ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇଛି। କିଛି ଜିଲ୍ଲାରେ କରୋନା ସଂକ୍ରମଣ ହୁହୁ ବଢ଼ୁଥିବାରୁ ସେଠାରେ ସଂପୂର୍ଣ୍ଣ ଲକଡାଉନ ହେବାର ଆଶଙ୍କା ପ୍ରକାଶ ପାଇଛି। ଦେଶର ୧୫୦ଟି ଜିଲ୍ଲାରେ କରୋନା ସଂକ୍ରମଣ ବେକାବୁ ହୋଇଛି। ଏଠାରେ ପିଜିଟିଭିଟି ରେଟ୍ ୧୫% ଉପରେ ରହିଛି।
ସେହିପରି ହସ୍ପିଟାଲ ଗୁଡ଼ିକ ମଧ୍ୟ ନିଜର ପୂର୍ଣ୍ଣକ୍ଷମତାରେ କାର୍ଯ୍ୟ କରୁଛନ୍ତି। ତେଣୁ ଏସବୁ ଜିଲ୍ଲାରେ ସାନି ଲକଡାଉନ ଲାଗୁ ହୋଇପାରେ। କରୋନା ସଂକ୍ରମଣ ଚେନ୍କୁ ଭାଙ୍ଗିବା ପାଇଁ ଏହିସବୁ ଜିଲ୍ଲାରେ କେବଳ ଜରୁରୀ ସେବାକୁ ଛାଡ଼ି ପ୍ରଶାସନ ସବୁ କିଛି ବନ୍ଦ ରଖିବାକୁ ଚାହୁଁଥିବା ଜଣାପଡ଼ିଛି।
ପଜିଟିଭିଟି ଅଧିକ ରହୁଥିବା ଜିଲ୍ଲାରେ ଲକଡାଉନ ଲାଗୁ କରିବାକୁ ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟାମନ୍ତ୍ରଣାଳୟ ପକ୍ଷରୁ ବସିଥିବା ଗୋଟିଏ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ର ସରକାର ସଂପୃକ୍ତ ରାଜ୍ୟର ସରକାରମାନଙ୍କ ସହ କଥା ହୋଇ ନେବେ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମ ବିଶେଷଜ୍ଞମାନେ ପଜିଟିଭିଟି ରେଟ୍ ଅଧିକ ଥିବା ଜିଲ୍ଲାଗୁଡ଼ିକରେ ତୁରନ୍ତ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଲକଡାଉନ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଯେଉଁ ସବୁ ଜିଲ୍ଲାରେ ସପ୍ତାହେ ଧରି ସଂକ୍ରମଣ ଗ୍ରାଫ ଉପର ମୁହାଁ ହୋଇ ରହୁଛି, ସେଠାରେ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ପଜିଟିଭିଟି ଅଧିକ ରହିଥିବା ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୧୫୦ଟି ଜିଲ୍ଲା ଚିହ୍ନଟ ହୋଇଛି। ସେଠାରେ କଟକଣା ଅଧିକ କଡ଼ାକଡ଼ି କରିବାକୁ ବିଶେଷଜ୍ଞମାନେ କହିଛନ୍ତି। ତେଣୁ ଏହା ଉପରେ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀ ଜଣଙ୍କ ନିଜ ନାଁ ଗୋପନ ରଖି କହିଛନ୍ତି।
ସୂଚନାଯୋଗ୍ୟ, ଭାରତରେ କ୍ରମାଗତ ଭାବେ ଦୈନିକ ସଂକ୍ରଣ ୩ ଲକ୍ଷ ଉପରେ ରହୁଛି। ମୃତ୍ୟୁସଂଖ୍ୟା ମଧ୍ୟ ରେକର୍ଡ ପରେ ରେକର୍ଡ କରି ଚାଲିଛି। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, କର୍ଣ୍ଣାଟକା, କେରଳ ଭଳି ରାଜ୍ୟରେ ସଂକ୍ରମଣ ଦ୍ରୁତଗତିରେ ମାଡ଼ୁଛି। ବର୍ତ୍ତମାନ ଦେଶରେ ପଜିଟିଭିଟି ରେଟ୍ ପ୍ରାୟ ୨୦% ରହିଛି।
ମାର୍ଚ୍ଚ ମଧ୍ୟ ଭାଗରୁ ଦେଶରେ ଆକ୍ଟିଭ କେସ୍ ଲୋଡ ମଧ୍ୟ ବଢ଼ୁଛି। ସୋମବାର ସୁଦ୍ଧା ଏହା ୨୮.୮ ଲକ୍ଷ ପାର କରି ଯାଇଛି। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, କର୍ଣ୍ଣଟକା, କେରଳ, ରାଜସ୍ଥାନ, ଗୁଜରାଟ, ଛତିଶଗଡ଼ ଓ ତାମିଲନାଡୁରେ ୧ ଲକ୍ଷରୁ ଅଧିକ ଆକ୍ଟିଭ କେସ୍ ରହିଛି। ଏହି ୮ଟି ରାଜ୍ୟରେ ଦେଶର ୬୯% କେସ୍ ଲୋଡ୍ ରହିଛି।
ମହାମାରୀ କରୋନାର ଦ୍ୱିତୀୟ ଲହରରେ ଆକ୍ଟିଭ କେସ୍ ବଢ଼ୁଥିବାରୁ ଏହା ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତର ପ୍ରଭାବ ପକାଇଛି। ପୂର୍ବରୁ ହିଁ କେନ୍ଦ୍ର ସରକାର ଅଯଥା ଲୋକଙ୍କ ଚଳପ୍ରଚଳ ଉପରେ ରୋକ ଲଗାଇବାକୁ ରାଜ୍ୟମାନଙ୍କୁ କହି ସାରିଛି।
The post ଚିନ୍ତା ବଢ଼ାଇଲା ସଂକ୍ରମଣ ହାର: ଏହି ସବୁ ଜିଲ୍ଲା ହୋଇପାରେ ଲକଡାଉନ appeared first on Odisha Reporter.
from Odisha Reporter https://ift.tt/32WkOze
No comments:
Post a Comment