ନୂଆଦିଲ୍ଲୀ: ଗୁଣି ଗାରେଡି, ଆର୍ଥିକ ପ୍ରଲୋଭନ, ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକ ଧର୍ମ ପରିବର୍ତ୍ତନ କରୁଛନ୍ତି। ଏଭଳି ପ୍ରଥା ଉପରେ ରୋକ୍ ଲାଗିବା ଦରକାର ବୋଲି ସୁପ୍ରିମକୋର୍ଟରେ ବିଜେପି ନେତା ତଥା ସାମାଜିକ କର୍ମୀ ଅଶ୍ୱିନୀ ଉପାଧ୍ୟାୟ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଯାହାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି, ଏଭଳି କୌଣସି କାରଣ ପାଇଁ ଜଣେ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରୁଥିବ ବୋଲି କୁହାଯାଇପାରିବ ନାହିଁ। ଜଣେ ପ୍ରାପ୍ତ ବୟସ୍କ ନିଜ ଇଚ୍ଛା ଅନୁସାରେ ଧର୍ମ ଆପଣାଇ ପାରିବ। ଏଥିସହ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ପକ୍ଷ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ।
ବିଚାରପତି ଜଷ୍ଟିସ ରୋହିନତନ ଫାଲିମାନ ନରିମାନ ଏହି ପିଆଇଲକୁ ଅନୁଧ୍ୟାନ କରିବା ପରେ କହିଛନ୍ତି, ସମ୍ବିଧାନ ଅନୁସାରେ ଜଣକୁ ନିଜ ଧର୍ମର ପ୍ରଚାର ପାଇଁ ଅଧିକାର ଦିଆଯାଇଛି। ଦାଏର ହୋଇଥିବା ମକଦ୍ଦମା ଜନସ୍ୱାର୍ଥ ମାମଲା ନୁହେଁ ବରଂ ଏହା ହେଉଛି ଏକ ପ୍ରଚାର ସ୍ୱାର୍ଥ ମାମଲା। ଏହା ସମାଜ ପାଇଁ କ୍ଷତିକାରକ। ଯଦି ଏଭଳି ଆବେଦନକୁ ଆଗକୁ ନିଆଯିବ ତାହେଲେ ଆବେଦନକାରୀଙ୍କ ବିରୋଧରେ ଜୋରିମାନା ଲାଗୁ କରାଯାଇପାରେ। ଏହାପରେ ଆବେଦନକାରୀ କୋର୍ଟରୁ ପିଆଇଏଲ ପ୍ରତ୍ୟାହାର କରିନେଇଛନ୍ତି।
ଆବେଦନକାରୀ ଜଣଙ୍କ କହିଥିଲେ, ଏଭଳି ଧର୍ମାନ୍ତୀକରଣକୁ ରୋକିବା ପାଇଁ ଏକ କମିଟି ତିଆରି କରି ଏ ବାବଦରେ ଆଇନ ତିଆରି କରିବା ଦରକାର। ବଳ ପୂର୍ବକ ଧର୍ମାନ୍ତୀକରଣ ସମ୍ୱିଧାନର ଧାରା ୧୪, ୨୧, ୨୫କୁ ଉଲ୍ଲଂଘନ କରୁଛି। ଆଉ ଏହା ସମ୍ୱିଧାନର ମୂଳ ଅନୁଚ୍ଛେଦ ଧର୍ମନିରପେକ୍ଷତାକୁ ମଧ୍ୟ ଉଲ୍ଲଂଘନ କରୁଛି। କେନ୍ଦ୍ର ଓ ରାଜ୍ୟ ସରକାର ଧର୍ମ ପରିବର୍ତ୍ତନକୁ ରୋକିବାରେ ବିଫଳ ହୋଇଛନ୍ତି। ତେଣୁ ଧାରା ୫୧ଏ ଅନୁଯାୟୀ ଏହା ଉପରେ ରୋକ୍ ଲଗାଇବା ଦରକାର। ଆବେଦନରେ ଆହୁରି କୁହାଯାଇଛି ଯେ, ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରିବା ସମାଜର ଏକ ଖରାପ ଅଭ୍ୟାସ ପାଲଟି ଗଲାଣି। ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏଭଳି ମାମଲାକୁ ରୋକିବା ପାଇଁ କେନ୍ଦ୍ର ଏକ ଆଇନ ପ୍ରଣୟନ କରିପାରିବ, ଯେଉଁଥିରେ ସର୍ବନିମ୍ନ ତିନି ବର୍ଷର ଦଣ୍ଡବିଧାନ ହେବ, ଆଉ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡିତ ଏବଂ ଜୋରିମାନା ମଧ୍ୟ ଲାଗୁ କରାଯାଇପାରିବ ବୋଲି ଆବେଦନରେ କୁହାଯାଇଥିଲା।
The post ପ୍ରାପ୍ତ ବୟସ୍କ ନିଜ ଇଚ୍ଛା ଅନୁସାରେ ଧର୍ମ ଆପଣାଇ ପାରିବେ: ସୁପ୍ରିମକୋର୍ଟ appeared first on Odisha Reporter.
from Odisha Reporter https://ift.tt/3s8199D
No comments:
Post a Comment