ଯାଜପୁର(ଅଭୟ ପତି): ଡ୍ୟୁଟି ସମୟରେ ଥାନା ଭିତରେ ନାଗିନ ଡ୍ୟାନ୍ସ କରି ରାତାରାତି ଚର୍ଚ୍ଚାକୁ ଚାଲି ଆସିଥିବା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା କର୍ମଚାରୀଙ୍କ ଉପରୁ ନିଜ ଆକ୍ରୋଶ ମନୋଭାବ ଭୁଲି ପାରୁ ନାହାନ୍ତି ସ୍ଥାନୀୟ ବାସିନ୍ଦା। ଏହାର ଭିଡିଓ ଭାଇରାଲ ହେବା ପରେ କେବଳ ASI ସଞ୍ଜୟ ଦାସଙ୍କୁ ସସପେଣ୍ଡ କରାଯାଇଥିବା ବେଳେ ନାଗିନ ଡ୍ୟାନ୍ସ କରିଥିବା ଅନ୍ୟମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ଏସ୍ପି। ଏହି ଘଟଣାକୁ ନେଇ ଲୋକଙ୍କ ଆକ୍ରୋଶ ମନୋଭାବର ଶିକାର ହୋଇଛନ୍ତି ଖୋଦ ଆଇଆଇସି।
ଗତକାଲି ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ସଠିପୁର ନିକଟ ଓଭରବ୍ରିଜ ତଳେ ଏକ ପିକଅପ ଭ୍ୟାନ୍ ଧକ୍କାରେ ଜଣେ ଦହିବରା ବିକାଳୀର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପ୍ରତିବାଦରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ।
ଖବର ପାଇ ସମ୍ପୃକ୍ତ ଥାନାର IIC ଏବଂ ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ IIC ମହୋଦୟ ସେଠାରେ ଥିବା ଜନସାଧାରଣଙ୍କୁ ଚଢ଼ା ଗଳାରେ କିଛି ଇଆଡ଼ୁ ସିଆଡ଼ୁ କହି ଦେଇଥିବା ଶୁଣିବାକୁ ମିଳୁଛି। ତାପରେ ଲୋକଙ୍କୁ ଆଉ ସମ୍ଭାଳେ କିଏ !
IIC ଙ୍କୁ ଠେଲାପେଲା କରିବା ସହ ରାସ୍ତାରେ ଚଲାଇ ଚଲାଇ ନେବାକୁ ପଛାଇଲେ ନାହିଁ। ତାଙ୍କ ଆଗରେ ବିନ୍ ବଜାଇବା ସହ ନାଗିନ ଡ୍ୟାନ୍ସ କରିବାକୁ କହିଥିଲେ। କେହି କେହି ତ ଠେଙ୍ଗା ଉଠାଇ ପିଟିବାକୁ ଉଦ୍ୟମ କରିଥିଲେ। ତେବେ ଏତେସବୁ ଘଟଣା ଘଟୁଥିବା ବେଳେ ଅନ୍ୟ ପୁଲିସ୍ କର୍ମଚାରୀ କେବଳ ନିରଵଦ୍ରଷ୍ଟା ସାଜିଥିଲେ।
ନାଗିନ ଡ୍ୟାନ୍ସ ଘଟଣାରେ କେବଳ ଜଣେ ASI ସଞ୍ଜୟ ଦାସଙ୍କୁ ଏସ୍ପି ସସପେଣ୍ଡ କରିଥିବା ବେଳେ ନାଗିନ ପୋଜରେ ଡ୍ୟାନ୍ସ କରିଥିବା ଅନ୍ୟ ବଡ଼ବଡ଼ ନାଗ ତଥା ନାଗୁଣିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଲୋକଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି।
ସୂଚନାଯୋଗ୍ୟ, ହୋଲି ଦିନ ପାଣିକୋଇଲି ମେଳଣରେ ଡ୍ୟୁଟି କରିସାରିବା ପରେ ସେଠାରୁ ଅବିର ରଙ୍ଗ ମାରି ହୋଇ ଥାନାକୁ ଆସିଥିଲେ ପୁଲିସ୍ କର୍ମଚାରୀମାନେ । ଏହାପରେ ଥାନା ଭିତରେ ଆରମ୍ଭ ହୋଇଥିଲା ସେମାନଙ୍କ ନାଗିନ ଡ୍ୟାନ୍ସ। ଆଧୁନିକ ଗୀତର ତାଳେତାଳେ ଅଣ୍ଟା ହଲାଇ ନାଚିଥିଲେ ଥାନାର ସମସ୍ତ ପୁଲିସ୍ କର୍ମଚାରୀ। କିଏ ନାଗିନ ଡ୍ୟାନ୍ସ ପୋଜ୍ରେ ନାଚିଲା ତ କିଏ ମହିଳା କର୍ମୀଙ୍କ ସହ ତାଳ ଦେବାକୁ ପଛାଇ ନ ଥିଲେ।
ଖୋଦ ଆଇଆଇସି ମଧ୍ୟ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଥିଲା ଭିଡିଓରେ । ଥାନାରେ ନାଚ ଘଟଣାକୁ ଆଇଆଇସି ମଧ୍ୟ ସ୍ୱୀକାର କରିଥିଲେ। ପରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବା ପରେ ଏସ୍ପି ASIଙ୍କୁ ସସ୍ପେଣ୍ଡ କରିଥିଲେ।
The post ‘ନାଗିନ ଡ୍ୟାନ୍ସ କର’- ପାଣିକୋଇଲି ଆଇଆଇସିଙ୍କୁ ଏପରି କହିଲେ ଲୋକ appeared first on Odisha Reporter.
from Odisha Reporter https://ift.tt/31YQ1RZ
No comments:
Post a Comment