କଟକ(ଓଡ଼ିଶା ରିପୋର୍ଟର): ସାଇକେଲ, ବାଇକ୍, ଅଟୋ ଓ କାର୍ର ବିଭିନ୍ନ ଯନ୍ତ୍ରାଂଶର ସମ୍ମିଶ୍ରଣ ଶେଷରେ ଏକ ରୋଭରର ରୂପ ନେଇଛି। ନାମ ଏହାର ‘ନାପସାଟ୍’ । ଏପରି ଅବାସ୍ତବକୁ ବାସ୍ତବ କରି ଦେଖାଇଛନ୍ତି ୧୯ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ । ଏ ହେଉଛନ୍ତି ୟଙ୍ଗ ଟିଙ୍କର ଟିମ୍ । ରାଜ୍ୟର ବିଭିନ୍ନ ସ୍ଥାନରୁ ବଛା ବଛା ୧୦ ଯୁବ ବୈଜ୍ଞାନିକ ଏହି ଟିମ୍ରେ ସାମିଲ ହୋଇଛନ୍ତି । ଦୀର୍ଘ ୮ ମାସର ଅକ୍ଲାନ୍ତ ପରିଶ୍ରମ ପରେ ‘ନାପସାଟ୍’ ନାମକ ରୋଭର ବାସ୍ତବ ରୂପ ନେଇ ବେଶ୍ ପ୍ରଶଂସା ସାଉଣ୍ଟିଛି।
କଟକ ୪୨ ମୌଜାର ଯୁବ ବୈଜ୍ଞାନିକ ଅନିଲ ପ୍ରଧାନଙ୍କ ନେତୃତ୍ୱରେ ଓଡିଶାର ବଛାବଛା ୧୦ ଜଣ ଛାତ୍ରଛାତ୍ରୀ ନାସା ପାଇଁ ପ୍ରସ୍ତୁତ ରୋଭରକୁ ଅନ୍ଲାଇନ୍ରେ ଉପସ୍ଥାପନ କରିଛନ୍ତି। ସାରା ବିଶ୍ୱରୁ ୮୭ ଟିମ ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ନାମକ ଏହି ଚାଲେଞ୍ଜରେ ଭାଗ ନେଇଛନ୍ତି ।
ଟିମ୍ ଲିଡର ଅନିଲ ପ୍ରଧାନଙ୍କ ନେତୃତ୍ୱରେ ମହାକାଶ ଗବେଷଣା ଅନୁସନ୍ଧାନ କେନ୍ଦ୍ର ନାସା ପାଇଁ ପ୍ରସ୍ତୁତ ହୋଇଛି ଏହି ରୋଭର । ବର୍ତ୍ତମାନ ପରିସ୍ଥିତିରେ କରୋନା ପାଇଁ ନାସା ଗସ୍ତକୁ ବନ୍ଦ ରଖାଯାଇଛି । ଫଳରେ ଟିମ୍ ସଦସ୍ୟ ଅନଲାଇନରେ ଉପସ୍ଥାପନ କରିଛନ୍ତି ଏହି ରୋଭର। ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜକୁ ଆଖି ଆଗରେ ରଖାଯାଇ ଏହି ରୋବୋଟ୍ ପ୍ରସ୍ତୁତ ହୋଇଛି । ୮ମାସ ହେଲା ଦିନରାତି ଏକ କରି ଯୁବ ବୈଜ୍ଞାନିକମାନେ ରୋଭର ପ୍ରସ୍ତୁତ କରି ପାରିଛନ୍ତି ।
ନାସାର ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର-୨୦୨୪ ଚାଲେଞ୍ଜ ପାଇଁ ମିଳିଥିଲା ଏକ ବଡ ସୁଯୋଗ । ପ୍ରୋଜେକ୍ଟକୁ ବାସ୍ତବ ରୂପ ଦେବା ପାଇଁ ଆରମ୍ଭ ହୋଇଥିଲା ଟ୍ୟାଲେଣ୍ଟ ସର୍ଚ୍ଚ ପକ୍ରିୟା । ଆଉ ଶେଷରେ ଏହା ବାସ୍ତବ ରୂପ ନେଇଛି । ଏକ ରୋଭର ପ୍ରୋଜେକ୍ଟକୁ ନାସାକୁ ପଠାଇ ବେଶ୍ ପ୍ରଶଂସିତ ହୋଇଛି ଅନିଲଙ୍କ ଟିମ୍।
କୈଳାଶ ଚନ୍ଦ୍ର ବାରିକ ନାମକ ଅନ୍ୟ ଜଣେ ଯୁବ ବୈଜ୍ଞାନିକ କହିଛନ୍ତି, ସାଇକେଲ ଦୋକାନରେ କାମ କରୁଥିଲି। ଆଇଟିଆଇ କରି ଟ୍ରେନିଂ ନେଲି। ଏହାପରେ ବିଜ୍ଞାପନ ଦେଖି ଏହି ଟିମ୍କୁ ଆସିଲି। ଏହି ରୋଭର ଆବଡ଼ାଖାବଡ଼ା ରାସ୍ତା, ବାଲି ରାସ୍ତା, ପଥର ରାସ୍ତାରେ ଚାଲି ପାରିବ।
ବହୁତ ଖୁସି ଲାଗୁଛି। ଆମ ଭିଡିଓ ଦେଖି ନାସା ପକ୍ଷରୁ ବହୁ ପ୍ରଶଂସା ମିଳିଛି। ଆମେ ୧୦ ଜଣ ଏକ ଟିମ୍ରେ ପ୍ରାୟ ୮ ମାସ ଲାଗି ଏହାକୁ ଶେଷ କରିଛୁ ବୋଲି କହିଛନ୍ତି ଟିମ୍ ଲିଡ଼ର ବୈଶାଳିନୀ ଶର୍ମା ଓ ଯୁବ ବୈଜ୍ଞାନିକ ରିନା ବାଘ।
ପ୍ରକଳ୍ପ ନିର୍ଦ୍ଦେଶକ ଅନୀଲ ପ୍ରଧାନ କହିଛନ୍ତି ଟିମ୍ ସଦସ୍ୟଙ୍କ ମିଳିତ ଉଦ୍ୟମ ଯୋଗୁ ସଫଳ ହେଲୁ। ଏହା ମେଡି ଇନ୍ ଓଡ଼ିଶା। ଯାହା ଅସମ୍ଭବ ଦେଖା ଯାଉଥିଲା, ତାହା ଏବେ ବାସ୍ତବ ରୂପ ନେଇସାରିଛି। ପ୍ରଥମ କରି ଓଡିଶାରୁ ଏଭଳି ଏକ ପ୍ରୋଜେକ୍ଟର ବାସ୍ତବ ରୂପ ନାସା ନିକଟରେ ଉପସ୍ଥାପନ କରି ପାରିଥିବାରୁ ଢେର୍ ଖୁସି ସହ ଆଶାବାଦୀ ଅଛନ୍ତି ଟିମ୍ ସଦସ୍ୟ।
The post ମେଡ ଇନ୍ ଓଡ଼ିଶା; ନାସା କଲା ପ୍ରଶଂସା appeared first on Odisha Reporter.
from Odisha Reporter https://ift.tt/3g2kF5f
No comments:
Post a Comment