କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଫେରାର ହୋଇ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର ହାଇଦର କରୋନାରେ ଆକ୍ରାନ୍ତ ହୋଇଛି। RT-PCR ଟେଷ୍ଟରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।
କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହାଇଦରର ରିମାଣ୍ଡକୁ ସ୍ଥଗିତ ରଖାଯାଇଛି। କଟକ ମଙ୍ଗଳାବାଗ ପୁଲିସ୍ ତାକୁ ଆଜିଠୁ ୭ ଦିନ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥା’ନ୍ତା।
ଗତକାଲି ହାଇଦରକୁ କଟକ ସିଟି ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯିବା ପରେ ଚୌଦ୍ୱାର ଜେଲ୍କୁ ପଠାଇ ଦିଆଯାଇଥିଲା। ଆଜି ସକାଳ ୭ଟାରୁ ତା’ର ରିମାଣ୍ଡ ଅବଧି ଆରମ୍ଭ ହୋଇଥା’ନ୍ତା ଓ ଏହା ୨୩ ତାରିଖ ସକାଳ ୭ଟାରେ ଶେଷ ହୋଇଥା’ନ୍ତା। କିନ୍ତୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାକୁ ଚୌଦ୍ୱାର ଜେଲ୍ର ଆଇସୋଲେସନ୍ ୱାର୍ଡରେ ରଖାଯାଇଛି।
ଅସୁସ୍ଥତା ହେତୁ ମାର୍ଚ୍ଚ ୨୩ ତାରିଖରେ ସମ୍ବଲପୁର ଜେଲ୍ରୁ କଟକ ବଡ଼ ଡାକ୍ତରଖାନାକୁ ଆସିଥିଲା ହାଇଦର। ତେବେ ଏପ୍ରିଲ୍ ୧୦ ତାରିଖ ଅପରାହ୍ଣ ୪ଟାରୁ ସାଢ଼େ ୪ଟା ମଧ୍ୟରେ ସେଠାରୁ ସେ ଫେରାର ହୋଇଯାଇଥିଲା।
ତେଲେଙ୍ଗାନା ପୁଲିସ୍ ସହାୟତାରେ ହାଇଦରକୁ ଧରିଥିଲା କମିଶନରେଟ୍ ପୁଲିସ୍ର ସ୍ୱତନ୍ତ୍ର ଟିମ୍। ଏହା ପରେ ତାକୁ ଗତକାଲି ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଇଥିଲା ଏବଂ କୋର୍ଟରେ ହାଜର କରାଯାଇ ୧୦ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା। ତେବେ କୋର୍ଟ ୭ ଦିନ ପାଇଁ ତାକୁ ରିମାଣ୍ଡରେ ନେବାକୁ ମଙ୍ଗଳାବାଗ ପୁଲିସ୍କୁ ଅନୁମତି ଦେଇଥିଲେ।
ହାଇଦର ଫେରାର ଘଟଣାରେ ୬ ଜଣ ପୁଲିସ୍ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି। ଏହି ୬ ଜଣ ଡାକ୍ତରଖାନାରେ ହାଇଦରକୁ ଜଗିବା ଦାୟିତ୍ୱରେ ନିୟୋଜିତ ହୋଇଥିଲେ। ସେହିପରି ହାଇଦରର ଜଣେ ସହଯୋଗୀ ୟାକୁବ ଓରଫ ସଲ୍ଲୁକୁ ଗିରଫ କରାଯାଇଛି।
The post ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା, ରିମାଣ୍ଡ ସ୍ଥଗିତ appeared first on Odisha Reporter.
from Odisha Reporter https://ift.tt/3n64TrH
No comments:
Post a Comment