ନାଗପୁର: କୁହାଯାଏ ଯେତେବେଳେ ଜଣେ ଜୀବନର ସାର୍ଥକତା ବୁଝିଯାଏ ସେତେବେଳେ ସେ ଜୀବନର ମୋହମାୟରୁ ଉର୍ଦ୍ଦରେ ରୁହେ। ଆଉ ଏହି ସମୟରେ ଅନ୍ୟର ଜୀବନ ପାଇଁ ଜଣେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦିଏ। କୋଭିଡ୍ ମହାମାରୀ ବେଳେ ସମସ୍ତେ ମୃତ୍ୟୁକୁ ଦେଖି ଥରହର ହେଉଥିବା ବେଳେ ଜଣେ ବୃଦ୍ଧା କିନ୍ତୁ ଖୁସି ଖୁସିରେ ନିଜେ ଚିକିତ୍ସିତ ହେଉଥିବା ବେଡକୁ ଅନ୍ୟ ଜଣଙ୍କୁ ଛାଡ଼ି ଦେଇଥିଲେ। ଆଉ ସେ ଘରେ ପହଞ୍ଚିବା ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି।
ବୋଧହୁଏ ବୟସର ସାୟାହ୍ନକୁ ଦେଖି ନାଗପୁରର ଆରଏସଏସ କର୍ମୀ ତଥା ବୃଦ୍ଧ ନାରାୟଣ ଦଭାଲକାର ଏହା ବୁଝିଯାଇଥିଲେ। ଯଦିଓ ଏବେ ସେ ସ୍ୱର୍ଗାରୋହଣ କରିଛନ୍ତି। ହେଲେ ତାଙ୍କର ପ୍ରାଣବାୟୁ ଉଡ଼ିବା ପୂର୍ବରୁ ଯାହା କରିଛନ୍ତି ତାହା ଅନ୍ୟ ପାଇଁ ଉଦାହରଣ ପାଲଟିଛି। ଆଉ ନାରାୟଣଙ୍କ ଏହି ମହତକାମକୁ ସେଲିବ୍ରିଟିଙ୍କ ପାଖରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ପ୍ରଶଂସା କରିଛନ୍ତି। କୋଭିଡ୍ ମହାମାରୀ ସମୟରେ ନାରାୟଣ ଯାହା କରିଛନ୍ତି ତାହା ଏବେ ଉଦାହରଣ ସୃଷ୍ଟି କରିଛି। ଏହି ଉଦାହରଣ ଏବେ ସର୍ବଦା ସ୍ମରଣୀୟ ହୋଇ ରହିବ।
କରୋନା ବେଳେ ଯେଉଁଠି ଲୋକମାନେ ବେଡ୍, ଅକ୍ସିଜେନ ଏବଂ ଔଷଧ ପାଇପାରୁ ନାହାଁନ୍ତି ସେହି ସମୟରେ ୮୫ ବର୍ଷ ବୟସ୍କ ନାରାୟଣ ତାଙ୍କ ମୃତ୍ୟୁ ପୂର୍ବରୁ ଦେଇଥିବା ବଳିଦାନ ଉଦାହରଣ ପାଲଟିଛି।
ନାରାୟଣ କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ବେଡ୍ ମଧ୍ୟ ପାଇଥିଲେ। ଏହି ସମୟରେ ଜଣେ ମହିଳା ୪୦ ବର୍ଷର ସ୍ୱାମୀଙ୍କ ସହ ହସ୍ପିଟାଲ ପହଞ୍ଚିଥିଲେ। ସ୍ୱାମୀଙ୍କୁ ବେଡ୍ ଦେବା ପାଇଁ ମହିଳା ଜଣଙ୍କ ଡାକ୍ତରଙ୍କ ଆଗରେ ନିବେଦନ କରୁଥିଲେ। କିନ୍ତୁ ବେଡ୍ ଖାଲି ନ ଥିବାରୁ ଡାକ୍ତର ଜଣଙ୍କ ତାଙ୍କ ଅନୁରୋଧ ରକ୍ଷା କରିପାରୁ ନାହାନ୍ତି ବୋଲି କହିଥିଲେ। ଏହାକୁ କିନ୍ତୁ ଦେଖିଥିଲେ ନାରାୟଣ ଦାଭଲକର। ଆଉ ହସ୍ପିଟାଲ ପ୍ରଶାସନକୁ ନାରାୟଣ କହିଥିଲେ ତାଙ୍କ ବେଡ୍ ସେହି ମହିଳାଙ୍କ ସ୍ୱାମୀଙ୍କୁ ଦିଆଯାଉ।
ସେ କହିଥିଲେ, ‘ମୁଁ ମୋ ଜୀବନ ବଞ୍ଚିଛି। ମୋର ବର୍ତ୍ତମାନ ୮୫ ବର୍ଷ ଏହି ମହିଳାଙ୍କ ସ୍ୱାମୀ ଯୁବକ। ଏବେ ତାଙ୍କ ପରିବାରର ଦାୟିତ୍ୱ ରହିଛି। ତେଣୁ ତାଙ୍କୁ ବେଡ୍ ଦିଆଯିବା ଆବଶ୍ୟକ ରହିଛି’। ଆଉ ସେ ଏକ କାଗଜରେ ଲେଖିଥିଲେ ଯେ ସ୍ୱେଚ୍ଛାକୃତ ଭାବରେ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ପାଇଁ ସେ ହସ୍ପିଟାଲ ଛାଡ଼ୁଛନ୍ତି।
ଏହାପରେ ନାରାୟଣ ହସ୍ପିଟାଲ ଛାଡ଼ି ଘରକୁ ଫେରି ଚିକିତ୍ସିତ ହେଉଥିଲେ। ଆଉ ହସ୍ପିଟାଲରୁ ଫେରିବାର ତିନି ଦିନ ପରେ ନାରାୟଣଙ୍କର ବିୟୋଗ ହୋଇଥିଲା। ନାରାୟଣ ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ତାଙ୍କର ଅକ୍ସିଜେନ ସ୍ତର ୬୦କୁ ଖସି ଆସିଥିଲା।
ନାରାୟଣଙ୍କ ସ୍ୱଭାବ ଏତେ ଭଲ ଯେ ସେ ରହୁଥିବା ଘର ପାଖର ଛୋଟପିଲାମାନେ ତାଙ୍କୁ ଚକୋଲେଟ୍ ଚାଚା ବୋଲି ଡାକନ୍ତି। ସେ ଛୋଟ ପିଲାଙ୍କୁ ଚକୋଲେଟ୍ ବାଣ୍ଟନ୍ତି। ସେଥିପାଇଁ ପିଲାମାନେ ତାଙ୍କୁ ଚକୋଲେଟ୍ ଚାଚା ବୋଲି ଡାକୁଥିଲେ।
The post ୪୦ ବର୍ଷୀୟ ଯୁବକଙ୍କୁ ହସ୍ପିଟାଲ ବେଡ୍ ଛାଡ଼ିଲେ ୮୫ ବର୍ଷୀୟ ବୃଦ୍ଧ, ଘରେ ଉଡ଼ିଗଲା ପ୍ରାଣବାୟୁ appeared first on Odisha Reporter.
from Odisha Reporter https://ift.tt/3gJcN9b
No comments:
Post a Comment