ହିସରା: ମହାମାରୀ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କର ଶବସତ୍କାର କରୁଥିବା ଜଣେ ବ୍ୟକ୍ତି ଏବେ ନିଜେ ଶବ ପାଲଟି ଯାଇଛନ୍ତି। କରୋନା ରୋଗୀଙ୍କ ଶବସତ୍କାର କରୁକରୁ ସେ ମଧ୍ୟ ଭାଇରସ ପଞ୍ଝାରେ ପଡ଼ିଥିଲେ। ଭାଇରସ ସହ ଲଢ଼େଇ କରିଥିଲେ ହେଁ ଶେଷରେ ସେ ହାରି ଯାଇଛନ୍ତି।
ଆମେ ଏଠାରେ ହରିଆଣା ଅନ୍ତର୍ଗତ ହିସରା ପୌରପାଳିକାର କାମ କରୁଥିବା ୪୩ ବର୍ଷୀୟ ପ୍ରବୀଣ କୁମାରଙ୍କ କଥା କହୁଛୁ। ସେ ହିଁ ପୌରାପାଳିକା ଟିମ୍ର ନେତୃତ୍ୱ ନେଇ କରୋନା ଆକ୍ରାନ୍ତଙ୍କ ଶବସତ୍କାର କରୁଥିଲେ। ପଜିଟିଭ ରିପୋର୍ଟ ଆସିବାର ଦୁଇ ଦିନ ପରେ ପ୍ରବୀଣ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ଏକ ହସ୍ପିଟାଲରେ କରୋନା ସଂକ୍ରମଣ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।
ମଙ୍ଗଳବାର ପ୍ରବୀଣଙ୍କ ଶବକୁ ତାଙ୍କ ଟିମ୍ ରିଶି ନଗର ଶ୍ମଶାନରେ ସତ୍କାର କରିଛି। କୋଭିଡ୍ ଗାଇଡଲାଇନ ଅନୁଯାୟୀ କରାଯାଇଥିବା ଶବସତ୍କାର ବେଳେ ହିସରା ମେୟର ଗୌତମ ସରଦାନା, ପୌରପାଳିକା କମିଶନର ଅଶୋକ ଗର୍ଗ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କୁମାର ତାଙ୍କ ପତ୍ନୀ ଓ ଦୁଇ ପୁଅ ରହିଛନ୍ତି। ତାଙ୍କର ଗୋଟିଏ ପୁଅ ପୌରପାଳିକାରେ କାମ କରୁଥିବା ବେଳେ ଅନ୍ୟ ପୁଅଟି ପାଠ ପଢ଼ୁଛନ୍ତି।
କୁମାରଙ୍କ ସହ ତାଙ୍କର ଦୁଇ ଭାଇ ମଧ୍ୟ ପୌରପାଳିକାରେ ଚାକିରି କରୁଥିଲେ। ହିସରା ପୌରପାଳିକା କର୍ମଚାରୀ ସଂଘର ମୁଖ୍ୟ ଥିବା ପ୍ରବୀଣ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖପାତ୍ର ସୁନୀଲ ବିନୱାଲ କହିଛନ୍ତି, ଗତବର୍ଷ ଠାରୁ ଇତି ମଧ୍ୟରେ ପ୍ରବୀଣ କୁମାର ୩୦୦ରୁ ଅଧିକ କୋଭିଡ୍ ଆକ୍ରାନ୍ତଙ୍କ ଶବ ସତ୍କାର କରିଛନ୍ତି।
ଦୁଇ ଦିନ ତଳେ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅକ୍ସିଜେନ ସ୍ତର ହ୍ରାସ ପାଇବାରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଆମ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରବିବାର କୁମାରଙ୍କ ପାଇଁ ତାଙ୍କ ପରିବାର ଲୋକ ବେଡ୍ ଯୋଗାଡ଼ କରିବାରେ ବେଶ ସଂଘର୍ଷ କରିଥିଲେ। ଦୀର୍ଘ ୩ ଘଣ୍ଟା ଧରି ବିଭିନ୍ନ ସ୍ଥାନ ବୁଲିବା ପରେ ଶେଷରେ ତାଙ୍କ ପାଇଁ ହସ୍ପିଟାଲରେ ବେଡ୍ ମିଳିଥିଲା। ଏହି ସମୟରେ ତାଙ୍କ ଅମ୍ଳଜାନସ୍ତର ୪୦କୁ ଖସି ଯାଇଥିଲା ବୋଲି ହିସରା ସଂଘର୍ଷ ସମିତି ଅଭିଯୋଗ କରିଛି।
The post ୩୦୦ କରୋନା ରୋଗୀଙ୍କ ଶବସତ୍କାର କରିଥିଲେ, ଶେଷରେ ନିଜେ ଶବ ପାଲଟିଗଲେ appeared first on Odisha Reporter.
from Odisha Reporter https://ift.tt/33X1vX6
No comments:
Post a Comment