ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାରାବାଙ୍କି ପ୍ରଶାସନ ବିନା କୌଣସି ନୋଟିସ୍ରେ ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ପୁରାତନ ମସଜିଦ୍କୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ଅଲ ଇଣ୍ଡିଆ ମୁସଲିମ ଲ’ ବୋର୍ଡ ଓ ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ତେବେ ପ୍ରଶାସନ ଗୋଟିଏ ପୁରୁଣା କୋଠାକୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭାଙ୍ଗିଥିବା ସଫେଇ ଦେଇଛି।
ଲ’ ବୋର୍ଡର କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ମୌଲାନା ଖାଲିଦ ସୈଫୁଲ୍ଲା ରେହମାନି କହିଛନ୍ତି, “ରାମ ସ୍ନେହି ଘାଟ ତହସିଲରେ ଥିବା ପୁରାତନ ଗରିବ ନୱାଜ ମସଜିଦକୁ ପ୍ରଶାସନ ଭାଙ୍ଗି ଦେଇଛି। କୌଣସି ନୋଟିସ୍ କିମ୍ବା କୌଣସି କାରଣ ନଦର୍ଶାଇ ସୋମବାର ରାତିରେ ଏହାକୁ ଭଙ୍ଗାଯାଇଛି।
ପୁଲିସ୍ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲା। ମସଜିଦକୁ ନେଇ କୌଣସି ବିବାଦ ନଥିଲା। ସୁନ୍ନି ୱାକଫ ବୋର୍ଡ ତାଲିକାରେ ମଧ୍ୟ ଏହା ରହିଥିଲା। ମାର୍ଚ୍ଚ ମାସରେ ଏସ୍ଡିଏମ ମସଜିଦ କମିଟିକୁ ଏହାର ପେପର ମାଗିଥିଲେ। ଏହା ବିରୋଧରେ ମସଜିଦ ମ୍ୟାନେଜମେଣ୍ଟ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହା ସତ୍ତ୍ୱେ ମଧ୍ୟ ମସଜିଦକୁ ଭାଙ୍ଗି ଦିଆଯାଇଛି।”
ସେ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ କରିବାକୁ ଦାବି କରିଥିବା ବେଳେ ମସଜିଦ ଭାଙ୍ଗିଥିବା ଅଧିକାରୀଙ୍କୁ ନିଲମ୍ବିତ କରାଯାଉ ବୋଲି କହିଛନ୍ତି। ଏଥିସହ ମସଜିଦର ଧ୍ୱଂସାବଶେଷ ନ ହଟାଇବା ସହ ଉକ୍ତ ସ୍ଥାନରେ କୌଣସି ନିର୍ମାଣ କାମ ଆରମ୍ଭ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ସରକାର ଏବେ ଉକ୍ତ ସ୍ଥାନରେ ମସଜିଦ ପୁନଃ ନିର୍ମାଣ କରନ୍ତୁ ଓ ମୁସିଲମମାନଙ୍କୁ ପ୍ରଦାନ କରନ୍ତୁ ବୋଲି ମୌଲାନା ସୈଫୁଲ୍ଲା କହିଛନ୍ତି।
ଅନ୍ୟପକ୍ଷରେ ଜିଲ୍ଲା ମାଜିଷ୍ଟ୍ରେଟ ଆଦର୍ଶ ସିଂହ କହିଛନ୍ତି, ମାର୍ଚ୍ଚ ୧୫ରେ ଏହି ନିର୍ମାଣ କାମ ସହ ଜଡ଼ିତ ଲୋକଙ୍କୁ ନୋଟିସ କରାଯାଇଥିଲା। ସେମାନଙ୍କୁ ଜମି ଉପରେ ମାଲିକାନ ଜାହିର କରିବା ପାଇଁ ପକ୍ଷ ରଖିବାକୁ କୁହାଯାଇଥିଲା। ହେଲେ ସେମାନେ ନୋଟିସ୍ ପରେ କୌଣସି ଜବାବ ନ ଦେଇ ଚୁପ ବସିଥିଲେ।
ମାର୍ଚ୍ଚ ୧୮ରେ ତହସିଲ ଏହାକୁ ନିଜ ଅଧୀନକୁ ଆଣିଥିଲା। ଏପ୍ରିଲ ୨ରେ ଏ ସଂକ୍ରାନ୍ତ ଆବେଦକୁ ଆହ୍ଲାବାଦ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ। ତେଣୁ ଏଠାରେ ଥିବା କୋଠା ବେଆଇନ ବୋଲି ପ୍ରମାଣିତ ହୋଇଥିଲା। ସବ ଡିଭିଜନ ମାଜିଷ୍ଟ୍ରେଟଙ୍କ ନିକଟରେ ମଧ୍ୟ ଗୋଟିଏ ମାମଲା ହୋଇଥିଲା। ତାଙ୍କ ନିର୍ଦ୍ଦେଶକୁ ମେ’ ୧୭ରେ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି।
The post ବିନା ନୋଟିସ୍ରେ ମସଜିଦ ଭାଙ୍ଗି ଦେଲା ପ୍ରଶାସନ! appeared first on Odisha Reporter.
from Odisha Reporter https://ift.tt/3hCyoAA
No comments:
Post a Comment