୃଷ୍ଣ ଚନ୍ଦ୍ର ବାରିକ , ଗଣେଶ ଚନ୍ଦ୍ର ବାରିକ ଏବଂ କୃଷ୍ଣ ମୁଖି ।
ସେମାନଙ୍କ ନିକଟରୁ ଠକାମିରେ ବ୍ୟବହୃତ ହେଉଥିବା ମୋବାଇଲ ଫୋନ , ଏକ ଲାପଟପ ଏବଂ ଏକ ହାର୍ଡ ଡିସ୍କ ଜବତ କରାଯାଇଛି । ଏହା ସହ ଏମାନେ ନକଲି ପରିଚୟ ପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ସଂଗ୍ରହ କରି ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲି ଏଭଳି ଠକାମି କରୁଥିବା ଜାଣିବାକୁ ପାଇଛି ପୁଲିସ୍।
The post କମ୍ ଦାମ୍ରେ ବୁଲେଟ ଲୋଭ ଦେଖାଇ ଲୁଟୁ ଥିଲେ, ବନ୍ଧା ହେଲେ appeared first on Odisha Reporter.
from Odisha Reporter https://ift.tt/3dc4kJm
No comments:
Post a Comment