ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଓଡ଼ିଶାକୁ ଫେରିବ ପସ୍କୋ! ଚାରିବର୍ଷ ତଳେ ଜଗତସିଂହପୁରରେ ଯେଉଁ ବିଶାଳ ପ୍ରୋଜେକ୍ଟକୁ ପ୍ରତ୍ୟାହାର କରିଦିଆଯାଇଥିଲା, ଏବେ ଦକ୍ଷିଣ କୋରିଆର ବିଶାଳ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ପସ୍କୋ ପୁଣି ଓଡ଼ିଶା ଫେରୁଥିବା ସୂଚନା ମିଳିଛି। ଏହି କମ୍ପାନୀ ଓଡ଼ିଶାରେ ପ୍ରାୟ ୧୨୦୦ କୋଟି ୟୁଏସ୍ ଡଲାର ବା ୮୯ ହଜାର ୭୧୩ କୋଟି ଟଙ୍କା ରେକର୍ଡ ପରିମାଣର ପୁଞ୍ଜି ନିବେଶରେ ରାଜ୍ୟରେ ଏକ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ମନବଳାଇଛି।
ଗତକାଲି ଓଡ଼ିଶା- ଦକ୍ଷିଣ କୋରିଆ ମଧ୍ୟରେ ବାଣିଜ୍ୟ କାରବାର ପ୍ରୋତ୍ସାହନକୁ ନେଇ ଏକ ଭର୍ଚୁଆଲ୍ ବୈଠକ ଆୟୋଜିତ ହୋଇଥିଲା। ଯେଉଁଥିରେ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବୋଙ୍ଗଜିଲ୍ ଏହି ପୁଞ୍ଜି ନିବେଶ କଥା କହିଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜରେ କୁହାଯାଇଛି।
ଏପରିକି ଭାରତ ଇତିହାସରେ ଏହା ଅନ୍ୟତମ ବୃହତ ଏକକ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜିନିବେଶ ହେବ ବୋଲି କୁହାଯାଇଛି। ବୈଠକରେ ରାଜ୍ୟ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ନୀତୀନ ଭାନୁଦାସ ଜଓ୍ୱାଲେ ପ୍ରମୁଖ ଯୋଗ ଦେଇଥିଲେ। ବାରମ୍ବାର ଆନ୍ଦୋଳନ ଓ ଅନ୍ୟ ବିଭିନ୍ନ କାରଣ ପାଇଁ ଜଗତସିଂହପୁରରେ ୫୨ ହଜାର କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପରୁ ପସ୍କୋ ଓହରି ଯାଇଥିଲା।
ଏହି ପ୍ରକଳ୍ପ ପାଇଁ ୨୦୦୫ରେ ପସ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଘୋର ବିରୋଧ, ପରିବେଶ ମଂଜୁରୀ ମିଳିବାରେ ବିଳମ୍ବ ଏବଂ ପସ୍କୋ ସହ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଏମଓୟୁର ନବୀକରଣ ହୋଇ ନପାରିବା ଭଳି କାରଣ ପାଇଁ ପରବର୍ତ୍ତୀ ସମୟରେ କମ୍ପାନୀ ଏହି ମେଗା ପ୍ରକଳ୍ପରୁ ଓହରିଯିବା ସହ ଓଡ଼ିଶା ଛାଡ଼ିଥିବା କୁହାଯାଇଥିଲା ରାଜ୍ୟ ସରକାର ମଧ୍ୟ ପ୍ରସ୍ତାବିତ ପସ୍କୋ ପ୍ରକଳ୍ପ ପାଇଁ ହୋଇଥିବା ଅଧିକୃତ ଜମିକୁ ନିଜ ପାଖକୁ ଫେରାଇ ଆଣିଥିଲେ। ହେଲେ ଏବେ ରାଜ୍ୟରେ ପସ୍କୋ ପୁଣି ପାଖାପାଖି ୯୦ ହଜାର କୋଟି ଟଙ୍କାର ରେକର୍ଡ ପୁଞ୍ଜିନିବେଶ ପାଇଁ ମନବଳାଇବା ଖବରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
The post ପୁଣି ଓଡ଼ିଶା ଫେରିବ ପସ୍କୋ! ନିବେଶ କରିବ ୯୦ହଜାର କୋଟି appeared first on Odisha Reporter.
from Odisha Reporter https://ift.tt/3n45YjB
No comments:
Post a Comment