କଟକ (ଓଡ଼ିଶା ରିପୋର୍ଟର): କୁମ୍ଭମେଳା ଫେରନ୍ତାକୁ ନେଇ ପୁଣି ବଢ଼ିଲା ଟେନସନ୍। କୁମ୍ଭମେଳାରୁ ଫେରିଥିବା ୧୩ ଜଣଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଗତକାଲି କଟକ ରେଳ ଷ୍ଟେସନରେ କୁମ୍ଭମେଳାରୁ ୩୦ଜଣ ଫେରନ୍ତାଙ୍କ RTPCR ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ପଜିଟିଭ୍ ଆକ୍ରାନ୍ତଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି।
ଆଜି ଆଉ ଦୁଇଟି ଟ୍ରେନରେ କୁମ୍ଭମେଳା ଫେରନ୍ତା ଆସିବେ। ସେମାନଙ୍କର ମଧ୍ୟ ପରୀକ୍ଷା କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି। ଏଥିପାଇଁ ଷ୍ଟେସନରେ ସିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା କଟକ ରେଲୱେ ଷ୍ଟେସନରେ ଯେଉଁମାନେ ପହଞ୍ଚୁଛନ୍ତି, ସମସ୍ତଙ୍କର RTPCR ରିପୋର୍ଟ ଦେଖାଯାଉଛି। ୭୨ ଘଣ୍ଟା ପୂର୍ବରୁ ଯେଉଁମାନଙ୍କର RTPCR ରିପୋର୍ଟ ନେଗେଟିଭ୍ ରହିଛି, ସେମାନଙ୍କୁ ହିଁ ଷ୍ଟେସନ୍ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳୁଛି। ଯେଉଁମାନଙ୍କର RTPCR ରିପୋର୍ଟ ନାହିଁ, ସେମାନଙ୍କର ଷ୍ଟେସନରେ ହିଁ ଉଭୟ RTPCR ଓ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି।
ଅନ୍ୟପଟେ ଗତକାଲି ବି ପୁରୀରେ ୨୨ ଜଣ କୁମ୍ଭ ମେଳା ଫେରନ୍ତାଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୧୩ ଜଣ କୁମ୍ଭମେଳା ଫେରନ୍ତାଙ୍କ ରିପୋର୍ଟ ଆସିନାହିଁ।
ଏହା ପୂର୍ବରୁ ଏସଆରସି କୁମ୍ଭ ମେଳା ଫେରନ୍ତା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଥିଲେ। କୁମ୍ଭ ମେଳାରୁ ଫେରିଥିବା ବ୍ୟକ୍ତିଙ୍କୁ ୧୪ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ନିଜ ଘର ହେଉ ଅବା କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ, କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି କୁମ୍ଭ ମେଳାକୁ ବନ୍ଦ କରାଯାଇଛି। ଆଖଡା ପରିଷଦର ସଭାପତି ଏବଂ ନିରଞ୍ଜନ ଆଖଡାର ମୁଖ୍ୟ ନରେନ୍ଦ୍ର ଗିରିଙ୍କ ସମେତ ସମସ୍ତ ଆଖଡାର ଅନେକ ସାଧୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାପରେ କୁମ୍ଭ ମେଳା ସ୍ଥଗିତ ରଖାଯାଇଛି। ଏପ୍ରିଲ ୫ରୁ କୁମ୍ଭ ମେଳା ଆରମ୍ଭ ହୋଇଥିଲା। ତେବେ ୧୪ ଏପ୍ରିଲ ମଧ୍ୟରେ ୬୮ ସାଧୁ ସନ୍ଥ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
The post କଟକରେ ୧୩ କୁମ୍ଭ ମେଳା ଫେରନ୍ତା କରୋନାରେ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/2QzOa3E
No comments:
Post a Comment