ନୂଆଦିଲ୍ଲୀ: କରୋନା ଟିକାକରଣ କାର୍ଯ୍ୟକ୍ରମକୁ ଯୋଜନା ଜୁନ୍ ମଧ୍ୟ ଭାଗ ଯାଏ ଆଗୁଆ ପ୍ରସ୍ତୁତ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏଥିସହ କୋ-ୱିନ ଆପରେ ଏକଥା ଲୋକଙ୍କୁ ଜଣାଇବା ସହ ଅଧିକରୁ ଅଧିକ ଟିକାର ଡୋଜ୍ ଯୋଗାଇ ଦେବାକୁ କହିଛନ୍ତି। ଟିକାକରଣ କେନ୍ଦ୍ରରେ ଅଧିକ ଭିଡ଼ ନ କରି ପର୍ଯ୍ୟାୟକ୍ରମେ ଲୋକଙ୍କୁ ଡୋଜ୍ ଦେବାକୁ ମଧ୍ୟ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।
ସୂଚନା ଅନୁସାରେ, କେନ୍ଦ୍ର ସରକାର ମେ’ ୧ରୁ ଜୁନ୍ ୧୫ ମଧ୍ୟରେ ରାଜ୍ୟଗୁଡ଼ିକୁ ୫.୮୬ କୋଟି ଟିକା ଯୋଗାଇ ଦେବେ। ସେହିପରି ଆସନ୍ତା ମାସ ଶେଷ ସୁଦ୍ଧା ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ୪.୮୭ କୋଟି ଡୋଜ ମାର୍କେଟରେ ଉପଲବ୍ଧ ହେବ। ଏହି ୪.୮୭ କୋଟି ଟିକା ଉଭୟ ରାଜ୍ୟ ଓ ଘରୋଇ ହସ୍ପିଟାଲ ସିଧାସଳଖ କିଣି ପାରିବେ।
କେନ୍ଦ୍ର ସରକାର ପଠାଉଥିବା ଟିକା କେବଳ ୪୫ ବର୍ଷରୁ ଅଧିକ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ ଦିଆଯିବ। ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକମାନେ କେବଳ ରାଜ୍ୟ ସରକାର, ଘରୋଇ ହସ୍ପିଟାଲ କିମ୍ବା କର୍ପୋରେଟ୍ ସେକ୍ଟର ସିଧାସଳଖ କିଣିଥିବା ଟିକା ନେଇପାରିବେ।
କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି ଯେ ସେମାନେ ଜିଲ୍ଲା ୱାରି ଓ ଟିକାକରଣ କେନ୍ଦ୍ର ୱାରି ଡୋଜ୍ ଦେବାକୁ ଯୋଜନା ପ୍ରସ୍ତୁତ କରନ୍ତୁ। ଏହାକୁ ଯଥା ସମ୍ଭବ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାନ୍ତୁ। ଜୁନ୍ ମଧ୍ୟ ଭାଗ ଯାଏ ଟିକାକରଣ ବ୍ୟବସ୍ଥା ଆଗୁଆ ପ୍ରସ୍ତୁତ ହେବା ଉଚିତ। ଏହାଦ୍ୱାରା ଲୋକମାନେ ବେଶ ଆରାମରେ ଟିକାକରଣ କେନ୍ଦ୍ରକୁ ଯାଇ ଡୋଜ୍ ଗ୍ରହଣ କରିପାରିବେ।
ନିଜର ଟିକାକରଣ ବ୍ୟବସ୍ଥାକୁ ବିଭିନ୍ନ ମିଡିଆ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବା ଉଚିତ। ରାଜ୍ୟ ଓ ଘରୋଇ ଟିକାକରଣ କେନ୍ଦ୍ରଗୁଡ଼ିକ କୋ-ୱିନ ଆପ୍ରେ ଟିକା ପ୍ରଦାନର କ୍ୟାଲେଣ୍ଡର ଆଗୁଆ ପ୍ରଦାନ କରିବେ। କେବଳ ଦିନିକିଆ ଭିତ୍ତିରେ ଟିକାକରଣ ଯୋଜନା ନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।
ଗତ ସପ୍ତାହରେ କେନ୍ଦ୍ର ସରକାର କହିଥିଲେ ଯେ ବିଭିନ୍ନ ରାଜ୍ୟକୁ ମେ’ ୧୬ରୁ ମେ’ ୩୧ ମଧ୍ୟରେ ୧.୯୨ କୋଟି ଟିକା ଦିଆଯାଇଛି। ଏହା ମଧ୍ୟରେ ୧୬୨.୫ ଲକ୍ଷ କୋଭିସିଲ୍ଡ ଓ ୨୯.୪୯ ଲକ୍ଷ କୋଭାକ୍ସିନ ଟିକାର ଡୋଜ୍ ରହିଥିଲା।
The post ଜୁନ୍ ମଧ୍ୟଭାଗ ଯାଏ ଟିକାକରଣ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ appeared first on Odisha Reporter.
from Odisha Reporter https://ift.tt/2S3K7NL
No comments:
Post a Comment